ବିଜୟ ହଜାରେ ଟ୍ରଫି: ଶାନ୍ତନୁଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ, ଓଡ଼ିଶାର ପ୍ରଥମ ବିଜୟ

ଝାଡ଼ଖଣ୍ତ ବିପକ୍ଷରୁ ଓଡ଼ିଶା ମହିଳାଙ୍କ ଅଭିଯାନ

କଟକ: ହ୍ୟାଟ୍ରିକ୍ (କ୍ରମାଗତ ୩) ପରାଜୟ ପରେ ଚଳିତ ବିଜୟ ହଜାରେ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ଆଲୁର କ୍ରିକେଟ୍‌ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୭ ଵିକେଟ୍‌ରେ ବିହାରକୁ ପରାସ୍ତ କରିଛି। ଟସ୍‌ ଜିତି ବ୍ୟାଟି˚ ନେଇଥିବା ବିହାର ନିର୍ଧାରିତ ଓଭର ସୁଦ୍ଧା ୭ ଵିକେଟ୍‌ ବିନିମୟରେ ୨୫୫ ରନ୍‌ କରିଥିଲା। ଜବାବରେ ଓଡ଼ିଶା ଏହି ଲକ୍ଷ୍ୟକୁ ୪୮.୧ ଓଭରରେ ୩ ଵିକେଟ୍‌ କ୍ଷତିରେ ହାସଲ କରିନେଇଥିଲା। ଅଧିନାୟକ ଶାନ୍ତନୁ ମିଶ୍ରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ପ୍ରତିଯୋଗିତାରେ ପ୍ରଥମ ବିଜୟର ସ୍ବାଦ ଚାଖିପାରିଛି।

ଏହି ମ୍ୟାଚ୍‌ରେ ଓଡ଼ିଶା ପାଇଁ ରାକେଶ ପଟ୍ଟନାୟକ ଓ ପ୍ରବୀଣ ଲୁହା ଦିନିକିଆ ପଦାର୍ପଣ କରିଥିଲେ। ପ୍ରଥମେ ବ୍ୟାଟି˚ କରିଥିବା ବିହାର ପାଇଁ ମଙ୍ଗଲ ମହରୋର‌୍‌ ଓ ସକିବୁଲ ଗନି ପାଳି ଗଢିବା ଦାୟିତ୍ବ ନେଇଥିଲେ। ଉଭୟ ଆରମ୍ଭରୁ ରକ୍ଷଣାତ୍ମକ ଖେଳିବା ସହ ୨୦ ଓଭର ପର୍ଯ୍ୟନ୍ତ ଓଡ଼ିଶା ବୋଲରଙ୍କୁ କୌଣସି ସୁଯୋଗ ଦେଇନଥିଲେ। ଉଭୟଙ୍କ ମଧ୍ୟରେ ୯୫ ରନ୍‌ର ଭାଗୀଦାରି ହେବା ପରେ ଗନି (୪୮)ଙ୍କୁ ଶାନ୍ତନୁ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଗୋଟିଏ ଓଭର ବ୍ୟବଧାନ ପରେ ମଙ୍ଗଲ (୩୮) ଶାନ୍ତନୁଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ସେହି ଓଭରର ଶେଷ ବଲ୍‌ରେ ଯଶସ୍ବୀ ଋଷଭଙ୍କୁ ୨ ରନ୍‌ରେ ଶାନ୍ତନୁ ଆଉଟ କରି ଓଡ଼ିଶାକୁ ଲଗାତାର ସଫଳତା ଦେଇଚାଲିଥିଲେ। ମଧ୍ୟକ୍ରମରେ ବବୁଲ କୁମାର ଗୋଟିଏ ପଟରୁ ପାଳି ସମ୍ଭାଳିବା ସହ ଦଳକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ। ସେ ୭୮ ରନ୍‌ କରି ଆଉଟ୍‌ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶଶୀମ ରଥୋଡ ୨୭, ବିକାଶ ର˚ଜନ ୨୦, ଅନୁଜ ରାଜ ୨୨* ରନ୍‌ କରି ଆଉଟ ହୋଇଥିଲେ। ଶାନ୍ତନୁଙ୍କ ବ୍ୟତୀତ ରାଜେଶ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇଟି ଲେଖାଏଁ ଵିକେଟ୍‌ ପାଇଥିଲେ।

ଆଉ ଏକ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଥିବାରୁ ଓଡ଼ିଶା ପ୍ରାରମ୍ଭିକ ଯୋଡ଼ିରେ ପରିବର୍ତ୍ତନ କରିଥିଲା। ଶାନ୍ତନୁ ମିଶ୍ର ଓ ସନ୍ଦୀପ ପଟ୍ଟନାୟକ ପାଳି ଆରମ୍ଭ କରିଥିଲେ। ଉଭୟ ଦୃଢ ମୂଳଦୁଆ ପକାଇବା ସହ ଶତକୀୟ ଭାଗୀଦାରି ଗଢ଼ିଥିଲେ। ସନ୍ଦୀପ ୬୪ (୮୧ ବଲ୍‌, ୧୦ ଚୌକା) ଓ ଶାନ୍ତନୁ ୭୬ (୧୦୭ ବଲ୍‌, ୬ ଚୌକା, ୧ ଛକା) ନିଜ ନିଜର ମୂଲ୍ୟବାନ ଅର୍ଦ୍ଧଶତକ ପୂରଣ କରିବା ପରେ ଆଉଟ ହୋଇଥିଲେ। ଶୁଭ୍ରା˚ଶୁ ସେନାପତି ପୁଣି ଥରେ ବିଫଳ ହେବା ସହ ମାତ୍ର ୧୧ ରନ୍‌ରେ ନିଜ ଵିକେଟ ହରାଇଥିଲେ। ତେବେ କାର୍ତ୍ତିକ ବିଶ୍ବାଳ ଓ ଅଙ୍କିତ ଯାଦବ ବିହାର ବୋଲରଙ୍କୁ ଆଉ ସୁଯୋଗ ନଦେଇ ବିଜୟ ମୁଣ୍ତି ମାରିଥିଲେ। ଓଡ଼ିଶା ଜିତିବା ବେଳକୁ କାର୍ତ୍ତିକ (୫୩*) ଅର୍ଧଶତକ ଅର୍ଜନ କରି ଏବଂ ଅଙ୍କିତ ୪୩* ରନ୍‌ରେ ଅପରାଜିତ ଥିଲେ।

ସ˚କ୍ଷିପ୍ତ ସ୍କୋର: ବିହାର ୫୦ ଓଭରରେ ୨୫୫/୭: ବବୁଲ କୁମାର ୭୮, ସକିବୁଲ ଗନି ୪୮, ମଙ୍ଗଲ ମହରୋର‌୍‌ ୩୮, ଶାନ୍ତନୁ ମିଶ୍ର ୩/୪୬, ରାଜେଶ ମହାନ୍ତି ୨/୪୦, ସୂର୍ଯ୍ୟକାନ୍ତ ପ୍ରଧାନ ୨/୬୬। ଓଡ଼ିଶା ୪୮.୧ ଓଭରରେ ୨୫୮/୩ : ଶାନ୍ତନୁ ମିଶ୍ର ୭୬, ସନ୍ଦୀପ ପଟ୍ଟନାୟକ ୬୪, କାର୍ତ୍ତିକ ବିଶ୍ବାଳ ୫୩*, ଅଙ୍କିତ ଯାଦବ ୪୩*, ରାହୁଲ କୁମାର ୧/୩୭।

ଝାଡ଼ଖଣ୍ତ ବିପକ୍ଷରୁ ଓଡ଼ିଶା ମହିଳାଙ୍କ ଅଭିଯାନ

କଟକ: ଆସନ୍ତା ମାର୍ଚ୍ଚ ୧୧ ତାରିଖରୁ ଜାତୀୟ ବରିଷ୍ଠ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତା ଆରମ୍ଭ ହେବ। ଓଡ଼ିଶା ଏହି ପ୍ରତିଯୋଗିତାର ଏଲିଟ୍‌ ଗ୍ରୁପ୍‌-ଏ’ରେ ଝାଡ଼ଖଣ୍ତ, ହାଇଦ୍ରାବାଦ, ଗୁଜୁରାଟ, ଛତିଶଗଡ଼ ଓ ତ୍ରିପୁରା ସହ ସ୍ଥାନ ପାଇଛି। ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ ଝାଡ଼ଖଣ୍ତ ସହ ଖେଳି ଅଭିଯାନ ଆରମ୍ଭ କରିବ। ୧୨ ତାରିଖରେ ଏହି ମ୍ୟାଚ୍‌ ଖେଳାଯିବ। ୧୪ ତାରିଖରେ ଦ୍ବିତୀୟ ମ୍ୟାଚ୍‌ରେ ହାଇଦ୍ରାବାଦ, ୧୫ ତାରିଖରେ ତୃତୀୟ ମ୍ୟାଚ୍‌ରେ ତ୍ରିପୁରା, ୧୮ ତାରିଖରେ ଚତୁର୍ଥ ମ୍ୟାଚ୍‌ରେ ଛତିଶଗଡ଼, ୨୦ ତାରିଖରେ ପଞ୍ଚମ ମ୍ୟାଚ୍‌ରେ ଗୁଜୁରାଟକୁ ଭେଟିବ ଓଡ଼ିଶା। ଏହି ଗ୍ରୁପ୍‌ର ସମସ୍ତ ମ୍ୟାଚ୍‌ ସୁରଟରେ ଖେଳାଯିବ। ମାର୍ଚ୍ଚ ୪ ତାରିଖରୁ ଦଳଗୁଡ଼ିକ ସେମାନଙ୍କ ଧାର୍ଯ୍ୟ ସ୍ଥାନରେ ପହଞ୍ଚିବା ପରେ ତିନିଟି ପର୍ଯ୍ୟାୟରେ କରୋନା ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଲିଗ୍‌ ପର୍ଯ୍ୟାୟ ପରେ ଏବଂ ନକ୍‌ଆଉଟ ପର୍ଯ୍ୟାୟ ପୂର୍ବରୁ ମାର୍ଚ୍ଚ ୨୨ ତାରିଖରୁ ପୁଣି ଦୁଇଥର କରୋନା ପରୀକ୍ଷା କରାଯିବ। ୨୯ ଓ ୩୦ ତାରିଖରେ କ୍ବାର୍ଟର ଫାଇନାଲ୍‌, ଏପ୍ରିଲ ୧ ତାରିଖରେ ସେମି ଫାଇନାଲ ଓ ଏପ୍ରିଲ ୪ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର