ବିରାଟଙ୍କ ବିଶ୍ବକପ୍‌ ସେନା : ପନ୍ତ୍ ପାଇଲେନି; କାର୍ତିକ, ରାହୁଲ, ଶଙ୍କରଙ୍କୁ ସୁବର୍ଣ୍ଣ ସୁଯୋଗ

ମୁମ୍ବାଇ: ସାତ ସପ୍ତାହ ପରେ ଇଂଲଣ୍ଡରେ ଆରମ୍ଭ ହେବାକୁ ଯାଉଥିବା ଆଇସିସି ବିଶ୍ବକପ୍‌ ଲାଗି ଭାରତୀୟ ଦଳ ସୋମବାର ଘୋଷିତ ହୋଇଛି। ଯୁବ ୱିକେଟରକ୍ଷକ ଋଷବ ପନ୍ତ୍‌ ଏବଂ ବ୍ୟାଟସମ୍ୟାନ୍‌ ଅମ୍ବାତି ରାୟୁଡୁଙ୍କୁ ସୁଯୋଗ ମିଳିନଥିବା ବେଳେ ବ୍ୟାଟସମ୍ୟାନ୍‌ ଲୋକେଶ ରାହୁଲ, ୱିକେଟରକ୍ଷକ ଦୀନେଶ କାର୍ତିକ, ଅଲରାଉଣ୍ଡର୍‌ ବିଜୟ ଶଙ୍କର ଏବଂ ରବୀନ୍ଦ୍ର ଜାଦେଜାଙ୍କୁ ବିରାଟ କୋହଲିଙ୍କ ବିରାଟ ସେନା ବାହିନୀରେ ସାମିଲ କରାଯାଇଛି। ଭାରତ ଏହି ଦଳରେ ୨ ଜଣ ଆଗଧାଡ଼ିର ସ୍ପିନ୍‌ର କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲଙ୍କୁ ନେଇଥିବା ବେଳେ ରବୀନ୍ଦ୍ର ଜାଦେଜା ଏବଂ କେଦାର ଯାଦବ ବି ଫଳପ୍ରଦ ହୋଇପାରନ୍ତି। ପେସ୍ ବାହିନୀରେ ଯଶପ୍ରୀତ୍ ବୁମରା, ଭୁବନେଶ୍ବର କୁମାର, ମହମ୍ମଦ ସାମିଙ୍କ ସହିତ ୩ ଅଲରାଉଣ୍ଡର୍‌ ରବୀନ୍ଦ୍ର ଜାଦେଜା, ହାର୍ଦିକ ପାଣ୍ଡ୍ୟା ଏବଂ ବିଜୟ ଶଙ୍କର ରହିଛନ୍ତି। ଭାରତର ବ୍ୟାଟିଂ ଭାର ରୋହ‌ିତ ଶର୍ମା, ଶିଖର ଧାୱନ, ବିରାଟ କୋହଲି, ମହେନ୍ଦ୍ର ସିଂହ ଧୋନି, ଲୋକେଶ ରାହୁଲ, ଦୀନେଶ କାର୍ତିକ, କେଦାର ଯାଦବଙ୍କ ଉପରେ ରହିବ।

ସୋମବାର ମୁମ୍ବାଇସ୍ଥିତ ବିସିସିଆଇ ମୁଖ୍ୟାଳୟରେ ଅଧିନାୟକ ବିରାଟ କୋହଲିଙ୍କ ସହିତ ଜାତୀୟ ଚୟନ ସମିତି ମୁଖ୍ୟ ଏମ୍‌ଏସ୍‌କେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ପରେ ଇଂଲଣ୍ଡ ବିଶ୍ବକପ୍‌ ଲାଗି ୧୫ ଜଣିଆ ଚୂଡ଼ାନ୍ତ ଦଳ ଘୋଷିତ ହୋଇଥିଲା। ଅଧିକାଂଶ ସ୍ଥାନ ପାଇଁ ପୂର୍ବରୁ ଚୟନକର୍ତାମାନେ ପ୍ରାୟତଃ ମନସ୍ଥିର କରି ସାରିଥିବା ବେଳେ ୪ ନମ୍ବର ସ୍ଥାନ ଏବଂ ସଂରକ୍ଷିତ ୱିକେଟରକ୍ଷକ ଲାଗି ବିତର୍କ ଶେଷ ପର୍ଯ୍ୟନ୍ତ ରହିଥିଲା। ଶେଷକୁ ୪ ନମ୍ବର ପାଇଁ ଲୋକେଶ ରାହୁଲ ଏବଂ ବିଜୟ ଶଙ୍କରଙ୍କୁ ବିକଳ୍ପ ଭାବେ ନିଆଯାଇଥିବା ବେଳେ ଦୀନେଶ କାର୍ତିକ ନିର୍ଭରଯୋଗ୍ୟ ୱିକେଟରକ୍ଷକ ଭାବେ ପନ୍ତ୍‌ଙ୍କୁ ପଛରେ ପକାଇ ଦେଇଥିଲେ। ପନ୍ତଙ୍କୁ କାହିଁକି ଦଳରେ ନିଆଗଲା ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରସାଦଙ୍କୁ ପ୍ରଶ୍ନ ବାଣରେ ସମ୍ମୁଖୀନ ହେବାକୁ ପଡ଼ିଥିଲା।‌ ‘ଏହା ନିଶ୍ଚିତ ଭାବେ ଆମ ପାଇଁ ଲମ୍ବା ବିତର୍କର କାରଣ ସାଜିଥିଲା। ମହେନ୍ଦ୍ର ସିଂହ ଧୋନିଙ୍କ ଆହତ ପରିସ୍ଥିତିରେ ହିଁ ଋଷବ ପନ୍ତ୍‌ କିମ୍ବା ଦୀନେଶ କାର୍ତିକ‌ ଖେଳିବା ସୁଯୋଗ ପାଇଥାନ୍ତେ। ବିଶେଷ କରି ଗୁରୁତ୍ବପୂର୍ଣ୍ଣ ପରିସ୍ଥିତିରେ ୱିକେଟରକ୍ଷଣ ହିଁ ନିର୍ଣ୍ଣାୟକ ହୋଇଥାଏ’ ବୋଲି କହିଥିଲେ ପ୍ରସାଦ। ଚାପ ପରିସ୍ଥିତିରେ ଦୀନେଶ କାର୍ତିକ ଅତୀତରେ ମ୍ୟାଚ୍‌ ଶେଷ କରିବାର ଦକ୍ଷତା ଦେଖାଇଛନ୍ତି। ଏହା ହିଁ କାର୍ତିକଙ୍କ ସପକ୍ଷରେ ଗଲା। ପନ୍ତ୍‌ଙ୍କ ନିକଟରେ ପ୍ରତିଭାର ଅଭାବ ନାହିଁ, ତାଙ୍କ ପାଇଁ ଯଥେଷ୍ଟ ସମୟ ରହିଛି ବୋଲି ପ୍ରସାଦ ପ୍ରକାଶ କରିଥିଲେ। ୪ ନମ୍ବର ସ୍ଥାନ ବିକଳ୍ପ ନେଇ କୋହଲି ଗତ ଅକ୍ଟୋବରରେ ରାୟୁଡୁଙ୍କୁ ସମର୍ଥନ କରିଥିଲେ। ଦିନିକିଆ ପ୍ରତ୍ୟାବର୍ତନ କରିବାର ୨୦ ପାଳିରେ ସେ ୧୪ ଥର ୪ ନମ୍ବରରେ ବ୍ୟାଟିଂ କରିଥିଲେ ମଧ୍ୟ ୪୨.୧୮ ହାର ଏବଂ ୮୫.୬୦ ଷ୍ଟ୍ରାଇକ୍‌ ରେଟ୍‌ରେ ବ୍ୟାଟିଂ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ସେ ମାତ୍ର ୨ ଦିନିକିଆ ଖେଳିଥିଲେ। ନ୍ୟୁଜିଲାଣ୍ଡ୍ ଗସ୍ତରେ ସେ କିନ୍ତୁ ସର୍ବାଧିକ ୧୯୦ ରନ୍ ସଂଗ୍ରହ କରିଥିଲେ। ସେଥର ୬୩.୩୩ ହାର ଏବଂ ୮୨.୨୫ ଷ୍ଟ୍ରାଇକ୍ ରେଟ୍‌ରେ ଖେଳିଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ତାଙ୍କ ଖରାପ ଫର୍ମ ହିଁ ଅନ୍ୟମାନଙ୍କୁ ବିଚାରକୁ ଆଣିଥିଲା ବୋଲି ପ୍ରସାଦ କହିଥିଲେ। ବି‌ଶେଷ କରି ବିଜୟ ଶଙ୍କର ଚିତ୍ରପଟକୁ ଆସିଥିଲେ। ଯିଏକି ପୂର୍ବରୁ କେବେ ବି ଦିନିକିଆରେ ୪ ନମ୍ବରରେ ବ୍ୟାଟିଂ କରିନଥିଲେ। ୨୦୧୭ ମସିହା ଚାମ୍ପିଅନ୍ସ ଟ୍ରଫି ପରେ ମଧ୍ୟକ୍ରମରେ ଆମେ କିଛିଙ୍କୁ ସୁଯୋଗ ଦେଇଥିଲୁ। ଦୀନେଶ କାର୍ତିକ ଏହି ଧାରାକୁ ଆସିଥିଲେ। ଶ୍ରେୟସ ଆୟର ଏବଂ ମନୀଷ ପାଣ୍ଡେଙ୍କ ସହିତ ରାୟୁଡୁଙ୍କୁ ବି ସୁଯୋଗ ମିଳିଥିଲା। କିନ୍ତୁ ବିଜୟ ଶଙ୍କରଙ୍କ ତ୍ରିମୁଖୀ ପ୍ରତିଭା ତାଙ୍କୁ ସୁଯୋଗ ଦେଲା। ବ୍ୟାଟିଂ ସହିତ ଇଂଲଣ୍ଡର ସମ୍ଭାବ୍ୟ ମେଘଯୁକ୍ତ ପରିବେଶରେ ତାଙ୍କ ବୋଲିଂ ଫଳପ୍ରଦ ହୋଇପାରିବି। ଏହା ବ୍ୟତୀତ ସେ ଜଣେ ଚମତ୍କାର କ୍ଷେତ୍ରରକ୍ଷକ ବୋଲି ପ୍ରସାଦ କହିଥିଲେ।

ଋଷବ ପନ୍ତଙ୍କ ତୁଳନାରେ ଚଳିତ ଆଇପ‌ିଏଲ୍‌ରେ ଦୀନେଶ କାର୍ତିକ ଖରାପ ଖେଳୁଥିଲେ ମଧ୍ୟ ଏହି ଲିଗ୍‌ ପ୍ରଦର୍ଶନକୁ ବିଚାରକୁ ନିଆଯିବ ନାହିଁ ବୋଲି ପୂର୍ବରୁ କୁହାଯାଇଥିଲା। ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆରେ ଟେଷ୍ଟ୍‌ ଶତକ ହାସଲ କରିଥିବା ପନ୍ତ୍‌ଙ୍କୁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ ଦଳରେ ନିଆଯାଇଥିଲା। ଅନ୍ୟପକ୍ଷରେ କାର୍ତିକଙ୍କ ବିଗତ କିଛି ମ୍ୟାଚ୍‌ର ବିଜୟୀ ପାଳି ହିଁ ତାଙ୍କୁ ବିଶ୍ବକପ୍‌ ହକ୍‌ଦାର କରିଥିଲା। ନ୍ୟୁଜିଲାଣ୍ଡ୍‌ ବିପକ୍ଷରେ ବଲ୍‌ ପିଛା ୩୮* ରନ୍ ଏବଂ ଅଷ୍ଟ୍ରେଲିଆ ବିପକ୍ଷରେ ୧୪ ବଲରୁ ୨୫* ରନ୍‌ କରିବାରୁ ଭାରତ ୨ ବଲ୍ ପୂର୍ବରୁ ୨୯୯ ରନ୍‌କୁ ପଛରେ ପକାଇଥିଲା। ଏଥି ସହିତ ଗତବର୍ଷ ନିଦହାସ ଟ୍ରଫି ଫାଇନାଲରେ ବାଂଲାଦେଶ ବିପକ୍ଷରେ ଶେଷ ବଲ୍‌ ଛକା ବଳରେ ଭାରତକୁ ବିଜେତା ଟ୍ରଫି ଦେଇଥିବା କାର୍ତିକ ଏଥି ପାଇଁ ବିଶ୍ବକପ୍‌ ପୁରସ୍କାର ହାତେଇଛନ୍ତି।
ଦୁଇ ଥର ବିଶ୍ବକପ୍‌ ବିଜେତା ଭାରତ (୧୯୮୩ ଏବଂ ୨୦୧୧) ମେ’ ଶେଷ ସପ୍ତାହରେ ଇଂଲଣ୍ଡ ଗସ୍ତ କରିବ। ଜୁନ୍‌ ୫ ତାରିଖରେ ଦକ୍ଷିଣ ଆଫ୍ରିକା ସହିତ ହାମ୍ପସାୟାରରେ ଖେଳି ବିଶ୍ବକପ୍‌ ଅଭିଯାନ ଆରମ୍ଭ କରିବ। ଜୁନ୍‌ ୯ରେ ବି‌ଜେତା ଅଷ୍ଟ୍ରେଲିଆ ସହିତ ଦ ଓଭାଲରେ, ୧୩ ତାରିଖରେ ନ୍ୟୁଜିଲାଣ୍ଡ୍ ସହିତ ନଟିଂହାମରେ ଖେଳିବ। ପାରମ୍ପାରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ସହିତ ଜୁନ୍‌ ୧୬ରେ ଓଲ୍ଡ ଟ୍ରାଫୋର୍ଡରେ, ଜୁନ୍‌ ୨୨ରେ ଆଫଗାନିସ୍ତାନ ସହ ସାଉଥାମ୍ପଟନ୍‌ରେ, ୨୭ ତାରିଖରେ ୱେଷ୍ଟଇଣ୍ଡିଜ୍‌ ସହ ଓଲ୍ଡ ଟ୍ରାଫୋର୍ଡରେ ଖେଳିବ। ଏଜବା‌ଷ୍ଟନ୍‌ରେ ଭାରତ ଜୁନ୍‌ ୩୦ ଏବଂ ଜୁଲାଇ ୨ ତାରିଖରେ ଯଥାକ୍ରମେ ଇଂଲଣ୍ଡ ଓ ବାଂଲାଦେଶ ସହିତ ଖେଳିବ। ନବମ ତଥା ଶେଷ ଲିଗ୍‌ ମ୍ୟାଚ୍‌ ଶ୍ରୀଲଙ୍କା ସହିତ ଜୁଲାଇ ୬ରେ ଲିଡସରେ ଖେଳିବ। ଲିଗ୍‌ ଭିତ୍ତିକ ଏଥରର ବିଶ୍ବକପ୍‌ରେ ଶ୍ରେଷ୍ଠ ୪ ଦଳ ହିଁ ସେମିଫାଇନାଲ୍ ଯିବେ।

ସମ୍ବନ୍ଧିତ ଖବର