ସିଡ୍ନି: ବିଶ୍ୱକପ୍ ଲାଗି ସୋମବାର ୫ଥର ବିଜେତା ଅଷ୍ଟ୍ରେଲିଆ ଦଳ ଘୋଷିତ ହୋଇଛି। ଆରୋନ୍ ଫିଞ୍ଚ୍ଙ୍କ ନେତୃତ୍ୱରେ ଘୋଷିତ ଏହି ୧୫ ଜଣିଆ ଦଳକୁ ପୂର୍ବତନ ଅଧିନାୟକ ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ନର ଫେରିଛନ୍ତି। ବଲ୍ ବିକୃତ ମାମଲାରେ ଉଭୟଙ୍କୁ ଏକ ବର୍ଷ ଲେଖାଏଁ ବାସନ୍ଦ କରାଯାଇଥିଲା। ବାସନ୍ଦାଦେଶ ଗତ ମାସରେ ଶେଷ ହୋଇଥିଲା। ଏକମାତ୍ର ୱିକେଟ୍ରକ୍ଷକ ଭାବେ ଆଲେକ୍ସ କେରିଙ୍କୁ ସ୍ଥାନ ମିଳିଥିଲା ବେଳେ ଦୁଇ ଜଣ ସ୍ପିନର ନାଥନ ଲାୟନ ଓ ଆଦାମ ଜାମ୍ପା ଦଳରେ ରହିଛନ୍ତି। ପିଠି ଯନ୍ତ୍ରଣାରୁ ମୁକୁଳି ନଥିବାରୁ ଜୋସ୍ ହାଜେଲଉଡ୍ ନିଜ ପକ୍ଷରୁ ଓହରି ଯିବାରୁ ତାଙ୍କୁ ସ୍ଥାନ ମିଳିନି। ଦଳ ତାଙ୍କୁ ଆସେସ ଲକ୍ଷ୍ୟରେ ବିଶ୍ରାମ ଦେଇଛି। ଚଳିତ ଆଇପିଏଲ୍ରେ ଭଲ ପ୍ରଦର୍ଶନ କରୁଥିବା ଦ୍ରୁତ ବୋଲର ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ନାଥନ କଲ୍ଟର-ନାଇଲ, ଝାଏ ରିଚାର୍ଡସନ୍ ଓ ଜାସନ୍ ବେହରେନ୍ଡର୍ଫଙ୍କ ଉପରେ ଅଷ୍ଟ୍ରେଲିଆ ଚୟନ ସମିତି ଭରସା କରିଛି। ଅଷ୍ଟ୍ରେଲିଆ ଜୁନ୍ ପହିଲାରେ ଆଫ୍ଗାନିସ୍ତାନ ସହ ଖେଳି ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ।
ଅଷ୍ଟ୍ରେଲିଆ ଦଳ: ଆରୋନ୍ ଫିଞ୍ଚ୍ (ଅଧିନାୟକ), ଉସମାନ ଖୱାଜା, ଡେଭିଡ୍ ଓ୍ବାର୍ନର, ଷ୍ଟିଭ ସ୍ମିଥ୍, ସନ୍ ମାର୍ସ, ଗ୍ଲେନ୍ ମ୍ୟାକ୍ସଓ୍ବେଲ, ମାର୍କସ ଷ୍ଟୋଇନିସ, ଆଲେକ୍ସ କେରି, ପ୍ୟାଟ୍ କମିନ୍ସ, ମିଚେଲ ଷ୍ଟାର୍କ, ଝାଏ ରିଚାର୍ଡସନ, ନାଥନ କଲ୍ଟର-ନାଇଲ, ଜାସନ ବେହରେନଡର୍ଫ, ନାଥନ ଲାୟନ ଓ ଆଦାମ ଜାମ୍ପା।
ପୂର୍ବବର୍ତ୍ତୀ ଖବର
ସମ୍ବନ୍ଧିତ ଖବର