ସନ୍‌ରାଇଜର୍ସର ନେତୃତ୍ବକୁ ଫେରିଲେ ୱାର୍ନର

ହାଇଦ୍ରାବାଦ: ବଲ୍‌ ବିକୃତ ମାମଲାରେ ଛନ୍ଦି ହୋଇ ଆନ୍ତର୍ଜାତିକ ବାସନ୍ଦ ଯୋଗୁଁ ଆଇପିଏଲ୍‌ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌)ର ୨୦୧୮ ଓ ୨୦୧୯ ସଂସ୍କରଣରୁ ବାଦ୍‌ ପଡ଼ିଥିବା ଅଷ୍ଟ୍ରେଲୀୟ ତାରକା ଡେଭିଡ୍‌ ୱାର୍ନର ପୁନର୍ବାର ସନ୍‌ରାଇଜର୍ସ ହାଇଦ୍ରାବାଦ ଦଳର ନେତୃତ୍ବକୁ ଫେରିଛନ୍ତି। ଗତ ଦୁଇ ସଂସ୍କରଣରେ ତାଙ୍କ ବଦଳରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମ୍‌ସନ୍‌ ଏହି ଫ୍ରାଞ୍ଚାଇଜ୍‌ର ନେତୃତ୍ବ ନେଇଥିଲେ। ହେଲେ ଆଗାମୀ ସଂସ୍କରଣ ପାଇଁ ୱାର୍ନରଙ୍କୁ ଅଧିନାୟକ ଦାୟିତ୍ବ ମିଳିଯାଇଛି। ସେ ୱିଲିୟମ୍‌ସନ୍‌ଙ୍କଠାରୁ ଏହି ଦାୟିତ୍ବ ଗ୍ରହଣ କରିବେ ବୋଲି ହାଇଦ୍ରାବାଦ ଦଳ ଘୋଷଣା କରିଛି। ଏହା ପୂର୍ବରୁ ୱାର୍ନର ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ଅଧିନାୟକ ରହିଥିଲେ। ସେ ମଧ୍ୟ ଦଳକୁ ୨୦୧୬ରେ ବିଜେତା କରାଇଥିଲେ। ୱାର୍ନର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ୪୫ ମ୍ୟାଚ୍‌ରେ ନେତୃତ୍ବ ଦେଇଥିଲା ବେଳେ ସେଥିରୁ ୨୬ ବିଜୟ ପାଇଥିଲେ। ୱାର୍ନରଙ୍କ ନେତୃତ୍ବରେ ଦଳର ବିଜୟ-ପରାଜୟ ଅନୁପାତ ୧.୩୬୮ ଥିଲା। ତୁଳନାତ୍ମକ ଭାବେ ୱିଲିୟମ୍‌ସନ୍‌ଙ୍କ ‌‌ନେତୃତ୍ବରେ ଦଳ ୨୬ ମ୍ୟାଚ୍‌ ଖେଳି ୧୪ ବିଜୟ ପାଇଥିଲା। ଯେଉଁଥିରେ କି ବିଜୟ-ପରାଜୟ ଅନୁପାତ ୧.୨୭୨ ଥିଲା। ଆଗାମୀ ସଂସ୍କରଣ ଆସନ୍ତା ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହେବ। ୱିଲିୟମ୍‌ସନ୍‌ଙ୍କ ନେତୃତ୍ବରେ ଗତବର୍ଷ ଏଲିମିନେଟର୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ନିକଟରୁ ହାରି ପଏଣ୍ଟ୍‌ ତାଲିକାର ଚତୁର୍ଥ ସ୍ଥାନରେ ଅଭିଯାନ ଶେଷ କରିଥିଲା।

ସମ୍ବନ୍ଧିତ ଖବର