ବିଶ୍ବକପ୍‌ ପୂର୍ବରୁ କ୍ରୋଏସିଆ ଯିବେ ଯଶପାଲ୍‌

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ ପୂର୍ବରୁ ଭାରତୀୟ ବଂଧୁକଚାଳନା ଦଳ କ୍ରୋଏସିଆରେ ଆଇଏସଏସ୍‌ଏଫ୍‌ ବିଶ୍ବକପ୍‌ରେ ଅଂଶଗ୍ରହଣ କରିବ। ଏଥି ପାଇଁ ୟୁରୋପୀୟ ସର୍କିଟରେ ଛି ପ୍ରତିଯୋଗିତାରେ ଖେଳିବାକୁ କ୍ରୋଏସିଆ ଗସ୍ତ କରି ସାରିଥିବା ଭାରତୀୟ ଦଳ ସହ ଖୁବ୍ ଶୀଘ୍ର ପିସ୍ତଲ୍ ପ୍ରଶିକ୍ଷକ ଯଶପାଲ୍ ରାଣା ସାମିଲ ହେବେ। କୋଭିଡ୍‌ ପରିସ୍ଥିତି କାରଣରୁ ଦଳ ସହ ଯିବାକୁ ଅମଙ୍ଗ ହୋଇଥିବା ଯଶପାଲ୍ ଏବେ ଯିବାକୁ ପ୍ରସ୍ତୁତ ହେଉଛନ୍ତି।

ମୁଁ ଦଳ ସହ ଜୁନ୍‌ ୧୧ ତାରିଖ ସୁଧା ଯୋଗଦେବି ବୋଲି କହିଛନ୍ତି ଏହି ପୂର୍ବତନ ମହାନ ବନ୍ଧୁକଚାଳକ। କୋଭିଡ୍‌ ମହାମାରୀର ଦ୍ବିତୀୟ ଲହର କାରଣରୁ ଭାରତୀୟ ଦଳ କ୍ରୋଏସିଆ‌ର ଓସିଜେକ୍‌ରେ ମଧ୍ୟ ଜାତୀୟ ଶିବିର ଆୟୋଜନ କରିଛି। ବିଶ୍ବକପ୍‌ ପରେ ଭାରତୀୟ ଦଳ ସେଠାରୁ ସିଧାସଳଖ ଟୋକିଓ ଅଲିମ୍ପିକ୍ସ ଯିବ ବୋଲି ଯୋଜନା ରହିଛି। କୋଭିଡ୍ କାରଣରୁ ଯଶପାଲ୍ ରାଣାଙ୍କ ସହ ଅନ୍ୟ ଦୁଇ ଜାତୀୟ ପ୍ରଶିକ୍ଷକ ରୋନକ ପଣ୍ଡିତ ଏବଂ ସମରେଶ ଜଙ୍ଗ ମଧ୍ୟ ଦଳ ସହ ଯିବାକୁ ପ୍ରଥମରୁ ଅମଙ୍ଗ ଥିଲେ। ପଣ୍ଡିତ ଏବଂ ମୁଖ୍ୟ ପିସ୍ତଲ୍ ପ୍ରଶିକ୍ଷକ ପାଭେଲ୍ ସ୍ମିର୍ଣ୍ଣୋଭ୍‌ ଶନିବାର କ୍ରୋଏସିଆ ଗସ୍ତ କରିଛନ୍ତି। ଜୁନ୍ ୬ ତାରିଖରେ ସମରେଶ ଜଙ୍ଗ ଯାତ୍ରା କରିବେ। ସୂଚନାଯୋଗ୍ୟ, ଓସିଜେକ୍‌ରେ ଜୁନ୍‌ ୨୨ରୁ ଜୁଲାଇ ୩ ପର୍ଯ୍ୟନ୍ତ ବିଶ୍ବକପ୍‌ ଖେଳାଯିବ। ରାଣା ସେଠାରୁ ଟୋକିଓ ଅଲିମ୍ପିକ୍ସ ମଧ୍ୟ ଯିବେ।

ସମ୍ବନ୍ଧିତ ଖବର