ବିଶ୍ବକପ୍‌ର ୫ ସର୍ବୋଚ୍ଚ ସ୍କୋର ଅଷ୍ଟ୍ରେଲିଆ: ୪୧୭/୬ ବନାମ ଆଫଗାନିସ୍ତାନ, ପର୍ଥ (୨୦୧୫)

ପର୍ଥର ୱାକା ଷ୍ଟାଡିୟମରେ ଅଷ୍ଟ୍ରେଲିଆ କରିଥିବା ୪୧୭/୬ ବିଶ୍ବକପ୍‌ର ସର୍ବୋଚ୍ଚ ଦଳଗତ ସ୍କୋର ହୋଇ ରହିଛି। ୨୦୧୫ ମାର୍ଚ ୪ ତାରିଖରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ଆଫଗାନିସ୍ତାନ ଅଧିନାୟକ ମହମ୍ମଦ ନବି ଟସ୍ ଜିତି ଅଷ୍ଟ୍ରେଲିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଅଷ୍ଟ୍ରେଲିଆର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଆରୋନ ଫିଞ୍ଚ ତୃତୀୟ ଓଭରରେ ଆଉଟ୍ ହୋଇ ଯାଇଥିଲେ। ହେଲେ ଡେଭିଡ୍ ୱାର୍ନର ବିସ୍ଫୋରକ ବ୍ୟାଟିଂ କରି ଆଫଗାନ ବୋଲରଙ୍କ ହୋ‌ସ ଉଡ଼ାଇ ଦେଇଥିଲେ। ନିଜ ୧୭୮ ରନ୍‌ ପାଳି ଭିତରେ ସେ ୫ ଛକା ଏବଂ ୧୯ ଚୌକା ମାରିଥିଲେ। ମାତ୍ର ୪୦ ବଲ୍‌ରୁ ଅର୍ଧଶତକ ହାସଲ କରିବା ପରେ ୯୨ ବଲ୍‌ରୁ ଶତକ ଛୁଇଁଥିଲେ। ସେହିଭଳି ୧୧୬ ବଲ୍‌ରୁ ଢେଢ଼ ଶହ ରନ୍ ପୂରଣ କରିଥିଲେ। ୧୩୩ ବଲ୍‌ରୁ ୱାର୍ନର ଏହି ସ୍ମରଣୀୟ ପାଳି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଷ୍ଟିଭେନ ସ୍ମିଥ୍ ୯୫ ଏବଂ ଗ୍ଲେନ୍ ମ୍ୟାକ୍ସୱେଲ୍ ୮୮ ରନ୍ କରିଥିଲେ। ଅଷ୍ଟ୍ରେଲିଆ ୪୮.୩ ଓଭରରେ ୪୦୦ ରନ୍ ଛୁଇଁଥିଲା। ଆଫଗାନିସ୍ତାନ ପାଇଁ ୪୧୮ ରନ୍‌ର ବିଜୟ ଲକ୍ଷ୍ୟ ଅସମ୍ଭବ ମନେ ହୋଇଥିଲା। ଆଉ ଏହା ହିଁ ହୋଇଥିଲା। ଅନିଭଜ୍ଞ ଆଫଗାନିସ୍ତାନ ସମସ୍ତ ୱିକେଟ୍ ବିନିମୟରେ ୧୪୨ ରନ୍ କରି ପାରିଥିଲା। ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୨୭୫ ରନ୍‌ର ବୃହତ୍ ବ୍ୟବଧାନରେ ଜିତି ନେଇଥିଲା।

ଭାରତ: ୪୧୩/୫ ବନାମ ବମୁର୍ଡ଼ା, ‌ପୋର୍ଟ ଅଫ୍ ସ୍ପେନ୍ (୨୦୦୭)
ଭାରତର ୨୦୦୭ ବିଶ୍ବକପ୍ ଅଭିଯାନର ଏକମାତ୍ର ଭଲ କଥା ଏହି ମ୍ୟାଚ୍ ଥିଲା। ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିବା ବିଶ୍ବକପ୍‌ର ୨୦୦୭ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ଭାରତ ଆଶ୍ଚର୍ଯ୍ୟଜନକ ଭାବେ ବାଂଲାଦେଶଠାରୁ ହାରି ଯାଇଥିଲା। ଫଳରେ ପ୍ରତିଯୋଗିତାରେ ତିଷ୍ଠି ରହିବା ଲାଗି ବମୁର୍ଡ଼ା ବିପକ୍ଷରେ ବଡ଼ ବିଜୟର ଦରକାର ଥିଲା। ଟସ୍ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଭାରତ କିନ୍ତୁ ଭଲ ଆରମ୍ଭ କରି ପାରି ନଥିଲା। ଦ୍ବିତୀୟ ଓଭରରେ ରବିନ ଉଥାପ୍ପାଙ୍କୁ ହରାଇ ସଙ୍କଟରେ ପଡ଼ିଥିଲା। ପୁଥୁଳାକାୟ ଶରୀର ବିଶିଷ୍ଟ ଡ୍ବେନ୍ ଲିଭରରକ୍ ଡାଇଭ୍ ମାରି କ୍ୟାଚ୍ ନେବା ସେହି ମ୍ୟାଚ୍‌ର ଅନ୍ୟତମ ଚର୍ଚିତ ବିଷୟ ଥିଲା। ତେବେ ବୀରେନ୍ଦ୍ର ସେହବାଗଙ୍କ ୧୧୪ (୮୭ ବଲ୍), ସୌରଭ ଗାଙ୍ଗୁଲିଙ୍କ ୮୯ ଏବଂ ଯୁବରାଜ ସିଂହଙ୍କ ୮୩ (୪୬ ବଲ୍) ରନ୍ ବଳରେ ଭାରତ ନିର୍ଧାରିତ ୫୦ ଓଭରରେ ୫ ୱିକେଟ୍ ବିନିମୟରେ ୪୧୩ ରନ୍‌ର ବିଶାଳ ସ୍କୋର କରି ନେଇଥିଲା। ଏହା କରି ଭାରତ ସେତେବେଳେ ବିଶ୍ବକପର ସର୍ବୋଚ୍ଚ ଦଳଗତ ସ୍କୋର କରିବାର ଗୌରବ ଅର୍ଜନ କରିଥିଲା। ଏହି କ୍ରମରେ ଭାରତ ପଡ଼ୋଶୀ ଶ୍ରୀଲଙ୍କାକୁ ଟପିଥିଲା। ଶ୍ରୀଲଙ୍କା ୧୯୯୬ ବିଶ୍ବକପରେ କେନିଆ ବିପକ୍ଷରେ କରିଥିବା ୩୯୮ ରନ୍ ସେତେବେଳ ପର୍ଯ୍ୟନ୍ତ ବିଶ୍ବକପର ସର୍ବୋଚ୍ଚ ଦଳଗତ ରନ୍ ଥିଲା। ଭାରତ କିନ୍ତୁ ପରବର୍ତୀ ଗ୍ରୁପ୍ ମ୍ୟାଚରେ ଶ୍ରୀଲଙ୍କାଠାରୁ ୬୯ ରନ୍‌ରେ ପରାଜିତ ହୋଇ ପ୍ରଥମ ପର୍ଯ୍ୟାୟରୁ ଦୁଃଖଦ ବିଦାୟ ନେଇଥିଲା। ନିଜ ଗ୍ରୁପର ତୃତୀୟ ସ୍ଥାନରେ ରହିଥିବାରୁ ରାହୁଲ ଦ୍ରାବିଡ଼ଙ୍କ ଦଳ ସୁପର-୮କୁ ଯାଇ ପାରି ନଥିଲା।

ଦକ୍ଷିଣ ଆଫ୍ରିକା: ୪୧୧/୪ ବନାମ ଆୟର୍ଲାଣ୍ଡ, କାନବେରା (୨୦୧୫)
ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆରେ ଆୟୋଜିତ ହୋଇଥିବା ୨୦୧୫ ବିଶ୍ବକପରେ ଦକ୍ଷିଣ ଆଫ୍ରିକା ଦୁର୍ବଳ ଆୟର୍ଲାଣ୍ଡ ବିପକ୍ଷରେ ୪୧୧ ରନ୍‌ର ବିଶାଳ ସ୍କୋର କରିଥିଲା। ୱିକେଟ୍ ରକ୍ଷକ ବ୍ୟାଟ୍ସମ୍ୟାନ୍ କ୍ବିଣ୍ଟନ୍ ଡି’ କକଙ୍କୁ ତୃତୀୟ ଓଭରରେ ହରାଇବା ସତ୍ତ୍ବେ ହାସିମ ଆମଲା (୧୫୯) ଓ ଫାଫ୍ ଡୁ’ ପ୍ଲେସିସ୍ (୧୦୯)ଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ୪୦୦ ରନ୍ ଟପି ଯାଇଥିଲା। ଦକ୍ଷିଣ ଆଫ୍ରିକା ଅଷ୍ଟାଦଶ ଓଭରରେ ୧୦୦ ରନ୍ ଛୁଇଁଥିଲା। ଏହି ମ୍ୟାଚ୍‌ରେ ବିରାଟ କୋହଲିଙ୍କୁ ଟପି ଆମଲା‌ ୨୦ ଶତକ ହାସଲରେ ଦ୍ରୁତତମ ଖେଳାଳି ହୋଇଥିଲେ। ଜବାବରେ ଆୟର୍ଲାଣ୍ଡ ୪୫ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୨୧୦ ରନ୍ କରି ପାରିଥିଲା। ଫଳରେ ୨୦୧ ରନ୍‌ରେ ପରାଜିତ ହୋଇଥିଲା।

ଦକ୍ଷିଣ ଆଫ୍ରିକା: ୪୦୮/୫ ବନାମ ୱେଷ୍ଟଇଣ୍ଡିଜ୍, ସିଡ୍‌ନି (୨୦୧୫)
ନ୍ୟୁଜିଲାଣ୍ଡ-ଅଷ୍ଟ୍ରେଲିଆ ୨୦୧୫ ବିଶ୍ବକପରେ ଦକ୍ଷିଣ ଆଫ୍ରିକା କାରବୀୟ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ମଧ୍ୟ ୪୦୦ ରନ୍ ଟପିଥିଲା। ସିଡନି ପଡ଼ିଆରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳା ଯାଇଥିବା ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପୁଣି ଥରେ ନିଜ ବିସ୍ଫୋରକ ରୂପର ଝଲକ ଦେଖାଇଥିଲା। ପାଞ୍ଚ ନମ୍ବରରେ ବ୍ୟାଟିଂ କରି ଏବି ଡି’ଭିଲିୟର୍ସ ଧମାକାଦାର ୧୬୨ ରନ୍ (୬୬ ବଲ୍) କରିବା ପରେ ଦକ୍ଷିଣ ଆଫ୍ରିକା ନିର୍ଧାରିତ ୫୦ ଓଭରରେ ୫ ୱିକେଟ୍ ହରାଇ ୪୦୮ ରନ୍ କରିଥିଲା। ହାସିମ ଆମଲା ୬୫, ଫାଫ୍ ଡୁ’ପ୍ଲେସିସ୍ ୬୨ ଏବଂ ରିଲେ ରୁ‌ଷୋ ୬୧ ରନ୍ କରିଥିଲେ। ଡି’ଭିଲିୟର୍ସ ୩୦ ବଲ୍‌ରୁ ଅର୍ଧଶତକ, ୫୨ରୁ ଶତକ ଏବଂ ୬୪ ବଲରୁ ଦେଢ ଶହ ରନ୍ ଛୁଇଁଥିଲେ। ନିଜ ବିସ୍ଫୋରକ ପାଳିରେ ସେ ୮ ଛକା ଏବଂ ୧୭ ଚୌକା ମାରିଥିଲେ। ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ ହୋଲ୍ଡର ନିଜ ୧୦ ଓଭରରେ ୧୦୪ ରନ୍ ବ୍ୟୟ କରିଥିଲେ। ଶେଷ ୨୦ ଓଭରରେ ଦକ୍ଷିଣ ଆଫ୍ରିକା ୨୬୧ ରନ୍ ଅମଳ କରିଥିଲା। ଦକ୍ଷିଣ ଆଫ୍ରିକା ଧୂଲେଇରେ ହତାଶ ୱେଷ୍ଟଇଣ୍ଡିଜ୍ ୩୩.୧ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୫୧ ରନ୍ କରି ପାରିଥିଲା। ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌କୁ ୨୫୭ ରନ୍‌ରେ ଜିତିଥିଲା।

ଶ୍ରୀଲଙ୍କା: ୩୯୮/୫ ବନାମ କେନିଆ, କାଣ୍ଡି (୧୯୯୬)
ଭାରତୀୟ ଉପ ମହାଦେଶରେ ଆୟୋଜିତ ୧୯୯୬ ବିଶ୍ବକପ୍‌ରେ ଶ୍ରୀଲଙ୍କା ଅଚାନକ ନୂଆ କ୍ରିକେଟ୍ ମହାଶକ୍ତି ଭାବେ ଉଭା ହୋଇଥିଲା। ସନଥ ଜୟସୁରିୟାଙ୍କ ଧମାକାଦାର ବ୍ୟାଟିଂ ଏବଂ ଅର୍ଜୁନ ରଣତୁଙ୍ଗାଙ୍କ ନେତୃତ୍ବରେ ଶ୍ରୀଲଙ୍କା ପ୍ରଥମ ଥର ପାଇଁ ବିଶ୍ବକପ୍ ଜିତିଥିଲା। କାଣ୍ଡିରେ ଖେଳାଯାଇଥିବା କେନିଆ ବିପକ୍ଷ ଏହି ମ୍ୟାଚ୍‌ରେ ଜୟସୁରିଆ (୪୪) ଓ ରମେଶ କାଲୁବିତରଣା (୩୩) ଭଲ ଆରମ୍ଭ ଦେଇଥି‌ଲେ। ଏହା ପରେ ଅସଙ୍କା ଗୁରୁସିଂହା ୮୪ ରନ୍‌ର ଧୂଆଁଧାର ପାଳି ଖେଳିଥିଲେ। ଅରବିନ୍ଦ ଡି’ସିଲଭା ୧୪୫ ରନ୍ କରିବା ସହ ରଣତୁଙ୍ଗା ୭୫ ରନ୍ କରିଥିଲେ। ଏହାର ଜବାବରେ କେନିଆ ୭ ୱିକେଟ ବିନିମୟରେ ୨୫୪ ରନ୍ କରି ପାରିଥିଲା। ଶ୍ରୀଲଙ୍କା ୧୪୪ ରନ୍‌ରେ ବିଜୟୀ ହେବା ସହ ସେତେବେଳେ ବିଶ୍ବକପ୍‌ର ସର୍ବୋଚ୍ଚ ଦଳଗତ ରନ୍ କରିବାର କୀର୍ତ୍ତିମାନ କରିଥିଲା।

ସମ୍ବନ୍ଧିତ ଖବର