ଭୁବନପୁରରେ ଫାଟୁଆ ଆତଙ୍କ ୪ ବାଛୁରୀ ମୃତ, ଶତାଧିକ ଗୋରୁଗାଈ ସଂକ୍ରମିତ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ବେଣୁପୁର ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଧୀନରେ ଥିବା ଭୁବନପୁର ଗ୍ରାମର ଗାଈଗୋରୁଙ୍କଠାରେ ଗତ କିଛିଦିନ ହେବ ଫାଟୁଆ ରୋଗ ଦେଖାଦେଇଛି। ଏହି ଭୂତାଣୁଜନିତ ସଂକ୍ରମଣ ରୋଗରେ ଗତ ସପ୍ତାହରେ ୪ଟି କଅଁଳା ବାଛୁରୀଙ୍କର ମୃତ୍ୟୁ ହୋଇଛି। ଏହା ଛଡ଼ା ଗ୍ରାମରେ ସର୍ବାଧିକ ୧୧୭ଗୋଟି ଗୋରୁଗାଈ ଏବଂ ୫୭ଟି ମଇଁଷି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଗ୍ରାମର ନୀଳମାଧବ ବେହେରା ଓ ଶ୍ୟାମ ବେହେରା କହିଛନ୍ତି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହା ଏକ ସଂକ୍ରମଣ ରୋଗ ହୋଇଥିବାରୁ ଭୁବନପୁରର ଆଖପାଖ ଗ୍ରାମକୁ ମଧ୍ୟ ବ୍ୟାପିଲାଣି। ଫଳରେ ଫାଟୁଆ ରୋଗଗ୍ରସ୍ଥ ଗାଈ ମଇଁଷିଗୁଡ଼ିକ କ୍ଷୀରଦେବା ବନ୍ଦ କରିଦେଲେଣି। ଦାୟିତ୍ବରେ ଥିବା ବେଣୁପୁର ବିଭିଓ ଏବଂ ବାଲିଅନ୍ତା ପଶୁ ଚିକିତ୍ସକ ଏନେଇ କୌଣସି ପଦକ୍ଷେପ ନେଉ ନଥିବାରୁ ରୋଗାକ୍ରାନ୍ତ ଗୋରୁଗାଈଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଗୋପାଳକମାନେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦରେ ଆଜି ଗ୍ରାମର ଗୋପାଳକମାନେ ବେଣୁପୁର ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପହଞ୍ଚି ଗ୍ରାମରେ ସ୍ବତନ୍ତ୍ର ପଶୁ ଚିକିତ୍ସା ଶିବିର ଆୟୋଜନ କରିବା ନେଇ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ। ପ୍ରାପ୍ତ ସୂଚନାନୁଯାୟୀ, ଗ୍ରାମର ପୁରୋସ୍ତମ ବେହେରାଙ୍କର ୪ଟି ବାଛୁରୀଙ୍କର ଏହି ରୋଗରେ ମୃତ୍ୟୁ ହୋଇଯାଇଥିବା ବେଳେ ବର୍ତ୍ତମାନ ୧୭ଟି ଗାଈଗୋରୁ ଓ ୧୨ଟି ମଇଁଷି, ଶ୍ୟାମ ବେହେରାଙ୍କର ୮ଟି ଗାଈ ଓ ବାଛୁରୀ, ଗୋବିନ୍ଦ ବେହେରାଙ୍କର ୧୨ଟି ଗାଈ ଓ ବାଛୁରୀଙ୍କ ସମେତ ୪ଟି ମଇଁଷି, ପ୍ରକାଶ ବେହେରାଙ୍କର ୨୦ଟି ମଇଁଷି, ଧନୀ ବେହେରାଙ୍କର ୧୫ଟି ଗୋରୁଗାଈ, ବାପି ବେହେରାଙ୍କର ୨୦ ଟି ଗୋରୁଗାଈ, ଶିବ ବେହେରାଙ୍କର ୨୦ଟି ଗୋରୁଗାଈ ଓ ୧୩ଟି ମଇଁଷି, ବାବାଜି ବେହେରାଙ୍କର ୧୨ଟି ମଇଁଷି, ବାସୁଦେବ ବେହେରାଙ୍କର ୨୫ଟି ଗାଈବାଛୁରୀ ଏବଂ ଅଶୋକ ବେହେରାଙ୍କର ୮ଟି ଗୋରୁଗାଈ ଫାଟୁଆ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସ୍ଥାନୀୟ ପଶୁ ଚିକିତ୍ସକ ମହେନ୍ଦ୍ର ପୃଷ୍ଟିଙ୍କୁ ପଚାରିବାରୁ ଗତ ଜୁଲାଇ ମାସ ମଧ୍ୟରେ ପଞ୍ଚାୟତର ପାଖାପାଖି ୧୨୦୦ରୁ ଅଧିକ ଗୋ-ମହିଷାଦିଙ୍କୁ ଟୀକାକରଣ ହୋଇଥିବା ବେଳେ ଚିକିତ୍ସା ଜାରି ରହିଥିବା କହିଛନ୍ତି। ସେହିପରି ଭିଏସ ପାର୍ଥସାରଥି ମିଶ୍ରଙ୍କ ମତାମତ ମିଳିପାରିନି।

ସମ୍ବନ୍ଧିତ ଖବର