ବିଶ୍ୱକପ୍‌: ବାଂଲାଦେଶକୁ ୨୮ ରନ୍‌ରେ ହରାଇ ସେମିଫାଇନାଲରେ ଭାରତ, ବୁମରାଙ୍କୁ ୪ ଓ୍ଵିକେଟ୍‌

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ ଓ୍ଵିକେଟ୍‌

ବର୍ମିଂହାମ୍‌: ଆଇସିସି ବିଶ୍ୱକପ୍‌ର ୪୦ତମ ମ୍ୟାଚ୍‌ରେ ମଙ୍ଗଳବାର ବାଂଲାଦେଶକୁ ଭାରତ ୨୮ ରନ୍‌ରେ ପରାସ୍ତ କରି ସେମିଫାଇନାଲ ପାଇଁ ସ୍ଥାନ ସୁରକ୍ଷିତ କରିପାରିଛି। ଭାରତକୁ ଏହି ସ୍ଥାନ ରଖିବା ପାଇଁ ଅତିକମରେ ଗୋଟିଏ ପଏଣ୍ଟ ଆବଶ୍ୟକ ଥିବା ବେଳେ ଏହା ସହଜରେ ହାସଲ କରିପାରିଛି। ବର୍ମିଂହାମ୍‌ର ଏଜବେଷ୍ଟନ୍‌ ଷ୍ଟାଡିୟମରେ ୩୧୫ ରନ୍‌ ଟାର୍ଗେଟ ନେଇ ବାଂଲାଦେଶ ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଟିମ୍‌ ୪୮ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୮୬ ରନ୍‌ ସଂଗ୍ରହ କରିଛି।

Hindustan Times

ବିଶ୍ୱର ୧ ନମ୍ବର ବୋଲର ଯଶପ୍ରୀତ ବୁମରା ୧୦ ଓଭର ବୋଲିଂ କରି ୫୫ ରନ୍‌ ଦେଇଥିଲେ। ସେ ବାଂଲାଦେଶର ୪ ଜଣ ବ୍ୟାଟ୍ସମ୍ୟାନଙ୍କୁ ପାଭଲିଅନ ପଠାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୩ ଓ୍ଵିକେଟ୍‌ ମିଳିଥିବା ବେଳେ ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ୟୁଜବେନ୍ଦ୍ର ଚହଲ ୧-୧ ଓ୍ଵିକେଟ୍‌ ନେଇଥିଲେ। ଅଙ୍କ ତାଲିକାରେ ଭାରତ ୧୩ ପଏଣ୍ଟ ସହିତ ୨ୟ ସ୍ଥାନରେ ଥିବା ବେଳେ ବାଂଲାଦେଶ ୭ ପଏଣ୍ଟ ପାଇ ୭ମ ସ୍ଥାନକୁ ଯାଇଛି। ଭାରତ ଠାରୁ ବାଂଲାଦେଶ ହାରିବା ପରେ ସେମିଫାଇନାଲ ମ୍ୟାଚ୍‌ ଖେଳିବାର ସ୍ୱପ୍ନ ଶେଷ ହୋଇଯାଇଛି।

ବାଂଲାଦେଶ ପାଇଁ ସାକିବୁଲ ହାସନ୍‌ ସର୍ବାଧିକ ୬୬ ରନ୍‌ କରିଥିଲେ। ସେ ୭୪ଟି ବଲ ଖେଳି ୬ଟି ଚୌକା ମାରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ଦିନେଶ କାର୍ତ୍ତିକଙ୍କୁ କ୍ୟାଚ୍‌ ଦେଇ ହାସନ୍‌ ଆଉଟ୍‌ ହୋଇଥିଲେ। ସବୀର ରହମାନ୍‌ ୩୬ଟି ବଲରୁ ୩୬ ରନ୍‌ କରିବା ପରେ ଯଶପ୍ରୀତ ବୁମରାଙ୍କ ଦ୍ୱାରା ଆଉଟ୍‌ ହୋଇଥିଲେ। ଓପନର ସୌମ୍ୟ ସରକାର ୩୩ ରନ୍‌ କରିଥିଲେ। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ ବିରାଟ କୋହଲିଙ୍କୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ। ତମିମ୍‌ ଇକବାଲ (୨୨) ଙ୍କୁ ମହମ୍ମଦ ସାମି ଓ ମୁସ୍‌ଫିକର ରହିମ (୨୪)ଙ୍କୁ ୟୁଜବେନ୍ଦ୍ର ଚହଲ ଆଉଟ୍‌ କରିଥିଲେ। ଲିଟନ ଦାସ (୨୨)ଙ୍କୁ ଦିନେଶ କାର୍ତ୍ତିକଙ୍କ ହାତରେ ହାର୍ଦ୍ଦିକ ପାଣ୍ଡ୍ୟା କ୍ୟାଚ୍‌ କରାଇଥିଲେ।

ମସଡକ ହୁସେନ (୩)ଙ୍କୁ ବୁମରା ପାଭଲିଅନ ପଠାଇଥିଲେ। ବାଂଲାଦେଶ ୩୯ ରନରେ ନିଜର ପ୍ରଥମ ଓ୍ଵିକେଟ ହରାଇଥିବା ବେଳେ, ୭୪ ରନରେ ଦ୍ୱିତୀୟ ଓ୍ଵିକେଟ୍‌ ହରାଇଥିଲା। ସ୍କୋର ୧୨୧ ରନ୍‌ରେ ୩ୟ, ୧୬୨ ରନ୍‌ରେ ୪ର୍ଥ, ୧୭୩ ରନ୍‌ରେ ୫ମ, ୧୭୯ ରନ୍‌ରେ ୬ଷ୍ଠ, ୨୪୫ ରନ୍‌ରେ ୭ମ ଓ ୨୫୭ ରନ୍‌ରେ ଅଷ୍ଟମ ଓ୍ଵିକେଟ୍‌ ହରାଇଥିଲା।

Hindustan Times

ପ୍ରଥମ ଇନିଂସରେ ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ଟି ଓ୍ଵିକେଟ୍‌ ହରାଇ ୩୧୪ ରନ୍‌ ସଂଗ୍ରହ କରିଥିଲା। ଟସ୍‌ ଜିଣି ଭାରତ ବ୍ୟାଟିଂ କରିଥିଲା। ଭାରତର ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମା ପ୍ରଥମ ଓ୍ଵିକେଟ୍‌ରେ ଶତକୀୟ ଭାଗିଦାରୀ (୧୮୦ ରନ୍‌) ହୋଇଥିଲେ। ରୋହିତ ଶର୍ମା (୧୦୪ ରନ୍‌, ୯୨ ବଲ, ୭ ଚୌକା, ୫ ଚୌକା ) ସୌମ୍ୟ ସରକାରଙ୍କ ବଲ ଲିଟନ ଦାସକୁ କ୍ୟାଚ୍‌ ଦେଇ ପାଭଲିଅନ ଫେରିଥିଲେ।

ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରହମାନ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ସେ ୧୦ ଓଭର ବୋଲିଂ କରି ୫୯ ରନ ଦେଇଥିଲେ ଓ ଭାରତର ୫ ଜଣ ଖେଳାଳିଙ୍କୁ ଆଉଟ୍‌ କରିଥିଲେ। ସାକିବୁଲ ହାସନ୍‌, ରୁବେଲ ହୁସେନ ଓ ସୌମ୍ୟ ସରକାରଙ୍କୁ ୧-୧ ଓ୍ଵିକେଟ୍‌ ମିଳିଥିଲା।

ଲୋକେଶ ରାହୁଲ ୯୨ଟି ବଲ ଖେଳି ୭୭ ରନ୍‌ କରିଥିଲେ। ତାଙ୍କର ଇନିଂସରେ ୬ଟି ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ରୁବେଲ ହୁସେନଙ୍କ ବଲ ମୁସ୍ତାଫିଜୁର ରହିମଙ୍କୁ କ୍ୟାଚ୍‌ ଦେଇ ରାହୁଲ ଆଉଟ୍‌ ହୋଇଥିଲେ। ବିରାଟ କୋହଲି ୨୭ଟି ବଲ ଖେଳି ୨୬ ରନ କରିଥିଲେ। ମୁସ୍ତାଫିଜୁର ରହିମଙ୍କ ବଲ ରୁବେଲଙ୍କୁ କ୍ୟାଚ ଦେଇ କୋହଲି ପାଭଲିଅନ ଫେରିଥିଲେ।

ଯୁବ ବ୍ୟାଟ୍‌ସମ୍ୟାନ ଋଷଭ ପନ୍ତ (୪୮ ରନ୍‌) ସଂଗ୍ରହ କରିବା ପରେ ସାକିବୁଲ ହାସନଙ୍କ ବଲ ମୋସଡେକଙ୍କୁ କ୍ୟାଚ୍‌ ଦେଇ ଆଉଟ୍‌ ହୋଇଥିଲେ। ସେ ୪୧ଟି ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟରୁ ୩୫ ରନ୍‌ ସଂଗ୍ରହ ହୋଇଥିଲା। ଧୋନି ୩୩ଟି ବଲ ଖେଳି ୪ଟି ଚୌକା ମାରିଥିଲେ। ଦିନେଶ କାର୍ତ୍ତିକ ୮ ରନ୍‌, ଭୁବନେଶ୍ୱର କୁମାର ୨ ରନ୍‌, ମହମ୍ମଦ ସାମି ୧ ରନ କରିଥିଲେ।

ଭାରତ ସ୍କୋର ୧୯୫ରେ ଲୋକେଶ ରାହୁଲଙ୍କୁ ହରାଇଥିଲା। ସ୍କୋର ୨୩୭ ରନରେ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟା, ୨୭୭ ରନ୍‌ରେ ଋଷଭ ପନ୍ତ, ୨୯୮ ରନ୍‌ରେ ଦିନେଶ କାର୍ତ୍ତିକ, ୩୧୧ ରନ୍‌ରେ ଧୋନି ଓ ୩୧୪ ରନ୍‌ରେ ଭୁବନେଶ୍ୱର ଓ ସାମି ଆଉଟ୍‌ ହୋଇଥିଲେ।

ସମ୍ବନ୍ଧିତ ଖବର