୧୦୧ ଗ୍ରାମର ୨୫ହଜାର ଲୋକ ବନ୍ୟା ପ୍ରଭାବିତ

ଘାଇ ମରାମତିକୁ ନେଇ ଜଳସେଚନ ଓ ଡ୍ରେନେଜ୍ ବିଭାଗ ମଧ୍ୟରେ ଟଣାଓଟରା

ଯାଜପୁର/ଦଶରଥପୁର/ବିଂଝାରପୁର : ବାତ୍ୟା ୟାସ୍ ପ୍ରଭାବରେ ଯାଜପୁର ଜିଲ୍ଲାର ବୈତରଣୀରେ ଆସିଥିବା ଅଚାନକ ବନ୍ୟାରେ ୪ଟି ବ୍ଲକ୍‌ର ୨୫ହଜାର ଲୋକ ପ୍ରଭାବିତ ହୋଇଛନ୍ତି । ଆଜି ୨ଟି ଘାଇ ମରାମତି ଆରମ୍ଭ ହୋଇଥିବା ବେଳେ ଦୁଦୁରାଅନ୍ତା ଓ କଣ୍ଟପଡାର ଅନ୍ୟ ୩ଟି ଘାଇ ମରାମତି ଜଳସେଚନ ବିଭାଗ କରିବ ନାହିଁ ବୋଲି ଅଧିକାରୀମାନେ ପ୍ରକାଶ କରିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ବନ୍ୟା ପାଇଁ ୧୪୫୩ଜଣଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନାନ୍ତର କରାଯାଇଛି। ବାତ୍ୟା ସହିତ ବନ୍ୟା ଯୋଗୁଁ ଶହ ଶହ ପନିପରିବା ଚାଷୀ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ୮୧୯ହେକ୍ଟର ଚାଷ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି।

ପ୍ରକାଶ ଥାଉକି ବାତ୍ୟା ୟାସ୍ ପ୍ରଭାବରେ ବୈୖତରଣୀ ନଦୀର ଉପରେ ମୁଣ୍ଡ କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ବର୍ଷା ହେବା ଫଳରେ ଯାଜପୁର ଜିଲ୍ଲାରେ ବାତ୍ୟା ପରେ ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଗତକାଲି ରାତିରୁ ବନ୍ୟା ଜଳ ବିପଦ ସଙ୍କେତ ତଳକୁ ଖସିଯାଇଛି। ଫଳରେ ବୈତରଣୀ ନଦୀର ଶାଖା କାଣୀ ନଦୀର ପଲାସାହି ଠାରେ ହୋଇଥିବା ୫୦ଫୁଟ୍ ଘାଇ ମରାମତି ଆଜିଠାରୁ ଜଳସେଚନ ବିଭାଗ ଆରମ୍ଭ କରିଛି।‌ ଅପରପକ୍ଷରେ ଦୁଦୁରାଅନ୍ତା ପଞ୍ଚାୟତର କଣ୍ଟପଡ଼ା ଠାରେ ହୋଇଥିବା ୩୦ଫୁଟର ୨ଟି ଘାଇ ଓ ୫୦ଫୁଟର ଗୋଟିଏ ଘାଇ ମରାମତି କରାଯିବ ନାହିଁ ବୋଲି ଜଳସେଚନ ବିଭାଗ ଅଧିକାରୀ କହିଛନ୍ତି। ଏହି ବନ୍ଧ ଡ୍ରେନେଜ୍ ବିଭାଗର ବୋଲି ଜଳସେଚନ ବିଭାଗ କନିଷ୍ଠ ଯନ୍ତ୍ରୀ ସଫେଇ ଦେଇଛନ୍ତି। ଜଳସମ୍ପଦର ଦୁଇଟି ବିଭାଗ ମଧ୍ୟରେ ବିବାଦକୁ ନେଇ ଲୋକମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେହିପରି ବୈତରଣୀ ନଦୀର ଶାଖା ବୁଢା ନଦୀରେ ବନ୍ୟାଜଳ ଯୋଗୁଁ ଖରସ୍ରୋତାର ଶାଖା ନୂଆମାହାରାର ବିଂଝାରପୁର ବ୍ଲକ୍ର‌ ନାଉବାଙ୍କ ଠାରେ ହୋଇଥିବା ଘାଇ ମରାମତି ଆରମ୍ଭ ହୋଇଛି।

ଚଳିତ ବର୍ଷ ବୈତରଣୀର ପ୍ରଥମ ବନ୍ୟାରେ ଯାଜପୁର ବ୍ଲକ୍ ସହିିତ କୋ‌ରେଇ, ଦଶରଥପୁର ଓ ବିଂଝାରପୁର ବ୍ଲକ୍ ପ୍ରଭାବିତ ହୋଇଛି। ଏହି ୪ଟି ବ୍ଲକ୍ର‌ ୩୯ପଞ୍ଚାୟତ ଅନ୍ତର୍ଗତ ୧୦୧ଗାଁର ୨୫ହଜାର ୫୩ଜଣ ଲୋକ ପ୍ରଭାବିତ ହୋଇଛନ୍ତି। ୭୬ ଗ୍ରାମର ୧୩ହଜାର ୭୦୫ ଲୋକ ପାଣି ଘେରରେ ରହିଛନ୍ତି। ୧୩ଟି ଗ୍ରାମର ୧୪୫୩ଜଣଙ୍କୁ ସ୍ଥାନାନ୍ତର କରାଯାଇଛି ବୋଲି ଜିିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ୯ଟି କେନ୍ଦ୍ରରେ ରନ୍ଧାଖାଦ୍ୟ ପ୍ରଦାନ କରାଯାଇଛି। ୪ଟି ମେଡିକାଲ ଟିମ୍ ଓ ୪ଟି ପ୍ରାଣୀ ଚିକିତ୍ସା ବିଭାଗଟିମ୍‌ ବନ୍ୟା ଅଞ୍ଚଳରେ କାମ କରୁଛନ୍ତି। ବାତ୍ୟା ପରେ ପରେ ବନ୍ୟା ଯୋଗୁଁ ୮୧୯ହେକ୍ଟର ଚାଷ କ୍ଷତିଗ୍ରସ୍ତ ହୋଇଛି।

ସମ୍ବନ୍ଧିତ ଖବର