ଭାରତୀୟ ତୀରନ୍ଦାଜୀ ସଂଘ ନିଲମ୍ବିତ

ନୂଆଦିଲ୍ଲୀ: ବିଶ୍ବ ତୀରନ୍ଦାଜୀ ମହାସଂଘ ଗୁରୁବାର ଭାରତୀୟ ତୀରନ୍ଦାଜୀ ସଂଘକୁ ନିଲମ୍ବିତ କରିଛି। ଦୁଇଟି ସମାନ୍ତରାଳ ସଂଘର ନିର୍ବାଚନ କରି ନିୟମାବଳୀ ଉଲ୍ଲଂଘନ କରିଥିବାରୁ ଭାରତୀୟ ସଂଘକୁ ନିଲମ୍ବିତ କରାଯାଇଛି ବୋଲି ବିଶ୍ବ ମହାସଂଘ କହିଛି। ତେବେ ଚଳିତ ମାସ ଶେଷ ସୁଦ୍ଧା ପକ୍ଷ ରଖିବାକୁ ଭାରତୀୟ ସଂଘକୁ କୁହାଯାଇଛି। ନିଲମ୍ବନ ନିଷ୍ପତ୍ତି ସୋମବାରଠୁ କାର୍ଯ୍ୟକାରୀ ହେବ। ଫଳରେ ଚଳିତ ମାସ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ମାଦ୍ରିଦ୍‌ରେ ଆୟୋଜିତ ବିଶ୍ବ ତୀରନ୍ଦାଜ ଯୁବ ପ୍ରତିଯୋଗିତାରେ ତ୍ରିରଙ୍ଗା ତଳେ ଭାରତୀୟ ପ୍ରତିଯୋଗୀମାନେ ଶେଷ ଥର ପାଇଁ ଭାଗ ନେଇପାରିବେ ବୋଲି ବିଶ୍ବ ମହାସଂଘ ସ୍ପଷ୍ଟ କରିଦେଇଛି। ଭାରତୀୟ ସଂଘକୁ ନିଲମ୍ବିତ କରିବା ପାଇଁ ଜୁନ୍‌ ମାସରେ ହିଁ ବିଶ୍ବ ମହାସଂଘ ନିଷ୍ପତ୍ତି ନେଇଥିଲା ବେଳେ ଏହାର ମହାସଚିବ ଟମ୍‌ ଡିଲେନ୍‌ ଏକ ବିବୃତି ଜାରି କରିଛନ୍ତି। ତେବେ ଜୁଲାଇ ଶେଷ ସୁଦ୍ଧା ଦୁଇଟି ସମାନ୍ତରାଳ ସଂଘ ମଧ୍ୟରୁ ଗୋଟିକୁ ବାଛିବା ପାଇଁ ବିଶ୍ବ ମହାସଂଘର କାର୍ଯ୍ୟନିର୍ବାହୀ ପରିଷଦ ଭାରତ ନିକଟରେ ସମୟ ଧାର୍ଯ୍ୟ କରିଥିଲା। ହେଲେ ଏହି ସମୟ ସୀମା ପୂରିଯିବା ସତ୍ତ୍ବେ କୌଣସି ଅଗ୍ରଗତି ହୋଇନଥିବାରୁ ଭାରତୀୟ ସଂଘକୁ ନିଲମ୍ବନ କରିବା ନିଷ୍ପତ୍ତିକୁ ବିଶ୍ବ ମହାସଂଘ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଥିବା ଟମ୍‌ ଡିଲେନ୍‌ କହିଛନ୍ତି। ଆଉ ଯଦି ଅଗଷ୍ଟ ଶେଷ ସୁଦ୍ଧା କୌଣସି ସମାଧାନ ପନ୍ଥା ନ ବାହା‌ରେ ତାହାଲେ ଆଗାମୀ ଏସୀୟ ପ୍ରତିଯୋଗିତା ଏବଂ ଏସୀୟ ପାରା ପ୍ରତିଯୋଗିତାରେ ଭାରତୀୟ ଆଥ୍‌ଲେଟ୍‌ଙ୍କ ଅଂଶଗ୍ରହଣ ନେଇ ବିଶ୍ବ ମହାସଂଘ କାର୍ଯ୍ୟକାରୀ ପରିଷଦ ପରବର୍ତୀ ନିଷ୍ପତ୍ତି ନେବ ବୋଲି ଡିଲେନ୍‌ କହିଛନ୍ତି। ଇତି ମଧ୍ୟରେ ସମାନ୍ତରାଳ ସଂଘ ବିବାଦ ମାମଲା ଏକ ଅଦାଲତରେ ବିଚାରଧୀନ ଥିବାରୁ ଆଉ କିଛି ଦିନ ମହଲତ ଦେବାକୁ ଭାରତୀୟ ସଂଘ ଅନୁରୋଧ କରିଥିଲା ବେଳେ ବିଶ୍ବ ମହାସଂଘ ଏହାକୁ ପ୍ରତ୍ୟାଖାନ କରିଦେଇଛି। ଏପରିକି ଅଦାଲତରେ ଏହି ମାମଲା‌ର ଶୁଣାଣିର ଗୋଟିଏ ଦିନ ପୂର୍ବରୁ ହିଁ ବିଶ୍ବ ମହାସଂଘ ନିଲମ୍ବନ ଆଦେଶ ଜାରି କରିଛି। ଏହା ପୂର୍ବରୁ ସମାନ ବିଶୃଙ୍ଖଳା ପାଇଁ ବିଶ୍ବ ମହାସଂଘ ଗତବର୍ଷ ଅକ୍ଟୋବରରେ ମଧ୍ୟ ପୋଲାଣ୍ଡ ତୀରନ୍ଦାଜୀ ସଂଘକୁ ନିଲମ୍ବିତ କରିଥିଲା। ପରେ ସମାଧାନର ବାଟ ବାହାରି ଯାଇଥିବାରୁ ଚଳିତ ବର୍ଷ ଫେବ୍ରୁ୍ଆରିରେ ନିଲମ୍ବନ ଉଠାଇ ନେଇଥିଲା।

ଏଠାରେ ସୂଚନାଯୋଗ୍ୟ, ନଭେମ୍ବରରେ ବ୍ୟାଙ୍କକ୍‌ରେ ଆୟୋଜିତ ଏସୀୟ ପ୍ରତିଯୋଗିତା ଓ ଏସୀୟ ପାରା ପ୍ରତିଯୋଗିତା ଅଲିମ୍ପିକ୍‌ ଟିକେଟ୍‌ ପାଇଁ ଭାରତୀୟ ପ୍ରତିଯୋଗୀଙ୍କ ନିମନ୍ତେ ଗୁରୁତ୍ବପୂର୍ଣ୍ଣ। ୩ ପୁରୁଷ ଆଥ୍‌ଲେଟ୍‌ ଏପର୍ଯ୍ୟନ୍ତ ଅଲିମ୍ପିକ୍‌ ଟିକେଟ୍‌ ପକ୍କା କରିସାରିଥିଲା ବେଳେ ମହିଳାଙ୍କୁ ଅପେକ୍ଷା କରିବାକୁ ପଡ଼ିଛି। ପୁଣି ସେହି ସମୟରେ ଆୟୋଜିତ ଇନ୍‌ଡୋର ବିଶ୍ବ ତୀରନ୍ଦାଜୀ ଶୃଙ୍ଖଳାରେ ଭାରତର କୌଣସି ଆଥ୍‌‌ଲେଟ୍‌ ଅଂଶଗ୍ରହଣ କରିପା‌ରିବେ ନା ନାହିଁ ସେ ନେଇ ବିଶ୍ବ ମହାସଂଘ ନିଷ୍ପତ୍ତି ନେବ। ନଭେମ୍ବରରୁ ଆସନ୍ତାବର୍ଷ ଫେବ୍ରୁଆରି ମଧ୍ୟରେ ଇନ୍‌ଡୋର ବିଶ୍ବ ଶୃଙ୍ଖଳା ଆୟୋଜିତ ହେବ। ଏହା ଜାତୀୟ ଦଳ ବ୍ୟତୀତ ସମସ୍ତ ଆଥ୍‌ଲେଟ୍‌ଙ୍କ ପାଇଁ ଖୋଲା ରହିଛି। ହେଲେ ଆଥ୍‌ଲେଟ୍‌ ଜାତୀୟ ସଂଘର ନିଶ୍ଚିତ ସଦସ୍ୟ ଥିବାର ନିୟମ ଯୋଗୁଁ ଭାରତୀୟ ଆଥ୍‌ଲେଟ୍‌ ଏଥିରୁ ବଞ୍ଚିତ ହେବା ଆଶଙ୍କା ସୃଷ୍ଟି ‌ହୋଇଛି।

ଏଠାରେ ସୂଚନଯୋଗ୍ୟ, ଭାରତରେ ସମାନ୍ତରାଳ ଦୁଇଟି ସଂଘ ନିର୍ବାଚନ କରାଯାଇଛି। ଜୁନ୍‌ ୯ ତାରିଖରେ ଉଭୟ ନୂଆଦିଲ୍ଲୀ ଓ ଚଣ୍ଡୀଗଡ଼ରେ ଦୁଇଟି ସଂଘ ମୁଣ୍ଡ ଟେକିଛି। ଭାରତୀୟ ତୀରନ୍ଦାଜୀ ସଂଘ ମଧ୍ୟ ଦୁଇ ଜଣ ସଭାପତି ନିର୍ବାଚିତ କରିଛି। ଅର୍ଜୁନ ମୁଣ୍ଡା ଗୋଟିଏ ସଂଘର ସଭାପତି ନିର୍ବାଚିତ ହୋଇଥିଲା ବେଳେ ୨୦ ରାଜ୍ୟ ସଂଘ ତାଙ୍କୁ ସମର୍ଥନ ଦେଇଛି। ଅନ୍ୟପକ୍ଷରେ ବିଭିପି ରାଓ ଆଉ ଏକ ସଂଘର ସଭାପତି ନିର୍ବାଚିତ ହୋଇଥିଲା ବେଳେ ୧୦ ରାଜ୍ୟ ସଂଘର ସମର୍ଥନ ତାଙ୍କ ପଛରେ ରହିଛି। ନିର୍ବାଚନ ପର୍ଯ୍ୟବେକ୍ଷକ ଭାବେ ବିଶ୍ବ ମହାସଂଘ କାଜି ଉଦ୍ଦିନ୍‌ ଅହମ୍ମଦଙ୍କୁ ତା’ର ପ୍ରତିନିଧି ଭାବେ ପଠାଇଥିଲା। ହେଲେ ଉଭୟ ସଂଘ ଗୋଟିଏ ନିର୍ବାଚନ କରିବା ପାଇଁ ରାଜି ହୋଇନଥିଲେ। ଏହା ହିଁ ବିଶ୍ବ ମହାସଂଘକୁ ସନ୍ତୁଷ୍ଟ କରିପାରିନଥିଲା।

ସମ୍ବନ୍ଧିତ ଖବର