ଓଡ଼ିଶାରେ ପୁଣି ହେବ ଜାତୀୟ ଭଲିବଲ୍ ପ୍ରତିଯୋଗିତା

ରାଜ୍ୟରୁ ଏକକାଳୀନ ୨୫ ରେଫରି ଉତ୍ତୀର୍ଣ୍ଣ

ଭୁବନେଶ୍ବର : ନିକଟରେ ଅନୁଷ୍ଠିତ ହୋଇଥିବା ଜାତୀୟ ଭଲିବଲ୍‌ ରେଫରି ପରୀକ୍ଷାରେ ଓଡ଼ିଶାରୁ ସର୍ବାଧିକ ୨୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ରବିବାର ଭର୍ଚୁଆଲ୍‌ରେ ଆୟୋଜିତ ଭାରତୀୟ ଭଲିବଲ୍‌ ମହାସଂଘ (ଭିଏଫ୍‌ଆଇ)ର କାର୍ଯ୍ୟକାରିଣୀ ସମିତି ତଥା ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକରେ ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତ ଏହି ସୂଚନା ଦେଇଛନ୍ତି। ଏଥିସହ ଗତବର୍ଷ ଭଳି ଓଡ଼ିଶାରେ ପୁଣି ଥରେ ଜାତୀୟ ବରିଷ୍ଠ ଭଲିବଲ୍ ପ୍ରତିଯୋଗତା ଆସନ୍ତା ମାସରେ ହେବ ବୋଲି ମଧ୍ୟ ସୂଚନା ମିଳିଛି। କେରଳରେ ଜାତୀୟ ଯୁବ ଏବଂ କୋଲକାତାରେ ଜାତୀୟ କନିଷ୍ଠ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। କିଟ୍‌ ବିଶ୍ବବିଦ୍ୟାଳୟ ପରିସରରେ ଜାତୀୟ ପ୍ରତିଯୋଗିତା ସହ ଜାତୀୟ ଦଳର ପ୍ରଶିକ୍ଷଣ ଶିବିର ଏବଂ ଅନ୍ତର୍ଜାତୀୟ ଓ ଜାତୀୟ ରେଫରି ପରୀକ୍ଷା ମଧ୍ୟ ଆୟୋଜିତ ହେବ। ରବିବାରର ବୈଠକରେ ଭଲିବଲ୍‌ର ଉନ୍ନତି ଲାଗି ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ତଳସ୍ତରରୁ ଭଲିବଲ୍‌କୁ ଲୋକପ୍ରିୟ କରିବା ଲାଗି ଶ୍ରୀ ସାମନ୍ତ ଭିଏଫ୍‌ଆଇ ସଦସ୍ୟମାନଙ୍କୁ ଅନୁରୋଧ କରିଥିଲେ। ଏହି ବୈଠକରେ କାର୍ଯ୍ୟକାରୀ ଉପସଭାପତି ରାଜକୁମାର, ମହାସଚିବ ଅନୀଲ ଚୌଧୁରୀ, ଅଧକ୍ଷ୍ୟ ତଥା ଉପସଭାପତି ଏସ୍‌ ବାସୁଦେବନ, ଉପସଭାପତି ରଥିନ ରାୟ ଚୌଧୁରୀ, ଆନନ୍ଦଶଙ୍କର ରାଜହଂସ, ସହଯୋଗୀ ଉପସଭାପତି ଶେଖର ବୋଷ, ବ୍ରଜେଶ ପାଠକ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଅବତାର ସିଂହ ଝାକରଙ୍କ ସମେତ ଭିଏଫ୍‌ଆଇର ସମସ୍ତ କର୍ମକର୍ତ୍ତା ଏବଂ ୩୦ ରାଜ୍ୟର ଭଲିବଲ୍‌ ସଂଘର ସଭାପତି ଓ ସାଧାରଣ ସମ୍ପାଦକ ଅଂଶଗ୍ରହଣ କରିଥିଲେ।

ଉତ୍ତୀର୍ଣ୍ଣ ଓଡ଼ିଶା ରେଫରି: ପ୍ରଭାତ କୁମାର ସାହୁ, ସୁପର୍ଣ୍ଣୋ ‌ହୋତା, ନିହାର ରଂଜନ ମଲ୍ଲିକ, ଚାରୁ ଚନ୍ଦ୍ର ନାୟକ, ସଂଜୟ କୁମାର ଭୋଇ, ସୁଶାନ୍ତ କୁମାର ସାହୁ, ମୋହନ କୁମାର ମହାପାତ୍ର, ଜ୍ଞାନେନ୍ଦ୍ର ମଲ୍ଲିକ, ରାଜେଶ କୁମାର ଦାସ, ମନୋରଂଜନ ପଣ୍ଡା, ରାଜକିଶୋର ମଲ୍ଲିକ, ଚନ୍ଦନ କୁମାର ଚଇନି, ଶରତ କୁମାର ସାହୁ, ସତ୍ୟଜିତ ବେହେରା, ପରୀକ୍ଷିତ ଖର୍ସେଲ, ନାରାୟଣ ସାହୁ, ରଂଜନ କୁମାର ବେହେରା, ରୋଶନ କୁମାର ସାହୁ, କମଳାକାନ୍ତ ବେହେରା, ଅଭ୍ରାଂଶୁ କୁମାର ମହାନ୍ତି, ପ୍ରଦୀପ କୁମାର ଜେନା, ମାନସ ରଂଜନ ମିଶ୍ର, ବିଭୁଦତ୍ତ ମାନସିଂହ, ଡି ସ୍ବାତିଲତା ରେଡ୍ଡୀ, ମଧୁସ୍ମିତା ପଣ୍ଡା।

ସମ୍ବନ୍ଧିତ ଖବର