ଏସିଆ ପ୍ୟାସିଫିକ ମାଷ୍ଟର୍ସ କ୍ରୀଡ଼ା ପାଇଁ ରେଖା, ନମିତା, ପାର୍ବତୀଙ୍କ ଯାତ୍ରା

ସମ୍ବଲପୁର: ଆସନ୍ତା ୭ରୁ ୧୫ ପର୍ଯ୍ୟନ୍ତ ମାଲେସିଆର ପେନାଙ୍ଗଠାରେ ହେବାକୁ ଥିବା ପ୍ରଥମ ଏସିଆ ପ୍ୟାସିଫିକ ମାଷ୍ଟର୍ସ କ୍ରୀଡ଼ାରେ ଭାଗ ନେବା ପାଇଁ ଓଡ଼ିଶାରୁ ୩ ମହିଳା ଆଥ୍‌ଲେଟ୍‌ ଯାତ୍ରା କରିଛନ୍ତି। ସେମାନେ ହେଲେ କଟକର ପାର୍ବତୀ ସେଠୀ (୩୫ ବର୍ଷରୁ ଊର୍ଧ୍ୱ), ସମ୍ବଲପୁରର ରେଖା ଦେ’ (୪୦ ବର୍ଷରୁ ଊର୍ଧ୍ୱ) ଏବଂ ନମିତା ପଟେଲ (୪୫ ବର୍ଷରୁ ଊର୍ଧ୍ୱ)। ଓଡ଼ିଶା ପାଇଁ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ଜିତିଥିବା ଡିସ୍‌କସ୍‌ ତାରକା ପାର୍ବତୀ ଭାରତୀୟ ରେଳବାଇରେ କାର୍ଯ୍ୟରତ ଥିଲାବେଳେ ନମିତା ଓଡ଼ିଶା ପୁଲିସ୍‌ରେ ଏବଂ ରେଖା ସେଭେନ୍‌ ହିଲ୍‌ସ ସ୍କୁଲ୍‌ରେ କ୍ରୀଡ଼ା ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି। ସମ୍ବଲପୁରର ଉଭୟ ଆଥ୍‌ଲେଟ୍‌ଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ମାଲେସିଆ ଯାତ୍ରା ପାଇଁ ୪୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ପ୍ରଦାନ ସହ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ସମ୍ବଲପୁର ଏସ୍‌ପି ସଂଜୀବ ଅରୋରା, ସେଭେନ୍‌ ହିଲ୍‌ସ ସ୍କୁଲର ଅଧ୍ୟକ୍ଷ, ଓଡ଼ିଶା ମାଷ୍ଟର୍ସ କ୍ରୀଡ଼ା ଫେଡେରେସନ୍‌ର ସାଧାରଣ ସଂପାଦକ ଶିବ ମିଶ୍ର ତଥା ରେଖା ଏବଂ ନମିତାଙ୍କୁ ପ୍ରଶିକ୍ଷଣ ଦେଉଥିବା ଅନ୍ତର୍ଜାତୀୟ ମାଷ୍ଟର୍ସ ଆଥ୍‌ଲେଟ୍‌ ସୁନ୍ଦରମଣି ବାରିକ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧିତ ଖବର