ଭାରତୀୟ ବେସ୍‌ବଲ୍ ଦଳରେ ସ୍ଥାନ ପାଇଲେ ମନୋଜ, ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଅର୍ଥ ବାଧକ

ଜଗତସିଂହପୁର ଟାଉନ୍: ସଂଘର୍ଷ ଭିତରେ କଷ୍ଟେ ମଷ୍ଟେ ଆଗକୁ ବଢ଼ୁଛି କ୍ରୀଡ଼ା ଜୀବନ । ନିଜର ନିଷ୍ଠା, ଚେଷ୍ଟା ଓ କଠିନ ପରିଶ୍ରମ ବଳରେ ଜଗତସିଂହପୁର କ୍ରୀଡ଼ାବିତ୍ ମନୋଜ ସିଂହ ଗୋଟିଏ ସଫଳତାର ପାହାଚ ଚଢିଛନ୍ତି। ଭାରତୀୟ ବେସ୍‌ବଲ୍ ଦଳରେ ସ୍ଥାନ ପାଇ ଜଗତସିଂହପୁର ପାଇଁ ଗର୍ବ ଆଣିଛନ୍ତି। ହେଲେ ଅନ୍ତର୍ଜାତୀୟ ସ୍ତରରେ ଖେଳିବା ପାଇଁ ଅର୍ଥ ସାଜିଛି ବାଧକ। ଜଗତସିଂହପୁର ପୌରା‌ଞ୍ଚଳ ୪ ନମ୍ବର ୱାର୍ଡରେ ବାସ କରୁଥିବା ସୁରଜ କୁମାର ସିଂହଙ୍କ ପୁଅ ମନୋଜ। ବାପାଙ୍କର ଶ୍ରୀକୃଷ୍ଣ ଏକାଡେମି ନିକଟରେ ଏକ ଜଳଖିଆ ଦୋକାନ ରହିଛି। ବୋଉ ଘର କାମ କରନ୍ତି ଓ ସାନ ଭାଇ ପାଠ ପଢ଼ୁଛି। ଜଳଖିଆ ଦୋକାନରୁ ଯାହା ରୋଜଗାର ହୁଏ ସେଥିରେ ତେଲ ଲୁଣ ସଂସାରର ବୋଝ ମେଣ୍ଟିଯାଏ। ହେଲେ ମନୋଜଙ୍କ ସ୍ବପ୍ନ ପୂରଣ କରିବାକୁ ଏତେ ଟଙ୍କା ଆସିବ କେଉଁଠାରୁ ତାହାକୁ ନେଇ ଚିନ୍ତା ବଢିଯାଇଛି। ତଥାପି ସେ ହାରି ଯାଇ ନାହାନ୍ତି। କଠିନ ପରିଶ୍ରମ କରି ସଫଳତାର ପାହାଚ ଚଢି ଚାଲିଛନ୍ତି। ମନୋଜ ପ୍ରଥମେ ଅତାମଳାର ଲିଲି ପ୍ରଧାନଙ୍କ ଠାରୁ ପ୍ରଶିକ୍ଷଣ ନେଇଥିଲେ। ଏସ୍‌ଭିଏମ୍ କଲେଜ ପଡ଼ିଆରେ ଅହରହ ଅଭ୍ୟାସ କରୁଥିଲେ। ଏଥିସହ ଜିଲ୍ଲା ସମ୍ପାଦକ ଅଶୋକ ବାରିକ ଏବଂ କଟକର ପ୍ରଶିକ୍ଷକ ଲୋକ ମୋହନ ରାଉତରାୟଙ୍କ ତତ୍ବାବଧାନରେ ନିଜକୁ ଆହୁରି ଅଧିକ ପ୍ରସ୍ତୁତ କରିବାରେ ସମର୍ଥ ହୋଇଥିଲେ। ୨୦୦୭ ମସିହାରେ ମନୋଜ ମଧ୍ୟପ୍ରଦେଶର ଇନ୍ଦୋରଠାରେ ଜାତୀୟ ସ୍ତରର ମ୍ୟାଚ୍ ଖେଳିଥିଲେ। ୨୦୦୮ ମସିହାରେ କୋଲକାତାଠାରେ ୨୦ତମ ଜାତୀୟ କନିଷ୍ଠ ବେସ୍‌ବଲ୍ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଏଠାରେ ନିଜର ଦକ୍ଷତାକୁ ପ୍ରତିପାଦନ କରି ମନୋଜ ଓଡ଼ିଶାକୁ ବିଜୟୀ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଦିଲ୍ଲୀ ବିପକ୍ଷରେ ଖେଳା ଯାଇଥିବା ଏହି ମ୍ୟାଚ୍ ଜିତି ଓଡ଼ିଶା ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ୨୦୧୨ ସେହି ଇନ୍ଦୋରଠାରେ ଜାତୀୟସ୍ତରର ମ୍ୟାଚ୍, ୨୦୧୩ରେ ମହାରାଷ୍ଟ୍ରର ସୋଲାପୁର, ୨୦୧୬ ମସିହାରେ କର୍ଣ୍ଣାଟକ, ୨୦୧୭ ମସିହାରେ ଜାତୀୟ ବରିଷ୍ଠ ବେସ୍‌ବଲ୍ ପ୍ରତିଯୋଗିତା, କଟକର ସତ୍ୟବ୍ରତ ଷ୍ଟାଡ଼ିୟମରେ ଅନୁଷ୍ଠିତ ହୋଇଥିବା ୩୧ ତମ ଜାତୀୟ ପ୍ରତିଯୋଗିତା, ୨୦୧୮ରେ ଛତିଶଗଡ଼, ୨୦୧୯ରେ ମଧ୍ୟପ୍ରଦେଶଠାରେ ଜାତୀୟ ସ୍ତରର ମ୍ୟାଚ୍ ଖେଳିଛନ୍ତି। ତାଙ୍କର ସଫଳତା ପାଇଁ ସେ ଏବେ ଅନ୍ତର୍ଜାତୀୟ ବେସ୍‌ବଲ୍ ପ୍ରତିଯୋଗିତା ପାଇଁ ଜାତୀୟ ଦଳରେ ମନୋନୀତ ହୋଇଛନ୍ତି। ଏ ଖବର ପାଇବା ପରେ ପରିବାରରେ ଖୁସିର ଲହରୀ ଖେଳି ଯାଇଛି। ସେ ସ୍ପେନ୍‌ରେ ଅନ୍ତର୍ଜାତୀୟ ବେସ୍‌ବଲ୍ ପ୍ରତିଯୋଗିତାରେ ଭାଗ ନେବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୨୮ ତାରିଖରୁ ମନୋଜ ୨୦ ଜଣିଆ ଭାରତୀୟ ଦଳ ସହ ସ୍ପେନ୍‌ର ଆଣ୍ତାଲୁସିଆ ଅଭିମୁଖେ ଯାତ୍ରା କରିବେ। ଏହି ପ୍ରତିଯୋଗିତା ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। କିନ୍ତୁ ମନୋଜ ଖେଳିବାକୁ ଯିବା ପାଇଁ ଅର୍ଥ ସାଜିଛି ବାଧକ। ପାଖରେ ଟଙ୍କା ନାହିଁ। ହାରାହାରି ୨ରୁ ୩ ଲକ୍ଷ ଟଙ୍କା ଆବଶ୍ୟକ ରହିଛି। ଅଭାବୀ ସଂସାରରେ ଏତେ ଟଙ୍କା କେଉଁଠାରୁ ଯୋଗାଡ଼ ହେବ। ତାକୁ ନେଇ ମନୋଜ ଚିନ୍ତାରେ। ପୁଅର ସ୍ବପ୍ନ ପୂରଣ କରିବା ପାଇଁ ବାପା ଚେଷ୍ଟା କରି ବି ବିଫଳ ହୋଇଛନ୍ତି। ହାତରେ ମାତ୍ର ଦିନ କେତେଟା। ଯଦି ଟଙ୍କା ଯୋଗାଡ଼ ନହୁଏ ତେବେ ମନୋଜଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଯିବ। ମନୋଜ ଏନେଇ ଜିଲ୍ଲାପାଳ ଏବଂ କ୍ରିଡ଼ା ବିଭାଗକୁ ଚିଠି ଲେଖିଛନ୍ତି। ହେଲେ ଏଯାଏ କୌଣସି ସହାୟତା ମିଳି ନାହିଁ। ଯାହା ତାଙ୍କୁ ବିବ୍ରତ କରିଛି। ଜିଲ୍ଲାରେ ଅନେକ ଶିଳ୍ପ ଓ ପ୍ରଭାବଶାଳୀ ବ୍ୟକ୍ତି ଅଛନ୍ତି। ଏହାସତ୍ତ୍ବେ ମନୋଜଙ୍କ ଆଶା ପୂରଣ ହେବ କି ନାହିଁ ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର