କଶ୍ମୀରରେ ପୁଣି ଆତଙ୍କବାଦୀ ଆକମ୍ରଣ

ଏସ୍‌ପିଓ ସହିଦ୍‌, ଜଣେ ଗୁରୁତର

ଶୀନଗର: ଜମ୍ମୁ-କଶ୍ମୀରରେ ଆଜି ଆତଙ୍କବାଦୀମାନେ ପୁଣି ୨ଟି ସ୍ଥାନରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଜଣେ ଏସ୍‌ପିଓ ସହିଦ ହୋଇଛନ୍ତି ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ଏହା ସହିତ ଅନ୍ୟ ଜଣେ ସାଧାରଣ ନାଗରିକ ଗୁଳିମାଡ଼ରେ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ମିଳିଥିବା ଖବର ମୁତାବକ, ଅନନ୍ତନାଗର ଖନଓ୍ଵାଲ ଅଞ୍ଚଳରେ ଟ୍ରାଫିକ୍‌ ଡ୍ୟୁଟିରେ ଥିବା ଏସ୍‌ପିଓ ତ୍ରିଲୋକ ସିଂହଙ୍କୁ ଦୁଇ ଜଣ ଆତଙ୍କବାଦୀ ଅତର୍କିତ ଭାବେ ଗୁଳିମାଡ କରି ହତ୍ୟା କରିଥିଲେ। ଏହାପରେ ଆତଙ୍କବାଦୀମାନେ ନିକଟସ୍ଥ ଏକ ଫାଣ୍ଡି ଉପରେ ଆକ୍ରମଣ ଉଦ୍ୟମ କରି ବିଫଳ ହୋଇଥିଲେ ଏବଂ ସେଠାରୁ ଫେରାର ହୋଇଯିବାରେ ସକ୍ଷମ ହୋଇଥିଲେ। ଆତଙ୍କବାଦୀମାନେ ସ୍ୱୟଂଚାଳିତ ବନ୍ଧୁକ ବ୍ୟବହାର କରିଥିବା ବେଳେ ସେମାନେ ନିକଟରେ ଅନୁପ୍ରବେଶ କରିଥିବା ପାକ୍‌ ଆତଙ୍କବାଦୀ ବୋଲି ସନ୍ଦେହ କରାଯାଉଛି । ସେହିଭଳି ଦକ୍ଷିଣ କଶ୍ମୀରର ପୁଲଓ୍ଵାମା ଜିଲ୍ଲା ମୁରନ୍‌ ଛକ ନିକଟରେ ମହମ୍ମଦ ଅସରଫ ମୀର୍‌ ନାମକ ଜଣେ ଏସ୍‌ପିଓଙ୍କୁ ମଧ୍ୟ କିଛି ଦୁର୍ବୃତ୍ତ ଗୁଳିମାଡ କରି ଫେରାର୍‌ ହୋଇଯାଇଛନ୍ତି। ଏହି ଘଟଣାରେ ସ୍ଥାନୀୟ ଆତଙ୍କବାଦୀଙ୍କ ହାତଥିବା ସନ୍ଦେହ କରାଯାଉଛି। ଅନୁପ୍ରବେଶ କରିଥିବା ଆତଙ୍କବାଦୀଙ୍କ ମଧ୍ୟରୁ ଦୁଇଦିନ ତଳେ ୪ ଜଣଙ୍କୁ ସୁରକ୍ଷା ବାହିନୀ ନିପାତ କରିବାରେ ସକ୍ଷମ ହୋଇଥିଲା। ତେବେ ଆହୁରି ୩ ଜଣ ଆତଙ୍କବାଦୀ ଖସିଯାଇଥିଲେ। ସେମାନଙ୍କୁ ନିପାତ କରିବା ପାଇଁ ଆଜି ଅପରାହ୍ନରୁ ପୁଣି ବଡ଼ ଧରଣର କମ୍ବିଂ ଅପରେସନ ଆରମ୍ଭ ହୋଇଛି। ଦୁଇ ଦିନ ମଧ୍ୟରେ ରାଜ୍ୟରେ ୫ଟି ଆତଙ୍କବାଦୀ ଆକ୍ରମଣ ହୋଇଥିବା ବେଳେ ଏଥିରେ ୨ ଜଣ ଏସ୍‌୍‌ପିଓ ସହିଦ ହୋଇଯାଇଛନ୍ତି।

ସମ୍ବନ୍ଧିତ ଖବର