ଉବେର କପ୍‌: ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ବ୍ୟାଙ୍କକ୍‌: ଚଳିତ ଉବେର କପ୍‌ରେ ଭାରତୀୟ ମହିଳା ଦଳ ପ୍ରଥମ ବିଜୟ ପାଇଛି। ସାଇନା ନେହଓ୍ଵାଲ୍‌ଙ୍କ ନେତୃତ୍ୱରେ ଖେଳୁଥିବା ଭାରତୀୟ ଦଳ ରବିବାର ୧-୪ରେ କାନାଡ଼ାଠୁ ହାରିଥିଲା ବେଳେ ସୋମବାର ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ପ୍ରଥମ ଏକକ ମୁକାବିଲାରେ ଦଶମ ମାନ୍ୟତା ସାଇନା ୨୧-୧୪, ୨୧-୧୯ରେ ସୁନ୍‌-ୟୁ େଓ୍ଵଣ୍ଡି ଚେନ୍‌କୁ ହରାଇ ୧-୦ରେ ଅଗ୍ରଣୀ ଦେଇଥିଲେ। ହେଲେ ଯୁଗଳରେ ମେଘନା ଜାକମ୍ପୁଡ଼ି ଓ ପୂର୍ବୀଶା ଏସ୍‌ ରାମ ୧୩-୨୧, ୧୬-୨୧ରେ ଅଷ୍ଟ୍ରେଲିଆର ଗ୍ରୋନୟା ସୋମରଭିଲେ ଓ ରେଣୁଗା ଭୀରାନଙ୍କଠୁ ହାରି ସ୍ଥିତି ୧-୧କୁ ଆଣିଥିଲେ। ତେବେ ଦ୍ୱିତୀୟ ଏକକରେ ବୈଷ୍ଣବୀ ରେଡ୍ଡୀ ଜାକ୍କା ୨୧-୧୭, ୨୧-୧୩ରେ ଜେନିଫର୍‌ ତାମ୍‌ଙ୍କୁ ହରାଇ ଭରତକୁ ପୁଣି ଥରେ ଅଗ୍ରଣୀ ଦେଇଥିଲେ। ଦ୍ୱିତୀୟ ଯୁଗଳ ମ୍ୟାଚ୍‌ରେ ସାନିଓଗିତା ଘୋରପାଦେ ଓ ପ୍ରଜକ୍ତା ସାଓ୍ଵନ୍ତ ୨୧-୧୯, ୨୧-୧୧ରେ ଲୁଇସ୍‌ ମା ଓ ଆନ୍‌-ଲୁଇସ୍‌ ସ୍ଲିଙ୍କୁ ଏବଂ ତୃତୀୟ ଏକକରେ ୧୯ ବର୍ଷୀୟା ଅନୁରା ପ୍ରଭୂଦେଶାଇ ୨୧-୧୬, ୨୧-୭ରେ ଜେସିଲି ପଙ୍ଗ୍‌ଙ୍କୁ ପରାସ୍ତ କରି ଭାରତକୁ ୪-୧ରେ ବିଜୟ ଭେଟି ଦେଇଥିଲେ। ଭାରତ ବୁଧବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଶୀର୍ଷ ମାନ୍ୟତା ଦଳ ଜାପାନକୁ ଭେଟିବ। ଏହି ମ୍ୟାଚ୍‌ ଜିତିଲେ ଭାରତ ପ୍ରତିଯୋଗିତାରେ ତିଷ୍ଠି ରହିବ ନଚେତ୍‌ ବିଦା ହେବ।

ସମ୍ବନ୍ଧିତ ଖବର