୨୮ରୁ ୱିମ୍ବଲଡନ୍‌: ଜୋକୋଭିକ୍‌ଙ୍କୁ ଶୀର୍ଷ ମାନ୍ୟତା; ଫେଡେରର୍‌ ସପ୍ତମ

ଲଣ୍ଡନ : ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବ ଟେନିସ୍‌ ଗ୍ରାଣ୍ଡ୍‌ସ୍ଲାମ୍‌ ପ୍ରତିଯୋଗିତା ୱିମ୍ବଲଡନ୍‌। ଜୁଲାଇ ୧୧ ତାରିଖରେ ପୁରୁଷ ଏକକ ଫାଇନାଲ୍‌ ସହ ପ୍ରତିଯୋଗିତା ‌ଶେଷ ହେବ। ଅଲ୍‌ ଇଂଲଣ୍ଡ କ୍ଲବ୍‌ରେ ଖେଳାଯିବାକୁ ଥିବା ଏହି ଗ୍ରାଣ୍ଡ୍‌ସ୍ଲାମ ପାଇଁ ଗୁରୁବାର ପୁରୁଷ ଏକକ ଖେଳାଳିମାନଙ୍କୁ ମାନ୍ୟତା ପ୍ରଦାନ କରାଯାଇଛି। ଏଥିରେ ବିଶ୍ବ ମାନ୍ୟତାର ଏକ ନମ୍ବର ସର୍ବିଆ ତାରକା ନୋଭାକ୍‌ ଜୋକୋଭିକ୍‌ ଶୀର୍ଷ ମାନ୍ୟତା ପାଇଥିଲା ବେଳେ ୨୦୧୯ ଫାଇନାଲିଷ୍ଟ ସ୍ବିଜରଲାଣ୍ଡ୍‌ର ରୋଜର୍‌ ‌ଫେଡେରର୍‌ ସପ୍ତମ ମାନ୍ୟତା ପାଇଛନ୍ତି। ୧୯ ଗ୍ରାଣ୍ଡ୍‌ସ୍ଲାମ୍‌ ବିଜେତା ଜୋକୋଭିକ୍‌ ଏଠାରେ ଟ୍ରଫି ଜିତି ଉଭୟ ଫେଡେରର୍‌ ଓ ସ୍ପେନ୍‌ ତାରକା ରାଫେଲ ନାଦାଲଙ୍କ ୨୦ ଗ୍ରାଣ୍ଡ୍‌ସ୍ଲାମ୍‌ ଟ୍ରଫିର ସମକକ୍ଷ ହେବାପାଇଁ ଲକ୍ଷ୍ୟ ରଖିଛନ୍ତି।

ତେବେ ବିଶ୍ବ ମାନ୍ୟତାର ଦ୍ବିତୀୟ ତଥା ଏଠାରେ ଦୁଇ ଥର ବିଜେତା ନାଦାଲ ଏହି ପ୍ରତିଯୋଗିତାରୁ ଓହରି ଯାଇଥିବାରୁ ତାଙ୍କୁ ଦେଖିବାକୁ ମିଳିବନି। ଫଳରେ ରୋଲାଁ ଗ୍ୟାରସ୍‌ (ଫ୍ରେଞ୍ଚ୍‌ ଓପନ୍‌)ରେ ଫାଇନାଲ୍‌ ଖେଳିଥିବା ଷ୍ଟିଫାନସ୍‌ ସିସିପାସ୍‌ ତୃତୀୟ ମାନ୍ୟତାପ୍ରାପ୍ତ ରହିଥିଲା ବେଳେ ରୁଷିଆର ଡାନିଲ ମେଡ୍‌ଭେଦେଭ୍‌ ଦ୍ବିତୀୟରେ ରହିଛନ୍ତି। ଏମାନଙ୍କ ପଛକୁ ୟୁଏସ୍‌ ଓପନ୍‌ ବିଜେତା ଅଷ୍ଟ୍ରି୍ଆର ଡୋମିନିକ୍‌ ଥିମ୍‌, ଜର୍ମାନିର ଆଲେକ୍‌ଜାଣ୍ଡର ଭେରେଭ୍‌, ରୁଷିଆର ଆନ୍ଦ୍ରେ ରୁବ୍‌ଲେଭ୍‌ ଚତୁର୍ଥରୁ ଷଷ୍ଠ ମାନ୍ୟତା ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଇଟାଲିର ମାସିଓ ବେରେଟିନି, ସ୍ପେନ୍‌ର ରବର୍ଟୋ ବତିସ୍ତା ଅଗୁଟ ଏବଂ ଆର୍ଜେଣ୍ଟିନାର ଡିଆଗୋ ସ୍ବାର୍ଜମ୍ୟାନ୍‌ (୮ରୁ ୧୦) ଶ୍ରେଷ୍ଠ ୧୦ ମାନ୍ୟତା ମଧ୍ୟରେ ସ୍ଥାନ ପାଇଛନ୍ତି।

ସମ୍ବନ୍ଧିତ ଖବର