ସୁଶାନ୍ତଙ୍କୁ କ୍ରୀଡ଼ା‌ ଦୁନିଆର ଶ୍ରଦ୍ଧାଞ୍ଜଳି: ‘ତୁମେ ଅକାଳରେ ଚାଲିଗଲ’

ମୁମ୍ବାଇ: ‘‘ଧୋନି, ଦ ଅନଟୋଲ୍ଡ ଷ୍ଟୋରି’’ ଚଳଚ୍ଚିତ୍ରରେ ନିଜ ନିଖୁଣ ଅଭିନୟ ପାଇଁ ସିନେପ୍ରେମୀଙ୍କ ସହ କ୍ରିକେଟ୍ ପ୍ରଶଂସକଙ୍କ ମନ ଜିତି ନେଇଥିବା ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବର ଭାରତୀୟ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଛି। ଏହି ଚଳଚ୍ଚିତ୍ରଟି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଆତ୍ମଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା। ଏଥିରେ ଧୋନିଙ୍କ ଚରିତ୍ରକୁ ସୁଶାନ୍ତ ପରଦା ଉପରେ ପୂରା ଜୀବନ୍ତ କରିଦେଇଥିଲେ। ନିଜ ପ୍ରଥମ ଚଳଚ୍ଚିତ୍ର ‘କାଇ ପୋ ‌େଚ‌’ରେ ମଧ୍ୟ ସୁଶାନ୍ତ ଜଣେ ସଂଘର୍ଷରତ ଓ ରାଜନୀତିର ଶିକାର ହୋଇଥିବା ଜଣେ ଉଦୀୟମାନ କ୍ରିକେଟର ଭୂମିକାରେ ନଜରକୁ ଆସିଥିଲେ।

ଉଭୟ ଚଳଚ୍ଚିତ୍ରରେ ବଳିଷ୍ଠ ଅଭିନୟ କରିଥିବା ସୁଶାନ୍ତ ଅଚାନକ ଏଭଳି ଏକ ହୃଦୟବିଦାରକ ନିଷ୍ପତ୍ତି ନେବାକୁ କେହି ବିଶ୍ବାସ କରିପାରୁନାହାନ୍ତି। ଭାରତୀୟ କ୍ରୀଡ଼ା ଜଗତ ମଧ୍ୟ ଏହି ଦୁଃଖଦ ଖବରରେ ସ୍ତବ୍ଧ ହୋଇଯାଇଛି। ଏକ ଛୋଟ ସହରରୁ ଯାଇ ପ୍ରଥମେ ଜାତୀୟ ଟେଲିଭିଜନ ଏବଂ ପରେ ବଲିଉଡ୍‌ର ଚାକଚକ୍ୟ ଭରା ଦୁନିଆରେ ନିଜକୁ ଜଣେ ପୋଖତ ଅଭିନେତା ଭାବେ ସ୍ଥାପିତ କରିଥିବା ସୁଶାନ୍ତ କୋଟି କୋଟି ଭାରତୀୟ କିଶୋର କିଶୋରୀଙ୍କ ପାଇଁ ଆଦର୍ଶ ପାଲଟିଥିଲେ। ସେ ଚାଲିଯିବା ପରେ କରୋନା କାଳର ଏହି ଅପ୍ରତ୍ୟାଶିତ ଓ ଅବିଶ୍ବସନୀୟ ଧକ୍କାକୁ ସହିବା ଲାଗି ସୁଶାନ୍ତଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରିବା ସହ ସମଗ୍ର କ୍ରୀଡ଼ା ଜଗତ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି।

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନରେ ସ୍ତବ୍ଧ ଓ ଦୁଃଖିତ। ସେ ଜଣେ ପ୍ରତିଭାବାନ ଓ ଯୁବ ଅଭିନେତା ଥିଲେ। ତାଙ୍କ ବନ୍ଧୁ ଓ ପରିବାରବର୍ଗ ପ୍ରତି ମୋର ସମବେଦନା। ଅମର ଆତ୍ମାର ସଦଗତି କାମନା କରୁଛି।
-ସଚିନ ତେନ୍ଦୁଲକର

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଖବର ଶୁଣି ସଂପୂର୍ଣ୍ଣ ସ୍ତବ୍ଧ। ଦୁଃଖକୁ ପରିପ୍ରକାଶ କରିବା ବହୁତ କଷ୍ଟକର। ଏହି ଅପୂରଣୀୟ କ୍ଷତି ସହିବାକୁ ଭଗବାନ ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଶକ୍ତି ଦିଅନ୍ତୁ, ଓଁ ଶାନ୍ତି।
-ବିରାଟ ‌କୋହଲି

ସ୍ତବ୍ଧ ଓ ଦୁଃଖିତ। ଜଣେ ସଫଳ ଓ ପ୍ରତିଭାବାନ ଅଭିନେତା ବହୁତ ଶୀର୍ଘ ଓ ଅକାଳରେ ଚାଲିଗଲେ। ତାଙ୍କ ପରିବାରବର୍ଗ ପ୍ରତି ମୋର ଗଭୀର ସମବେଦନା। ଓଁ ଶାନ୍ତି।
-ଅନିଲ କୁମ୍ବଲେ

ସୁଶାନ୍ତ ସିଂହ ରାଜପୁତଙ୍କ ଅକାଳ ବିୟୋଗରେ ମୁଁ ସ୍ତବ୍ଧ। ପ୍ରତିଶ୍ରୁତି ଓ ଅଦମ୍ୟ ସମ୍ଭାବ୍ୟଭରା ଏକ ଜୀବନ ଦୀପ ହଠାତ୍ ଲିଭିଗଲା। ତାଙ୍କ ପ୍ରଶଂସକ ଓ ପରିବାର ବର୍ଗ ପ୍ରତି ମୋର ଗଭୀର ସମବେଦନା।
-ରବି ଶାସ୍ତ୍ରୀ

ଏହା ନିଶ୍ଚିତ ଭାବେ ଅତ୍ୟନ୍ତ ଯନ୍ତ୍ରଣା ଦାୟକ ଖବର। ଏଭଳି କିଛି ଘଟଣା ଘଟିଛି ବୋଲି ବିଶ୍ବାସ କରିହେଉନି। ସତରେ ଅତ୍ୟନ୍ତ ହୃଦୟ ବିଦାରକ ଖବର। ଚମତ୍କାର ଅଭିନେତା। ଯେଉଁଠି ବି ରୁହ ଶାନ୍ତିରେ ରୁହ ବନ୍ଧୁ।
-ରୋହିତ ଶର୍ମା

ହେ ଭଗବାନ, ଏଭଳି ଖବର ବିଶ୍ବାସ କରିବାକୁ ଶକ୍ତି ଦିଅ। ଅମର ଆତ୍ମାର ସଦଗତି କାମନା କରୁଛି। ଶ୍ରଦ୍ଧାଞ୍ଜଳି।
-ଶିଖର ଧାୱନ
ଦୟାକରି ମୋତେ କହି ଦିଅଯେ ଏହା ଏକ ଗୁଜବ। ସୁଶାନ୍ତ ସିଂହ ରାଜପୁତ ଆଉ ନାହାନ୍ତି ବୋଲି ବିଶ୍ବାସ କରିହେଉନି। ବହୁତ ଦୁଃଖଦ ଖବର। ପରିବାର ଓ ବନ୍ଧୁ ବର୍ଗଙ୍କୁ ମୋର ଗଭୀର ସମବେଦନା।
-ହରଭଜନ ସିଂହ

ସୁଶାନ୍ତ, ତୁମେ ମୋତେ କଥା ଦେଇଥିଲ, ଆମେ ଦିନେ ଏକାଠି ସାଙ୍ଗହୋଇ ଟେନିସ୍ ଖେଳିବା। ତୁମେ ଜୀବନକୁ ବହୁତ ଭଲ ପାଉଥିଲ। ଯୁଆଡ଼େ ଯାଉଥିଲ, ଖୁସି ଓ ହସ ବାଣ୍ଟୁଥିଲ। ଭିତରେ ଭିତରେ ତୁମେ ଏତେ ଦୁଃଖୀ ଅଛ ବୋଲି ଆମେ କେହି ଜାଣି ପାରିଲୁ ନାହିଁ। ବିଶ୍ବ ବ୍ରହ୍ମାଣ୍ଡ ତୁମକୁ ଝୁରିବ। ଏହି ଶୋ‌କବାର୍ତ୍ତା ଲେଖିଲା ବେଳେ ମୋ ହାତ ଥରୁଛି। ଯୋଉଠି ଥାଅ, ଶାନ୍ତିରେ ଥାଅ ବନ୍ଧୁ।
-ସାନିଆ ମିର୍ଜା

ଅକାଳରେ ଚାଲିଗଲ ସୁଶାନ୍ତ ସିଂହ ରାଜପୁତ। ତାଙ୍କ ପରିବାର ଓ ବନ୍ଧୁବର୍ଗଙ୍କୁ ଏହି କ୍ଷତି ସହିବାକୁ ଶକ୍ତି ଦିଅ ଭଗବାନ। ବର୍ଷ ୨୦୨୦ରେ କାହିଁକି ଏମିତି କରୁଛ?
-ପ୍ରଜ୍ଞାନ ଓଝା

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଖବରକୁ ବିଶ୍ବାସ କରିପାରୁନି। ଦୁଃଖିତ ଓ ସ୍ତବ୍ଧ। କିଛି ମାସ ପୂର୍ବେ ତାଙ୍କ ସହ ତାଜ୍ ହୋଟେଲରେ ଭେଟ ହୋଇଥିଲା। କେଦାରନାଥ ଓ ଅନ୍ୟାନ୍ୟ ଚଳଚ୍ଚିତ୍ରରେ ତାଙ୍କ ଅଭିନୟକୁ ପ୍ରଶଂସା କରିଥିଲେ। ତାଙ୍କର ଆଉ ଏକ ଚଳଚ୍ଚିତ୍ର ‘ଛିଛୋରେ’ ଦେଖିବାକୁ ସେ ମୋତେ ଅନୁରୋଧ କରିଥିଲେ।
-ଇର୍ଫାନ ପଠାନ

ସୁଶାନ୍ତ ସିଂହ ରାଜପୁତଙ୍କ ନିଧନ ଖବରକୁ ବିଶ୍ବାସ କରିହେଉନି। ଜଣେ ହସକୁରା ଓ ପ୍ରତିଭାବାନ ଅଭିନେତା ଏଭଳି କଠୋର ପଦକ୍ଷେପ ନେବା ପଛର କାହାଣୀ ସତରେ ବହୁତ କରୁଣ ଥିବ। ଆମେ ତୁମ ଅନୁପସ୍ଥିତିକୁ ଅନୁଭବ କରିବୁ।
-ମିତାଲି ରାଜ

ହେ ଭଗବାନ, ଏହି ଖବରକୁ ମୁଁ ବିଶ୍ବାସ କରିପାରୁନି। ଜଣେ ସଫଳ ଓ ସ୍ବଳ୍ପ ବୟସ୍କ ଅଭିନେତା ଚାଲିଗଲେ। ବାହାରୁ ସବୁକିଛି ଠିକ୍ ଜଣାପଡ଼ୁଥିଲେ ମଧ୍ୟ ମଣିଷ ମନରେ କ’ଣ ଚାଲିଛି, ସତରେ ତାକୁ ଆମେ କେବେ ବୁଝିପାରିବାନି।
-ଯୁବରାଜ ସିଂହ

ଜୀବନ ପ୍ରତି କୌଣସି ବିଶ୍ବାସ ନାହିଁ। ଜଣଙ୍କ ମନ ଭିତରେ କ’ଣ ଚାଲିଛି, ତାହା ଆମେ କେବେ ଜାଣିପାରିବାନି। ସମସ୍ତଙ୍କୁ ଦୟା କରନ୍ତୁ। ଓଁ ଶାନ୍ତି।
-ବୀରେନ୍ଦ୍ର ସେହବାଗ

ସୁଶାନ୍ତ ସିଂହ ରାଜପୁତ ତୁମେ ବହୁତ ଖୀଘ୍ର ଚାଲିଗଲ। ବିଶ୍ବାସ କରିହେଉନି, ତା’ଠାରୁ ଦୁଃଖଦ କଥା ହେଲା, ଆମେ ଜଣେ ପ୍ରଚଣ୍ଡ ପ୍ରତିଭାଧାରୀ ଯୁବ ଅଭିନେତାଙ୍କୁ ହରାଇଲେ। ତୁମେ ରୂପେଲି ପରଦାର ଧୋନି ଭାବେ ସବୁଦିନ ମନେରହିବ।
-ସାଇନା ନେହୱାଲ

ଏହି ଖବର ମୋ ହୃଦୟକୁ ଦୋହଲାଇ ଦେଇଛି। ଏହାକୁ ମୋତେ ସ୍ବୀକାର କରିବାକୁ ହେବ।
-ହର୍ଷ ଭୋଗଲେ

ବିଶ୍ବାସ କରିହେଉନି, ଏହି ଖବର ଶୁଣି ମର୍ମାହତ, ସୁଶାନ୍ତ ଥିଲେ ଜଣେ ପ୍ରତିଭାଶାଳୀ ଓ ସ୍ନେହୀ ମଣିଷ। ଧୋନି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ମୋ ମନ ଜିତି ନେଇଥିଲା। ଅମର ଆତ୍ମାର ସଦଗତି କାମନା କରୁଛି।
-ବିନୋଦ କାମ୍ବଲି

ହେ ଭଗବାନ, ଏହା ସତ ହୋଇନପାରେ, ଓଁ ଶାନ୍ତି
-ରବିଚନ୍ଦ୍ରନ ଅଶ୍ବିନ

ସମ୍ବନ୍ଧିତ ଖବର