କୋହଲିଙ୍କ ହ୍ୟାଟ୍ରିକ୍ ଶତକ ବେକାର, ଭାରତ ୪୩ ରନ୍‌ରେ ହାରିଲା

ପୁନେ: ବିରାଟ କୋହଲିଙ୍କ ହ୍ୟାଟ୍ରିକ ଶତକ ସତ୍ତ୍ବେ ଭାରତକୁ ଶନିବାର ପୁନେ ଦିନିକିଆରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଭାରତ ଗସ୍ତରେ ପ୍ରଥମ ବିଜୟ ସହିତ ୱେଷ୍ଟଇଣ୍ଡିଜ୍ ଦଳ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ୧-୧ ସ୍ତରକୁ ନେଇ ଆସିଛି। ବୁଧବାର ଦ୍ବିତୀୟ ମ୍ୟାଚ୍ ଟାଇ ରହିଥିଲା। ଫଳରେ କୋହଲିଙ୍କ ଲଗାତାର ଶତକ ଭାରତର ବିଜୟରେ ଲାଗି ପାରିନାହିଁ। ସୋମବାର ଚତୁର୍ଥ ଦିନିକିଆ ମୁମ୍ବାଇରେ ଖେଳାଯିବ। ଶନିବାର ଭାରତ ଟସ୍ ଜିତିଥିଲେ ମଧ୍ୟ ବିଶାଖାପାଟଣା ଭୁଲରୁ ଶିକ୍ଷା ଲାଭ କରି ପ୍ରଥମେ‌ କ୍ଷେତ୍ରରକ୍ଷଣ କରିଥିଲା। ଭାରତୀୟ ଦଳ ତିନିଟି ପରିବର୍ତନ କରି ଖେଳିଥିଲା। ଉମେଶ ଯାଦବ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମିଙ୍କ ବଦଳରେ ୩ ଦ୍ରୁତ ବୋଲର ଭ୍ୁବନେଶ୍ବର କୁମାର, ଯଶପ୍ରୀତ ବୁମରା ଏବଂ ଖଲିଲ ଅହମ୍ମଦ ଖେଳିଥିଲେ। ବୁମରା ନିଜର ପ୍ରଥମ ଓଭରକୁ ଶୃଙ୍ଖଳାର ପ୍ରଥମ ମେଡେନରେ ପରିଣତ କରିଥିଲେ। ଏହା ପରେ ନିଜର ତୃତୀୟ ଓଭରରେ ହେମରାଜ ଚନ୍ଦରପଲ (୧୫)ଙ୍କୁ ଆଉଟ୍ କରିଥିଲେ। ଟ୍ବେଣ୍ଟି-୨୦ରୁ ବାଦ ପଡ଼ିବାର ୨୪ ଘଣ୍ଟା ଭିତରେ କିନ୍ତୁ ମହେନ୍ଦ୍ର ସିଂହ ଧୋନି ଏକ ଜବରଦସ୍ତ ଡାଇଭ ମାରି ନିଜ ଜୋସର ନିଦର୍ଶନ ଦେଖାଇଥିଲେ। ଏହା ପରେ ପାର୍ଶ୍ବ ପରିବର୍ତନ କରି ଆସିଥିବା ବୁମରା ନିଜ ପ୍ରଥମ ବଲ୍‌ରେ ହିଁ ଅନ୍ୟତମ ପ୍ରାରମ୍ଭିକ ବ୍ୟାଟସମ୍ୟାନ କିରଣ ପାୱେଲଙ୍କୁ ଆଉଟ୍‌ କରି ଦେଇଥିଲେ। ଇଣ୍ଡିଜ୍ ନିୟମିତ ବ୍ୟବଧାନରେ ୱିକେଟ୍ ହରାଉଥିଲେ ମଧ୍ୟ ସାଇ ହୋପ (୯୫, ୧୧୩ ବଲ, ୬‌ ଚୌକା, ୩ ଛକା) ଏକା ଲଢ଼ିଥିଲେ। ତାଙ୍କୁ ସାମୟିକ ଭାବେ ସିମରନ୍ ହେଟମାୟର (୩୭, ୨୧ ବଲ) ଏବଂ ଜାସନ୍ ହୋଲଡର (୩୨, ୩୯ ବଲ) ଭଲ ସାଥ୍ ଦେଇଥିଲେ। ଶେଷ ଭାଗରେ କିନ୍ତୁ ଆସଲେ ନର୍ସ (୪୦, ୨୨ ବଲ, ୪ ଚୌକା, ୨ ଛକା) ‌ବିସ୍ଫୋରକ ପାଳି ଖେଳିବାରୁ ଇଣ୍ଡିଜ ଶେଷ ୧୦ ଓଭରରେ ୭୩ ରନ୍ ଯୋଡ଼ି ନେଇଥିଲା। ଭାରତ ପକ୍ଷରୁ ସାଇ ହୋପଙ୍କୁ ଶତକରୁ ବଞ୍ଚିତ ରଖିଥିବା ଯଶପ୍ରୀତ ବୁମରା ପ୍ରତ୍ୟାବର୍ତନରେ ଚମତ୍କାର ବୋଲିଂ ଚିତ୍ର ୧୦-୧-୩୫-୪ ପାଇଥିଲେ। ଜବାବରେ ଭାରତ ପ୍ରଥମରୁ ରୋହିତ ଶର୍ମାଙ୍କୁ ହରାଇବା ପରେ ଅଧିନାୟକ ବିରାଟ କୋହଲି, ଶିଖର ଧାୱନ ଏବଂ ଅମ୍ବାତି ରାୟୁଡୁଙ୍କୁ ନେଇ ପାଳି ସଜାଡ଼ିବାକୁ ଚେଷ୍ଟା କରିଥିଲେ। ଧାୱନଙ୍କ ସହ ୭୯ ରନ୍ ଯୋଡ଼ିଥିଲେ। ଧାୱନ (୩୫)ଙ୍କୁ ନର୍ସ ଲେଗ୍ ବିଫୋର କରିଦେବା ପରେ ରାୟୁଡୁଙ୍କୁ ବାମହାତୀ ଦ୍ରୁତ‌ ବୋଲର ମ୍ୟାକଏ ବୋଲଡ କରିଦେବାରୁ ଏହି ଦୁଇ ଭାଗୀଦାରି ଆଗକୁ ବଢ଼ି ପାରିନଥିଲା। ଏହା ପରେ କେବଳ ଯୁବ ତାରକା ଋଷବ ପନ୍ତ (୨୪, ୧୮ ବଲ, ୩ ଚୌକା, ୧ ଛକା) କିଛି ସମୟ ଲଢ଼ିଥିଲେ। ଧୋନି ୧୧ ବଲ ଖେଳି ମାତ୍ର ୭ ରନ୍ କରିଥିଲେ। ୨୫ ଓଭର ଭିତରେ ୩ ୱିକେଟ୍‌ ହରାଇଥିବା ଭାରତ କୋହଲିଙ୍କୁ ସାଥୀ ହରା କରି ବିଜୟ ସୁଯୋଗ ହାତଛଡ଼ା କରିଥିଲା। ୬ ଜଣ ବ୍ୟାଟସମ୍ୟାନ୍ ସୂତ୍ରର ପରୀକ୍ଷାରେ ମଧ୍ୟ ଭାରତ ବିଫଳ ହୋଇଥିଲା। ୨୪୦ ରନ୍‌ରେ ଭାରତ ସମସ୍ତ ୱିକେଟ୍ ହରାଇ ମ୍ୟାଚ୍ ଆତ୍ମସମର୍ପଣ କରି‌ଥିଲା। କୋହଲି କିନ୍ତୁ ବ୍ୟକ୍ତିଗତ ଭାବେ ନିଜର ୩୮ତମ ଶତକ ହାସଲ କରି ନେଇଥିଲେ। ଦିନିକିଆରେ ଲଗାତାର ହ୍ୟାଟ୍ରିକ୍ ଶତକ ହାସଲ କରିବାରେ କୋହଲି ପ୍ରଥମ ଭାରତୀୟ ଏବଂ ବିଶ୍ବର ଦଶମ ଖେଳାଳି ହୋଇଥିଲେ। ୪୨ତମ ଓଭରରେ କୋହଲି (୧୦୭, ୧୧୯ ବଲ, ୧୦ ଚୌକା, ୧ ଛକା) ସପ୍ତମ ବ୍ୟାଟସମ୍ୟାନ ଭାବେ ଆଉଟ ହେବା ବେଳକୁ ଭାରତ ୨୨୦ ରନ୍ କରିଥିଲା। ଏହା ପରେ ଭାରତ ଆଉ ମ୍ୟାଚ୍‌ରେ ରହିନଥିଲା। ଦୀର୍ଘ ଏକ ମାସ ଧରି ସଂଘର୍ଷ କରିବା ପରେ ଇଣ୍ଡିଜ୍ ଭାରତ ଗସ୍ତରେ ନିଜର ପ୍ରଥମ ବିଜୟ ହାସଲ କରି ନେଇଥିଲା।

ସମ୍ବନ୍ଧିତ ଖବର