ହ୍ବାଇଟ୍‌ହେଡ୍‌ଙ୍କ ପର୍ଫେକ୍ଟ ଟେନ୍

ଜୋହାନେସବର୍ଗ: ଦକ୍ଷିଣ ଆଫ୍ରିକାର ସ୍ପିନ୍ ଅଲରାଉଣ୍ଡର ସାମ୍ ହ୍ବାଇଟ୍‌ହେଡ୍ ଏକ ପ୍ରଥମ ଶ୍ରେଣୀ ମ୍ୟାଚ୍‌ର ଗୋଟିଏ ପାଳିରେ ପ୍ରତିପକ୍ଷ ଦଳର ସମସ୍ତ ୧୦ଟି ଯାକ ୱିକେଟ୍ ନେବାର ଅନନ୍ୟ କୀର୍ତ୍ତିମାନ କରିଛନ୍ତି। ଏହାକରି ଗତ ୧୧୫ ବର୍ଷ ମଧ୍ୟରେ ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍‌ରେ ସର୍ବଶ୍ରେଷ୍ଠ ବୋଲିଂ ଚିତ୍ର ପାଇଛନ୍ତି ସେ। ବାଂଲାଦେଶରେ ଆୟୋଜିତ ୨୦୧୬ ମସିହାର ୧୯ ବର୍ଷରୁ କମ୍ ବିଶ୍ବକପ୍‌ରେ ଦକ୍ଷିଣ ଆଫ୍ରିକାର ପ୍ରତିନିଧିତ୍ବ କରିଥିବା ହ୍ବାଇଟ୍‌ହେଡ୍ ସାଉଥ୍ ୱେଷ୍ଟର୍ଣ୍ଣ ଡିଷ୍ଟ୍ରିକ୍ଟ ଦଳର ପ୍ରତିନିଧିତ୍ବ କରି ମାତ୍ର ୩୬ ରନ୍ ବିନିମୟରେ ଇଷ୍ଟର୍ଣ୍ଣ ଷ୍ଟ୍ରମ୍ ଦଳର ସମସ୍ତ ୧୦ଟି ଯାକ ୱିକେଟ୍ କରାୟତ୍ତ କରି ନେଇଥିଲେ। ଫଳରେ ୧୮୬ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଇଷ୍ଟର୍ଣ୍ଣ ଷ୍ଟ୍ରମ୍ ଦଳ ମାତ୍ର ୬୫ ରନ୍‌ରେ ଅଲଆଉଟ୍ ହୋଇଯାଇଥିଲା।

୨୪ ବର୍ଷୀୟ ହ୍ବାଇଟ୍ ହେଡ୍ ପ୍ରଥମ ପାଳିରେ ୬୪ ରନ୍ ଦେଇ ୫ ୱିକେଟ୍ ନେଇଥିଲେ। ସେହିଭଳି ଉଭୟ ପାଳିରେ ୬୬ ଓ ୪୫ ରନ୍‌ର ପାଳି ଖେଳିଥିଲେ। ତାଙ୍କ ଅଲ୍‌ରାଉଣ୍ଡ ଏବଂ ଐତିହାସିକ ପ୍ରଦର୍ଶନ ବଳରେ ସାଉଥ୍ ୱେଷ୍ଟର୍ଣ୍ଣ ଦଳ ଚାରି ଦିନିଆ ମୁକାବିଲାକୁ ତୃତୀୟ ଦିନରେ ହିଁ ୧୨୦ ରନ୍‌ରେ ଜିତି ନେଇଥିଲା। ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍‌ରେ ହ୍ବାଇଟ୍‌ହେଡ୍‌ଙ୍କ ପ୍ରଦର୍ଶନ ଦ୍ବିତୀୟ ସର୍ବଶ୍ରେଷ୍ଠ। ୧୯୦୬ ମସିହାରେ ଲେଗ୍ ସ୍ପିନର ବର୍ଟ ବଗଲର ଇଷ୍ଟର୍ଣ୍ଣ ପ୍ରୋଭିନ୍ସର ପ୍ରତିନିଧିତ୍ବ କରି ୨୬ ରନ୍‌ରେ ୧୦ ୱିକେଟ୍ ନେବା ଦକ୍ଷିଣ ଆଫ୍ରିକା ଘରୋଇ କ୍ରିକେଟ୍ ଇତିହାସର ସର୍ବଶ୍ରେଷ୍ଠ ବ୍ୟକ୍ତିଗତ ‌ବୋଲିଂ ଚିତ୍ର ହୋଇରହିଛି। ସୂଚନାଯୋଗ୍ୟ ଯେ ଭାରତର କିଂବଦନ୍ତି ସ୍ପିନର ଅନିଲ କୁମ୍ବଲେ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷରେ ପର୍ଫେକ୍ଟ ଟେନ୍ ପାଇବାର କୀର୍ତ୍ତିମାନ କରିଥିଲେ।

ସମ୍ବନ୍ଧିତ ଖବର