ବିଶ୍ବ ଦୌଡ଼କୁଦ: ଭାରତୀୟ ରିଲେ ଦଳ ବିଫଳ, ସିଫାନଙ୍କୁ ୧୫୦୦ ମିଟର, ବାର୍ସିମଙ୍କୁ ଉଚ୍ଚ ଡିଆଁରେ ସ୍ବର୍ଣ୍ଣ

ଦୋହା: ‌ସପ୍ତଦଶ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ଜିସ୍ନା ମାଥ୍ୟୁ, ପୁଭାମ୍ମା ରାଜୁ, ବିସ୍ମୟ ଏବଂ ଭି ଶୁଭାଙ୍କୁ ନେଇ ଗଠିତ ଭାରତୀୟ ମହିଳା ୪ ଗୁଣା ୪୦୦ ରିଲେ ଦଳ ୩ ମିନିଟ୍ ୨୯.୪୨ ସେକେଣ୍ଡ ସମୟ ନେଇ ହିଟ୍-୧ର ଷଷ୍ଠ ସ୍ଥାନରେ ରହିବା ସହ ଫାଇନାଲ ପ୍ରବେଶରୁ ବିଫଳ ହୋଇଥିଲା। ଜିସ୍ନା ଦୌଡ଼ ଆରମ୍ଭ କରି ଷଷ୍ଠ ସ୍ଥାନରେ ରହିବା ପରେ ପୁଭାମ୍ମା ସପ୍ତମ, ବିସ୍ମୟ ଷଷ୍ଠ ଏବଂ ଭି ଶୁଭା ମଧ୍ୟ ଷଷ୍ଠ ସ୍ଥାନରେ ଦୌଡ଼ ଶେଷ କରିଥି‌ଲେ। ତେବେ ଭାରତୀୟ ଦଳ ଚଳିତ ଋତୁର ଶ୍ରେଷ୍ଠ ଟାଇମିଂ ହାସଲ କରିଥିଲା। ମୋଟ ଉପରେ ଭାରତୀୟ ଦଳ ଏକାଦଶ ସ୍ଥାନରେ ରହିଥିଲା। ହିଟ୍-୧ରୁ ଶ୍ରେଷ୍ଠ ଚାରି ଦଳ ଭାବେ ଜାମାଇକା, ପୋଲାଣ୍ଡ, କାନାଡା ଓ ନେଦରଲାଣ୍ଡ୍ସ ଫାଇନାଲରେ ସ୍ଥାନ ସୁରକ୍ଷିତ କରି ନେଇଥିଲେ। ହିଟ୍-୨ରୁ ଆମେରିକା, ଗ୍ରେଟ୍ ବ୍ରିଟେନ୍, ୟୁକ୍ରେନ୍ ଓ ବେଲଜିୟମ ଏହି ପର୍ଯ୍ୟାୟକୁ ଯାଇଥିଲେ। ସେପଟେ ଅବିନାଶ ସାବଲେ ୩୦୦ ମିଟର ଷ୍ଟିପଲଚେଜ୍‌ରେ ଫାଇନାଲ ଯାଇ ପାରି ନଥିଲେ ମଧ୍ୟ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିନେବା ଭାରତ ପାଇଁ ଏକ ବଡ଼ ଖୁସି ଖବର ହୋଇଥିଲା। ଭାରତୀୟ ପୁରୁଷ ୪ଗୁଣା୪୦୦ ରିଲେ ଦଳ ମଧ୍ୟ ବିଫଳ ହୋଇଥିଲା। ନିଜ ଗ୍ରୁପର ସପ୍ତମ ଏବଂ ମୋଟ ଉପରେ ତ୍ରୟୋଦଶ ସ୍ଥାନରେ ରହି ବିଦାୟ ନେଇଥିଲା। ପୁରୁଷ ଜାଭେଲିନରେ ଭାରତର ଶିବପାଲ ସିଂହ ୩୦ ପ୍ରତିଯୋଗୀଙ୍କ ମଧ୍ୟରୁ ୨୪ତମ ସ୍ଥାନରେ ରହିଥିଲେ। ଭାରତର ‌ଶେଷ ଆଥଲେଟ୍ ଭାବେ ଥୋନାକଲ୍ ଗୋପୀ ପୁରୁଷ ମାରାଥନରେ ଅଂଶଗ୍ରହଣ କରିବେ।

ମହିଳା ୧୫୦୦ ମିଟର ଦୌଡ଼ରେ ନେଦରଲାଣ୍ଡ୍ସର ସିଫାନ ହାସନ (୩:୫୧.୯୫) ସ୍ବର୍ଣ୍ଣ ପଦକ ଜିତିଥିଲେ। ଏହି ଇଭେଣ୍ଟରେ କେନିଆର ଫେଥ୍ କିପେଗନ୍ (୩:୫୪.୨୨) ରୌପ୍ୟ ପଦକ ପାଇଥିଲା ବେଳେ ଇଥିଓପିଆର ଗୁଦାଥ ସେଗାୟ (୩:୫୪.୩୮) କାଂସ୍ୟ ପଦକ ହାସଲ କରିଛନ୍ତି। ସେପଟେ ୪୦୦ ମିଟର ମହିଳା ବାଧାଦୌଡ଼ରେ ଆମେରିକାର ଡାଲିଆ ମହମ୍ମଦ ଦୁଇ ଦୁଇ ଦିନରେ ଦୁଇଟି ବିଶ୍ବ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ହିଁ ଏହି ଇଭେଣ୍ଟର ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ଉଚ୍ଚ ଡିଆଁରେ ଦୋହା ଜନ୍ମିତ ମୁର୍ତାର ବାର୍ସିମ ବାଜି ମାରି ନେଇଥିଲେ। ୨.୩୭ ମିଟର ଉଚ୍ଚକୁ ଡେଇଁ ସେ କେବଳ ଆୟୋଜକ କାତାର ପାଇଁ ସ୍ବର୍ଣ୍ଣ ପଦକ ଜିତି ନଥିଲେ ଏହି ଦେଶର ମହାନତମ ଆଥଲେଟ୍ ଭାବେ ଉଭା ହୋଇଥିଲେ।

ସମ୍ବନ୍ଧିତ ଖବର