ବିଜୟ ଭାରୋତ୍ତୋଳନ ଅଗ୍ରଜ

ଭୁବନେଶ୍ୱର: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଶା ପାଇଁ ଭାରୋତ୍ତୋଳନ ପଦକ ଜିତିବାର ପର୍ବ ଆରମ୍ଭ କରିଥିଲେ ବ୍ରହ୍ମପୁରର ଶ୍ରେଷ୍ଠ କ୍ରୀଡ଼ା ବ୍ୟକ୍ତିତ୍ୱ ବିଜୟ ଶତପଥୀ। ୧୯୮୨ ମସିହାରେ ଅଷ୍ଟ୍ରେଲିଆର ବ୍ରିସ୍‌ବନ୍‌ରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦ୍ୱାଦଶ ସଂସ୍କରଣରେ ଭାରାତ୍ତୋଳନର ତତ୍‌କାଳୀନ ବାଣ୍ଟମଓ୍ଵଟ୍‌ ବର୍ଗର ଓଭରଅଲ୍‌ରେ ରୌପ୍ୟ ପଦକ ଜିତିଥିଲେ ଏହି ବୀର ହନୁମାନ କ୍ଲବ୍‌ ପ୍ରତିଭା। ବିଜୟଙ୍କ ଏହି ଐତିହାସିକ ବିଜୟରୁ ହିଁ ଓଡ଼ିଶା କ୍ରୀଡ଼ାରେ ନୂଆ ଫର୍ଦ ଯୋଡ଼ି ହୋଇଥିଲା। ୧୯୮୧ ପାଇଁ ସେ ଅର୍ଜୁନ ପୁରସ୍କାର ବିଜେତା ହୋଇ ମଧ୍ୟ ଓଡ଼ିଶାର ଗୌରବ ବଢ଼ାଇଥିଲେ। ବିଜୟଙ୍କ ଏହି ବିଜୟ ହିଁ ଓଡ଼ିଶା ଭରୋତ୍ତୋଳନକୁ ଭାରି ଗମ୍ଭୀର କରି ଦେଇଥିଲା। ବହ୍ମପୁର ବୀର ହନୁମାନ କ୍ଲବ୍‌ରୁ ଖେଳ ଜୀବନ ଗଢ଼ିଥିବା ବିଜୟ ଶତପଥୀ କିଛି ଦିନ ପାଇଁ ଭାରତୀୟ ସେନାରେ କାମ କରିଥିଲେ। ପରବର୍ତୀ ସମୟରେ ରେଳବାଇରେ ନିଯୁକ୍ତ ହୋଇ ଅବସର ନେଇଥିଲେ। କିନ୍ତୁ ତାଙ୍କ ଜାତୀୟ ଓ ଅନ୍ତର୍ଜାତୀୟ ଖେଳ ଜୀବନ ଜାଜୁଲ୍ୟମାନ ରହିଥିଲା। ୧୯୯୨ ରାଜ୍ୟଗୋଷ୍ଠୀ କ୍ରୀଡ଼ା ରୌପ୍ୟ ଏବଂ ୧୯୯୦ ଏସୀୟ କୀଡ଼ା କାଂସ୍ୟ ପଦକ ତାଙ୍କୁ ଶିଖରରେ ପହଞ୍ଚାଇଥିଲା। ୧୯୭୯ ମସିହାରୁ ୧୯୮୪ ମସିହା ପର୍ଯ୍ୟନ୍ତ ଜାତୀୟ ବିଜେତା ରହିଥିବା ବିଜୟ ଅଷ୍ଟ୍ରେଲିଆରେ ମିନି ରାଜ୍ୟଗୋଷ୍ଠୀ କ୍ରୀନାରେ ସ୍ୱର୍ଣ୍ଣ, ପାକିସ୍ତାନରେ ଅନ୍ତର୍ଜାତୀୟ ଭାରୋତ୍ତୋଳନରେ ସ୍ୱର୍ଣ୍ଣ ଏବଂ ଦାମାସକସ୍‌ରେ କାଂସ୍ୟ ପଦକ ଜିତିବାର ଗୌରବ ପାଇଥିଲେ। କ୍ରୀଡ଼ା କ୍ଷେତ୍ରକୁ ଆଜୀବନ ଅବଦାନ ଲାଗି ରାଜ୍ୟ ସରକାର ତାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ଏବଂ ସହିଦ ସ୍ପୋର୍ଟିଂ କ୍ଲବ୍‌ କମଲ ଗାଙ୍ଗୁଲି ସମ୍ମାନ ପ୍ରଦାନ କରିଥିଲା। ରାଜ୍ୟର ସଫଳତମ କ୍ରୀଡ଼ା ଭାବେ ଭାରୋତ୍ତୋଳନକୁ ଆଗକୁ ନେବାରେ ସେ ଥିଲେ ଅଗ୍ରଜ।

ସମ୍ବନ୍ଧିତ ଖବର