ଆଜି ତୃତୀୟ ଟ୍ବେଣ୍ଟି-୨୦, ଭାରତ ପାଇଁ ‘କର ବା ମର’

ମେଲ୍‌ବର୍ନ: ବ୍ରିସ୍‌ବନ୍‌ରେ ହାରିବା ପରେ ମେଲ୍‌ବର୍ନ ମ୍ୟାଚ୍‌ ବର୍ଷା ଧୋ‌ଇନେବା ଭ୍ରମଣକାରୀ ଭାରତୀୟ ଦଳ ପାଇଁ ସଂକଟ ବଢ଼ାଇଦେଇଛି। ଫଳରେ ରବିବାର ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାର ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ଭାରତ ପାଇଁ ‘କର ବା ମର’ ପାଲଟିଯାଇଛି। ସିଡ୍‌ନିରେ ଏହି ମ୍ୟାଚ୍‌ ହାରିଗଲେ ଭାରତ କ୍ରମାଗତ ସପ୍ତମ ଶୃଙ୍ଖଳା ଜିତିବା ପରେ ପ୍ରଥମ ପରାଜୟ ବରଣ କରିବ। ଶୁକ୍ରବାର ମ୍ୟାଚ୍‌ ବର୍ଷା ବିଗାଡ଼ି ଦେଇଥିବାରୁ ଭାରତ ପାଇଁ କ୍ରମାଗତ ଅଷ୍ଟମ ଶୃଙ୍ଖଳା ଜିତିବାର ଆଶା ମଉଳିଯାଇଛି। ମେଲ୍‌ବର୍ନରେ ବର୍ଷା ବିଜୟ ସୁଯୋଗ ଛଡ଼ାଇ ନେଇଥିଲା ବେଳେ ସିଡ୍‌ନିରେ ବିଜୟ ହାସଲ କରି ଶୃଙ୍ଖଳା ବରାବର ରଖିବା ସାଙ୍ଗକୁ ସମ୍ମାନ ମଧ୍ୟ ହାତେଇବା ଲକ୍ଷ୍ୟରେ ରହିଛି ଭାରତ। ସେହିପରି ପାକିସ୍ତାନ ନିକଟରୁ ଶୃଙ୍ଖଳା ମୂଳପୋଛ ପରେ ଘରୋଇ ଅଷ୍ଟ୍ରେଲିଆ ରବିବାର ମ୍ୟାଚ୍‌ ଜିତି ଶୃଙ୍ଖଳା ହାତେଇବା ସାଙ୍ଗକୁ ଟେଷ୍ଟ ଶୃଙ୍ଖଳା ପୂର୍ବରୁ ମନୋବଳ ଦୃଢ଼ କରିବା ଲକ୍ଷ୍ୟ ରଖିଛି। ସେଥିପାଇଁ ଆହତ ବିଲି ଷ୍ଟାନ୍‌ଲେକ୍‌ଙ୍କ ବଦଳରେ ୨୦୧୬ରୁ ଆଦୌ ଟ୍ବେଣ୍ଟି-୨୦ ଖେଳିନଥିବା ଅଲ୍‌ରାଉଣ୍ଡର ମିଚେଲ ଷ୍ଟାର୍କଙ୍କୁ ଦଳରେ ସାମିଲ କରିଛି। ଷ୍ଟାର୍କ ଶେଷ ଥର ପାଇଁ ୨୦୧୪ରେ ସିଡ୍‌ନିରେ ଇଂଲଣ୍ଡ୍‌ ବିପକ୍ଷ ଟ୍ବେଣ୍ଟି-୨୦ ଖେଳିଥିଲେ। ଅନ୍ୟପକ୍ଷରେ ଚୂଡାନ୍ତ ଏକାଦଶରେ ୟୁଜ୍‌ବେନ୍ଦ୍ର ଚହଲ୍‌ଙ୍କ ସାମିଲକୁ ନେଇ ଭାରତ ପାଇଁ ଏକମାତ୍ର ବିତର୍କ ରହିଛି। ମେଲ୍‌ବର୍ନ ମ୍ୟାଚ୍‌ରେ ସେ ଖଲିଲ ଅହମ୍ମଦଙ୍କ ବଦଳରେ ଖେଳିବାର ଆଭାସ ଦିଆଯାଇଥିଲେ ମଧ୍ୟ ଶେଷ କ୍ଷଣରେ ଅପରିବର୍ତିତ ଦଳ ଖେଳିଥିଲା। ସେହି ଦୃଷ୍ଟିରୁ ରବିବାର ମ୍ୟାଚ୍‌ରେ ଖଲିଲ ଅହମ୍ମଦ କିମ୍ବା କୃନାଲ ପଣ୍ଡ୍ୟାଙ୍କ ମଧ୍ୟରୁ ଜଣଙ୍କୁ ବସାଇ ଚହଲ୍‌ଙ୍କୁ ଖେଳାଇବାର ସମ୍ଭାବନା ରହିଛି। ‌ତେବେ ସବୁଠୁ ଖୁସିର କଥା ହେଲା ସିଡ୍‌ନିରେ ବର୍ଷା ହେବାର ପୂର୍ବାନୁମାନ ନାହିଁ। ପାଗ ପୂରା ଶୁଖିଲା ରହିବ। ପିଚ୍‌ ମଧ୍ୟ ସ୍ପିନରଙ୍କୁ ସୁହାଇବ ବୋଲି ଜଣାପଡ଼ିଛି।
ପରିସଂଖ୍ୟାନ ଭାରତ ସପକ୍ଷରେ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନି କ୍ରିକେଟ୍‌ ପଡ଼ିଆରେ ପୂର୍ବରୁ ଏକମାତ୍ର ଟ୍ବେଣ୍ଟି-୨୦ ମ୍ୟାଚ୍‌ ଖେଳାଯାଇଛି। ୨୦୧୬ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ୧୯୮ ରନ୍‌ର ପିଛା କରିଥିବା ଭାରତ ଶେଷ ବଲ୍‌ରେ ହିଁ ବିଜୟ ହାସଲ କରିଥିଲା।

ସମ୍ବନ୍ଧିତ ଖବର