ପ୍ରଥମ ଥର ଫାଇନାଲ୍‌ରେ ଟଟେନ୍‌ହାମ୍‌, ଚାମ୍ପିଅନ୍‌ସ ଲିଗ୍‌ରେ ଲୌରାଙ୍କ ହ୍ୟାଟ୍ରିକ୍‌

ଆମ୍‌ଷ୍ଟରଡାମ୍‌: ଆୟାକ୍ସ ଆମ୍‌ଷ୍ଟରଡାମ୍‌ ବିପକ୍ଷରେ ହ୍ୟାଟ୍ରିକ୍‌ ଗୋଲ୍‌ କରି ଲୁକାସ୍‌ ମୌରା ଟଟେନ୍‌ହାମ୍‌ ହଟ୍‌ସ୍ପର୍‌କୁ ଚଳିତ ଚାମ୍ପିଅନ୍‌ସ ଲିଗ୍‌ ଫାଇନାଲ୍‌ରେ ପହଞ୍ଚାଇଛନ୍ତି। ଏଥି ସହିତ ୨୩ ବର୍ଷ ପରେ ପ୍ରଥମ ଥର ପାଇଁ ଆୟାକ୍ସର ଫାଇନାଲ୍‌ ପ୍ରବେଶ ଆଶା ଧୂଳିସାତ୍‌ ହୋଇଯାଇଥିଲା ବେଳେ ଟଟେନ୍‌ହାମ୍‌ ଚାମ୍ପିଅନ୍‌ସ ଲିଗ୍‌ ଇତିହାସରେ ପ୍ରଥମ ଥର ଲାଗି ଫାଇନାଲ୍‌ ପ୍ରବେଶ କରିଛି। ଆୟାକ୍ସ ଶେଷ ଥର ପାଇଁ ୧୯୯୬ ମସିହାରେ ଫାଇନାଲ୍‌ ଖେଳିଥିଲା ବେଳେ ଟଟେନ୍‌ହାମ୍‌ ଏହା ପୂର୍ବରୁ କେବି ବି ସେମିଫାଇନାଲ୍‌ ଜିତି ପାରିନଥିଲା। ଏଥର ଫାଇନାଲ୍‌ରେ ଟଟେନ୍‌ହାମ୍‌ର ମୁକାବିଲା ଲିଭରପୁଲ୍‌ ସହ ହେବ। ଫଳରେ ଚଳିତ ବର୍ଷର ଚାମ୍ପିଅନ୍‌ସ ଲିଗ୍‌ ଫାଇନାଲ୍‌ ଦୁଇ ଇଂଲିସ୍‌ ଦଳ ମଧ୍ୟରେ ହେବ। ଜୁନ୍‌ ୧ ତାରିଖରେ ମାଦ୍ରିଦ୍‌ଠାରେ ଚାମ୍ପିଅନ୍‌ସ ଲିଗ୍‌ ଟ୍ରଫି ପାଇଁ ଉଭୟ ଟଟେନ୍‌ହାମ୍‌ ଓ ଲିଭରପୁଲ୍‌ ମୁହାଁମୁହିଁ ହେବେ।

ବୁଧବାର ରାତିରେ ଖେଳାଯାଇଥିବା ସେମିଫାଇନାଲ୍‌ର ଦ୍ବିତୀୟ ଚରଣରେ ଟଟେନ୍‌ହାମ୍‌ ୩-୨ ଗୋଲ୍‌ରେ ଆୟାକ୍ସକୁ ପରାସ୍ତ କରିଥିଲା। ଅଧିନାୟକ ମାଥିସ୍‌ ଡି ଲିଗ୍‌ ଏବଂ ହାକିମ୍‌ ଜିୟେକ୍‌ଙ୍କ ଗୋଟିଏ ଲେଖାଏଁ ଗୋଲ୍‌ ବଳରେ ଆୟାକ୍ସ ପ୍ରଥମାର୍ଧ ସୁଦ୍ଧା ୨-୦ରେ ଆଗୁଆ ରହିଥିଲା। ହେଲେ ଦ୍ବିତୀୟାର୍ଧରେ ଲୌରା ସବୁକିଛି ବିଗାଡ଼ି ଦେଇଥିଲେ। ସେ ୫୫ ମିନିଟ୍‌ରେ ଟଟେନ୍‌ହାମ୍‌ ପାଇଁ ପ୍ରଥମ ଗୋଲ୍‌ କରିବାର ୪ ମିନିଟ୍‌ ପରେ ଦ୍ବିତୀୟ ଗୋଲ୍‌ କରି ସ୍ଥିତି ୨-୨ କରି ଦେଇଥି‌ଲେ। ଏହାପରେ ୯୬ ମିନିଟ୍‌ରେ ବ୍ୟକ୍ତିଗତ ତୃତୀୟ ଗୋଲ୍‌ କରି ଲୌରା ହ୍ୟାଟ୍ରିକ୍‌ ଅର୍ଜନ କରିବା‌ ସାଙ୍ଗକୁ ଟଟେନ୍‌ହାମ୍‌କୁ ୩-୨ରେ ବିଜୟ ଭେଟି ଦେଇଥିଲେ। ତେବେ ସେମିଫାଇନାଲ୍‌ର ଉଭୟ ଚରଣକୁ ମିଶାଇ ଉଭୟ ଦଳର ସ୍ଥିତି ୩-୩ ଗୋଲ୍‌ରେ ଶେଷ ହୋଇଥିଲା। ଏହା ପୂର୍ବରୁ ସେମିଫାଇନାଲ୍‌ ପ୍ରଥମ ଚରଣରେ ଆୟାକ୍ସ ୧-୦ ଗୋଲରେ ଜିତିଥିଲା। ତେବେ ସ୍ଥିତି ଅମୀମାଂସିତ ରହିବାରୁ ବାହାରେ ଅଧିକ ଗୋଲ୍‌କୁ ହିସାବକୁ ନିଆଯାଇଥିଲା। ସେଥିରେ ଆୟାକ୍ସ ବାହାରେ ଗୋଟିଏ ଗୋଲ୍‌ କରିଥିଲା ବେଳେ ଟଟେନ୍‌ହାମ୍‌ ବାହାରେ ୩ ଗୋଲ୍‌ ଲଦି ନେଇଥିଲା। ତେଣୁ ବାହାରେ ଅଧିକ ଗୋଲ୍‌ କରିଥିବାରୁ ଟଟେନ୍‌ହାମ୍‌ ବିଜୟୀ ହୋଇ ଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିନେଲା। ଏଥି ସହିତ ଲିଭରପୁଲ୍‌ ଭଳି ପ୍ରଥମ ଚରଣ ପରାଜୟ ସତ୍ତ୍ବେ ପ୍ରତ୍ୟାବର୍ତନ ଦଳ ଭାବେ ଟଟେନ୍‌ହାମ୍‌ ଫାଇନାଲ୍‌ ପ୍ରବେଶ କଲା। ମଙ୍ଗଳବାର ସେମିଫାଇନାଲ୍‌ରେ ପ୍ରଥମ ଚରଣ ପରାଜୟ ସତ୍ତ୍ବେ ପ୍ରତ୍ୟାବର୍ତନ କରି ଲିଭରପୁଲ୍‌ ମୋଟାମୋଟି ଭାବେ ବାର୍ସିଲୋନାକୁ ୪-୩ ଗୋଲ୍‌ରେ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍‌ ପ୍ରବେଶ କରିଥିଲା।

ସମ୍ବନ୍ଧିତ ଖବର