ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି: ଭାରତ ଅପରାଜେୟ

ଆଜି ଫାଇନାଲ୍‌; ପୁଣି କୋରିଆକୁ ଭେଟିବ

ଡଙ୍ଘେ ସିଟି (କୋରିଆ): ଏଠାରେ ଚାଲିଥିବା ମହିଳା ଏସୀୟ ଚାମ୍ପିଅନ୍‌ସ ଟ୍ରଫି ହକି ପ୍ରତିଯୋଗିତାର ପଞ୍ଚମ ସଂସ୍କରଣରେ ଭାରତୀୟ ଦଳ ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ରହିଲା। ଓଡ଼ିଆ ଝିଅ ସୁନିତା ଲାକ୍ରାଙ୍କ ନେତୃତ୍ୱ ଏବଂ ନୂଆ ମୁଖ୍ୟ ପ୍ରଶିକ୍ଷକ ଜୋଏର୍ଡ ମାରିନ୍‌ଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳ ହ୍ୟାଟ୍ରିକ୍‌ (କ୍ରମାଗତ ତୃତୀୟ) ବିଜୟ ପରେ ଶନିବାର ଚତୁର୍ଥ ତଥା ଶେଷ ମ୍ୟାଚ୍‌କୁ ଆୟୋଜକ କୋରିଆ ସହ ଅମୀମାଂସିତ ରଖି ଅପରାଜେୟ ସହ ପୁଲ୍‌ ପର୍ଯ୍ୟାୟ ଶେଷ କରିଛି। ପ୍ରଥମ ମ୍ୟାଚ୍‌ରେ ଜାପାନକୁ ୪-୧, ଦ୍ୱିତୀୟ ମ୍ୟାଚ୍‌ରେ ଚୀନ୍‌କୁ ୩-୧ ଏବଂ ମାଲେସିଆକୁ ୩-୨ ଗୋଲ୍‌ରେ ପରାସ୍ତ କରି ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିସାରିଥିବା ଭାରତ ଶନିବାର କୋରିଆ ସହ ୧-୧ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ୍‌ ଭାଗ କରିଥିଲା। ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ତୃତୀୟ କ୍ୱାର୍ଟର ସୁଦ୍ଧା କେହି କାହାରିକୁ ଗୋଲ୍‌ କରିପାରିନଥିଲେ। ତେବେ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ହିଁ ଦୁଇଟିଯାକ ଗୋଲ୍‌ ହୋଇଥିଲା। ପ୍ରଥମେ କୋରିଆ ଗୋଲ୍‌ କରି ଅଗ୍ରଣୀ ପାଇଥିଲା ବେଳେ ୪୯ ମିନିଟ୍‌ରେ ଲାଲରେମ୍‌ସିଆମିଙ୍କ ଗୋଲ୍‌ ଭାରତ ପାଇଁ ସ୍ଥିତି ୧-୧ କରିଦେଇଥିଲା। ତେବେ ଭାରତକୁ ଗୋଲ୍‌ରକ୍ଷକ ସବିତା ଓ ସ୍ୱାତୀ ପରାଜୟରୁ ରକ୍ଷା କରିଥିଲେ। ଉଭୟେ କୋରିଆର ପ୍ରାୟ ତିନିଟି ପେନାଲ୍‌ଟି କର୍ନର ପ୍ରୟାସକୁ ଭଣ୍ଡୁର କରିଦେଇଥିଲେ। ତଥାପି ୪ ମ୍ୟାଚ୍‌ରୁ ମୋଟ ୧୦ ପଏଣ୍ଟ୍‌ ପାଇ ଭାରତ ପଏଣ୍ଟ୍‌ ତାଲିକାର ଶୀର୍ଷ ସ୍ଥାନ ବଜାୟ ରଖିଲା। ଏବେ ଘରୋଇ କୋରିଆ ସହ ଆସନ୍ତାକାଲି ଟ୍ରଫି ପାଇଁ ମୁହାଁମୁହିଁ ହେବ।

ସମ୍ବନ୍ଧିତ ଖବର