ସୁବ୍ରତ କୁମାର ସାମଲ
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ସ୍ବତନ୍ତ୍ର ଜିଲ୍ଲା ଗଠନକୁ ୩୦ ବର୍ଷ। ଏହି ପୂର୍ତ୍ତି ଅବସରରେ ଏବେ ଜିଲ୍ଲା କ’ଣ ପାଇଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, କୃଷି, କର୍ମ ନିଯୁକ୍ତିରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲା ଏବେ ବି ପଛରେ ପଡ଼ିଥିବା କୁହାଯାଉଛି। ବର୍ତ୍ତମାନ ରାଜ୍ୟର ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ହେଉଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବିଧାନସଭାର ବିଧାୟକ। କିନ୍ତୁ, କେନ୍ଦ୍ରାପଡ଼ାରେ ଏଯାଏ ବୃହତ୍ ଶିଳ୍ପ ତ ଦୂରର କଥା ମଧୢମ ଶିଳ୍ପ ପ୍ରତିଷ୍ଠା ବି ସମ୍ଭବ ହେଇପାରିନାହିଁ। ଅତୀତରେ ରାଜ୍ୟ ସରକାର ଶିଳ୍ପକୁ ନେଇ ଯେତେ ସ୍ବପ୍ନ ଦେଖାଇଛନ୍ତି, ତାହା ସ୍ବପ୍ନରେ ରହି ଯାଇଛି।
୪ ବର୍ଷ ତଳେ ମହାକାଳପଡ଼ାରେ ମହାନଦୀର ବାମ ପାର୍ଶ୍ବରେ ଥିବା ଆଖଡ଼ାଶାଳି ଗ୍ରାମ ନିକଟରେ ଏକ ନଦୀଭିତ୍ତିକ ବନ୍ଦର ପ୍ରତିଷ୍ଠା କରାଯିବ ବୋଲି ସରକାର ଘୋଷଣା କରି ୨୦୧୮, ଜୁଲାଇରେ ଏହି ପ୍ରକଳ୍ପର ବୈଷୟିକ ମଞ୍ଜୁରୀ ଦେଇଥିଲେ। ଏହାଦ୍ବାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପାଖାପାଖି ଛଅ ହଜାର ଲୋକ ନିଯୁକ୍ତି ପାଇବେ ବୋଲି କୁହାଯାଇଥିଲା। ହେଲେ, ବର୍ତ୍ତମାନ ଏହି ବନ୍ଦର ପ୍ରତିଷ୍ଠା ପାଇଁ କୌଣସି ସ˚ସ୍ଥା ଆଗ୍ରହ ଦେଖାଉ ନଥିବା ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଉତ୍ତର ରଖିବା ସହିତ ପ୍ରକଳ୍ପର ଅନୁଧ୍ୟାନ ନିମନ୍ତେ ଇଡ୍କୋକୁ ଦାୟିତ୍ବ ଦିଆଯାଇଥିବା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନୁରୂପ ଭାବେ ୨୦୨୧ରେ ଆର୍ସେଲ୍ ମିତ୍ତଲ ନିପନ୍ ଷ୍ଟିଲ୍ ଦେଶର ସର୍ବବୃହତ୍ ଇସ୍ପାତ ଶିଳ୍ପ ଓ ସିମେଣ୍ଟ୍ କାରଖାନା ମହାକାଳପଡ଼ାରେ ବସାଇବାକୁ ଯାଉଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି। ମୋଟ ୧.୨ଲକ୍ଷ କୋଟି ବ୍ୟୟରେ ହେବାକୁ ଥିବା ଏହି ବୃହତ୍ ପ୍ରକଳ୍ପ ନିମନ୍ତେ କିନ୍ତୁ ଏଯାଏ ଭିତ୍ତିଭୂମି ସୁଦୃଢ଼ିକରଣ କାମ ଆରମ୍ଭ ହୋଇନାହିଁ। ବିଧାନସଭାରେ ମନ୍ତ୍ରୀ ଶ୍ରୀ ଦେବ ଦେଇଥିବା ତଥ୍ୟ ମୁତାବକ ୨୦୨୧–୨୨ସୁଦ୍ଧା ୩୮୨ଟି କ୍ଷୁଦ୍ର ଶିଳ୍ପ ପ˚ଜୀକୃତ ହୋଇଥିବା ବେଳେ ମାତ୍ର ୧୨୯୧ଜଣ ନିଯୁକ୍ତି ପାଇଛନ୍ତି। କିନ୍ତୁ, କେତେ ଶିଳ୍ପ କାର୍ଯ୍ୟକ୍ଷମ ଅବସ୍ଥାରେ ଅଛି, ତାର ହିସାବ ନାହିଁ।
ଶିଳ୍ପରେ ଆଗୁଆ; ଶିକ୍ଷାରେ ପଛୁଆ
ସନ୍ଦୀପ ଲେଙ୍କା
ଜଗତସିଂହପୁର: ୧୯୯୩, ଏପ୍ରିଲ ୧ରେ କଟକରୁ ଅଲଗା ହୋଇ ଜଗତସିଂହପୁର ଜିଲ୍ଲା ଗଠନ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହାର ଦୁଇ ଦିନ ପରେ ଅର୍ଥାତ ୧୯୯୩, ଏପ୍ରିଲ ୩ ତାରିଖରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ବିଧିବଦ୍ଧ ଭାବେ ଏକ କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାକୁ ଉଦ୍ଘାଟନ କରିଥିଲେ। ଜିଲ୍ଲା ଗଠନକୁ ୩୧ ବର୍ଷ ଚାଲିଲା। ମାତ୍ର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନ କ୍ଷେତ୍ରରେ ଆଜି ବି ଏହି ଜିଲ୍ଲା ପଛରେ।
ଜଗତ୍ସିଂହପୁର ଜିଲ୍ଲାରେ ପାରାଦୀପ ବନ୍ଦର, ଆଇଓସିଲ, ପିପିଏଲ, ଇଫ୍କୋ ପରି ବୃହତ୍ ଶିଳ୍ପ ସହ ଏକାଧିକ ଛୋଟ ଛୋଟ ଶିଳ୍ପ ସଂସ୍ଥା ମଧ୍ୟ ଏଠାରେ ରହିଛି। ତଥାପି କଳା, ସଂସ୍କୃତି, ନିଯୁକ୍ତି, ପର୍ଯ୍ୟଟନ, ଶିକ୍ଷା କ୍ଷେତ୍ରରେ ଜଗତସିଂହପୁର ଆଜି ପଛରେ ପଡ଼ିଯାଇଛି। ଜଗତସିଂହପୁରକୁ ସାରା ରାଜ୍ୟରେ ଶିକ୍ଷିତ ଜିଲ୍ଲା ବୋଲି ବିବେଚନା କରାଯାଏ। ହେଲେ ଶିକ୍ଷାର ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ବର୍ତ୍ତମାନ ସୁଦ୍ଧା ୧୯୪ ସ୍କୁଲ୍ ବନ୍ଦ ହୋଇଗଲାଣି। ମୁକ୍ତ ବିଦ୍ୟାଳୟ ଅସ୍ଥାୟୀ ଭାବେ ଖୋଲା ଯାଇଛି। ବିଭିନ୍ନ ସମସ୍ୟା ଯୋଗୁଁ ଜିଲ୍ଲାରେ ଆଦର୍ଶ ବିଦ୍ୟାଳୟ ଯୋଜନା ଆଣ୍ଠେଇଛି। ଜଗତସିଂହପୁର କେନ୍ଦ୍ରୀୟ ବିଦ୍ୟାଳୟ ଏବେ ଅସ୍ଥାୟୀ ଭାବେ ତରିକୁନ୍ଦ ହାଇସ୍କୁଲ୍ରେ ଚାଲିଛି। ଏସ୍ଭିଏମ୍ ଭଳି ପ୍ରତିଷ୍ଠିତ କଲେଜ୍ ରାଜନୀତିର ପଶାପାଲିରେ ଛନ୍ଦି ହୋଇଯାଇଛି। ଜିଲ୍ଲାରେ ସରକାରୀ ଆଇଟିଆଇ, ମେଡିକାଲ୍ କଲେଜ, ଇଂଜିନିୟରି କଲେଜ ନାହିଁ। ସରକାରୀ ଯୋଜନା ଅନୁସାରେ ଗାଁ ଗହଳିରେ ରାସ୍ତା ଅବସ୍ଥା ସୁଧୁରୁଛି। ହେଲେ, କଟକରୁ ଜିଲ୍ଲା ମୁଖ୍ୟାଳୟକୁ ଭଲ ରାସ୍ତା ନାହିଁ। ଏହି ରାସ୍ତାକୁ ଜାତୀୟ ରାଜପଥ-୫୫ ବୋଲି ଘୋଷଣା କରାଯାଇଛି। ବିଭିନ୍ନ କାରଣରୁ ଏହି ଯୋଜନା ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ଏହାଛଡ଼ା ଜିଲ୍ଲାର ପରିସୀମା ୧୬୬୮ ବର୍ଗ କିମି କୁହାଯାଉଥିଲେ ହେଁ ବାସ୍ତବରେ ଜିଲ୍ଲାର ସୀମା ନିର୍ଦ୍ଧାରଣ କରାଯାଇ ନଥିବା ଜଣାପଡ଼ିଛି। ଏହି ଜିଲ୍ଲାଟି ନଦନଦୀ ଘେରା ଅଞ୍ଚଳ ଭାବେ ଜଣାଶୁଣା। ଏହାସହ ତାଳଦଣ୍ଡା କେନାଲ୍ ଓ ମାଛଗାଁ ଦୁଇଟି କେନାଲ୍ ରହିଛି। ମାତ୍ର ଚାଷ ଏବଂ ପାନୀୟ ଜଳ ପାଇଁ ଜିଲ୍ଲାବାସୀ ନାହିଁ ନଥିବା ସମସ୍ୟାରେ ପଡ଼ୁଛନ୍ତି। ରକ୍ଷଣାବେକ୍ଷଣ ଅଭାବରୁ କେତେକ ନଦୀ ମୃତ ଅବସ୍ଥାକୁ ଚାଲିଗଲେଣି।
ଆବଶ୍ୟକତା ପୂରଣ ପାଇଁ ଯୁଝୁଛନ୍ତି
ରତନ କୁମାର ପଟ୍ଟନାୟକ
ସୋନପୁର: ୩୦ ବର୍ଷ ତଳେ ୧୯୯୩ ମସିହା ଉତ୍କଳ ଦିବସରେ ଗଠନ ହୋଇଥିଲା ସୁବର୍ଣ୍ଣପୁର ଜିଲ୍ଲା। ବାଲ୍ୟ, କୈଶୋର, ଯୌବନ ବାଟଦେଇ ପରିପକ୍ବ ହୋଇଛି ଜିଲ୍ଲା। ତେବେ ହୋଇ ପାରିନାହିଁ ଆଖିଦୃଶିଆ ବିକାଶ। ଆଜି ବି ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ପରି ପ୍ରାଥମିକ ଆବଶ୍ୟକତା ପୂରଣ ପାଇଁ ଯୁଝୁଛନ୍ତି ଜିଲ୍ଲାବାସୀ। ଅସଜଡ଼ା ହୋଇ ପଡ଼ିରହିଛି ଜିଲ୍ଲାର ଜଳସେଚନ ଓ ପର୍ଯ୍ୟଟନ ଭିତ୍ତିଭୂମି। ଜିଲ୍ଲାରେ ମହାନଦୀ, ତେଲନଦୀ, ଅଙ୍ଗନଦୀ, ସୁକତେଲ ଓ ନିବୃତ୍ତି ଯୋର ନଦୀ ସାଙ୍ଗକୁ ଠେଙ୍ଗୋ ଡ୍ୟାମ୍ ଭଳି ମଧ୍ୟମ ଜଳସେଚନ ପ୍ରକଳ୍ପ ଅଛି ସତ, ହେଲେ ଜଳସେଚନର ସୁବିଧା ଆଜି ବି ସମସ୍ତଙ୍କୁ ଉପଲବ୍ଧ ହୋଇନାହିଁ। ସୋନପୁର, ତରଭା, ବୀରମହାରାଜପୁର ଓ ଉଲୁଣ୍ଡା ଭଳି ବ୍ଲକକୁ ପର୍ଯ୍ୟାପ୍ତ ଜଳସେଚନ ବ୍ୟବସ୍ଥା ନାହିଁ। ମହାନଦୀ କୂଳରେ ମେଗା ଉଠାଜଳସେଚନ ପ୍ରକଳ୍ପ ଗୁଡ଼ିକର ନିର୍ମାଣ କାର୍ଯ୍ୟର ଗତି ସନ୍ତୋଷଜନକ ନୁହେଁ। ୧୨ ବର୍ଷ ପରେ ବି ସରିନାହିଁ ରିଂ ରୋଡ୍ ନିର୍ମାଣ କାର୍ଯ୍ୟ। ୨୦୦୬ରୁ ଆରମ୍ଭ ହୋଇଥିବା ଅଙ୍ଗ ଜଳସଚେନ ପ୍ରକଳ୍ପ ସମ୍ପ୍ରସାରଣ ଯୋଜନା ୧୭ ବର୍ଷ ପରେ ବି ସମ୍ପୂର୍ଣ୍ଣ ହେବାନେଇ ଦେଖୁଛି ସ୍ବପ୍ନ। ନିକଟରେ ଏହାର କେନାଲରେ ବିଶିମୁଣ୍ଡା ପର୍ଯ୍ୟନ୍ତ ପାଣି ଆସିଛି। ସୋନପୁର ରାଜପ୍ରାସାଦ ସମେତ ପୁରାତନ ମଠ ଓ ମନ୍ଦିରଗୁଡ଼ିକର ସୁରକ୍ଷା ପାଇଁ ପଦକ୍ଷେପ ନାହିଁ।
ପାତାଳି ଶ୍ରୀକ୍ଷେତ୍ରର ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ସରକାରୀ ନାଲିଫିତା ତଳେ ୮ ବର୍ଷ ହେଲା ଚାପି ହୋଇ ରହିଛି। ରୋପ୍ ୱେ ନିର୍ମାଣ କାମକୁ ଗତ ଡିସେମ୍ବରରେ ବାତିଲ କରିଛି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ। ସୋନପୁର ସହରର ଅଷ୍ଟଚଣ୍ତୀ ଓ ଅଷ୍ଟବିଷ୍ଣୁ ମନ୍ଦିରର ସୁରକ୍ଷା ଓ ବିକାଶ ହୋଇ ପାରୁନାହିଁ। କୋଶଳେଶ୍ବର ମନ୍ଦିର, ପୂଜାଡୁଙ୍ଗୁରି, ପାପକ୍ଷୟ ଘାଟ, ଖଲିଆପାଲି ସନ୍ଥକବି ଭୀମଭୋଇଙ୍କ ସମାଧୀ ପୀଠରୁ ବିକାଶ ଅନେକ ଦୂରରେ। ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣ ମଧ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ଖୋଲିବା ଆହୁରି ବାକି। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କାର୍ଯ୍ୟାଳୟରେ ଖାଲିପଡ଼ିଛି ୧୦୨ଟି ପଦ। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ ୮୧ ଚିକିତ୍ସକ ପଦ ବି ପୂରଣ ହେବା ଅପେକ୍ଷାରେ। ସୋନପୁର ସହର ଆଜି ବି ଏକ ଅତ୍ୟାଧୁନିକ ବସଷ୍ଟାଣ୍ଡର ସ୍ବପ୍ନ ଦେଖେ। ସୋନପୁର କଲେଜକୁ ପୂର୍ଣ୍ଣ ସରକାରୀ ଓ ସ୍ବୟଂଶାସିତ ମାନ୍ୟତା ପାଇଁ ଦାବି ହେଉଛି, ହେଲେ ଶୁଣୁଛି କିଏ! ଏହି ସର୍ବପୁରାତନ କଲେଜରେ ଦୀର୍ଘବର୍ଷ ଧରି ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି। ସୋନପୁର ସହରର ପରିମଳ ବ୍ୟବସ୍ଥା ବି ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ସହରବାସୀ ଅଭିଯୋଗ କରିଆସୁଛନ୍ତି।
ସବୁଜ ଏବେ ଧୂଳିଧୂଆଁ
ପତିତପାବନ ସାହୁ
ଅନୁଗୁଳ: ଘଞ୍ଚ ଜଙ୍ଗଲ ଓ ସବୁଜ ବନାନୀ ଥିଲା ଅନୁଗୁଳର ପରିଚୟ। ଟିକରପଡ଼ାରୁ ଆଠମଲ୍ଲିକ, ଛେଣ୍ଡିପଦାରୁ ପାଳଲହଡ଼ା। ଯୁଆଡ଼େ ଦେଖିବ ଆକାଶକୁ ଛୁଉଁଥିବା ପାହାଡ଼। ବନ୍ୟପ୍ରାଣୀଙ୍କ ଆତଯାତ। ଦୁଇ ପ୍ରମୁଖ ନଦୀ ମହାନଦୀ ଓ ବ୍ରାହ୍ମଣୀ ଅନୁଗୁଳର ଶୋଭା ବଢ଼ାଉଥିଲା। ଚାଷକୁ ଜୀବନ ଓ ଜୀବିକା ଭାବେ ଗ୍ରହଣ କରିଥିଲେ ଜିଲ୍ଲାବାସୀ। ବଣ ପାହାଡ଼ ଓ ଚାଷବାସ ଲୋକଙ୍କୁ ଜୀବନର ଖୋରାକ ଯୋଗାଇଥିଲା। କିନ୍ତୁ, ସମୟ ସହ ତାଳ ଦେଇ ବଳିଯାଇଛି ଅନୁଗୁଳର ଚେହେରା। ଏହି ସବୁଜ ସୁନ୍ଦର ଜିଲ୍ଲା ଏବେ କଳା ଧୂଆଁ ଓ ଧୂଳିରେ ଭର୍ତ୍ତି ହୋଇଯାଇଛି। ଖଣିଖଦାନ ଓ ଶିଳ୍ପାନୁଷ୍ଠାନ ପାଇଁ ଅନୁଗୁଳର ପାଣି, ପବନ ପ୍ରଦୂଷିତ ହୋଇଥିଲାବେଳେ ଜଙ୍ଗଲ ପଦା ହେବାକୁ ବସିଛି।
୧୯୯୩ ମସିହା ଏପ୍ରିଲ ପହିଲାରେ ଅନୁଗୁଳ ଏକ ନୂଆ ଜିଲ୍ଲା ଭାବେ ଜନ୍ମ ହୋଇଥିଲା। ସେତେବେଳକୁ ଏଠାରେ ହାତଗଣତି ଶିଳ୍ପାନୁଷ୍ଠାନ ଥିଲା। ଗତ ୩୦ ବର୍ଷ ଭିତରେ ଅନେକ କ୍ଷୁଦ୍ର, ବୃହତ୍ ଓ ମଧ୍ୟମ ଶିଳ୍ପ ଜିଲ୍ଲାରେ ମୁଣ୍ଡ ଟେକିଛି। ଅନୁଗୁଳ, ବଅଁରପାଳ, ତାଳଚେର, କଣିହାଁ ଓ ଛେଣ୍ଡିପଦା ବ୍ଲକରେ ଶିଳ୍ପାନୁଷ୍ଠାନ ସବୁ ଗଢ଼ି ଉଠିଛି। ଏହା ଜିଲ୍ଲାର ଆର୍ଥିକ ସ୍ଥିତିକୁ ବଢ଼ାଇବାରେ ସଫଳ ହୋଇଛି। ଏପଟେ ଜିଲ୍ଲାରେ କୋଇଲା ଖଣି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାଳଚେର ଓ କଣିହାଁ ସହିତ ଏବେ ଛେଣ୍ଡିପଦା ବ୍ଲକ କୋଇଲା ହବ୍ ହେବାକୁ ଯାଉଛି। ଏକ ଡଜନ୍ରୁ ଅଧିକ କୋଇଲା ବ୍ଲକ୍ ଆବଣ୍ଟନ ସରିଥିଲାବେଳେ ଆଉ କିଛି ବର୍ଷ ଭିତରେ ଏଠାରୁ ବି କୋଇଲା ଉତ୍ପାଦନ ଆରମ୍ଭ ହୋଇଯିବ। ନାଲକୋ, ଜିନ୍ଦଲ, ଏନ୍ଟିପିସି, ଏମ୍ସିଏଲ୍ ପରି ନାମୀ କଂପାନି ସହିତ ଅନେକ ଘରୋଇ କଂପାନି ଏଠାରେ ଶିଳ୍ପାନୁଷ୍ଠାନ ବସାଇଛନ୍ତି। ତେବେ, ଖଣି ଓ ଶିଳ୍ପ ପାଇଁ ଜିଲ୍ଲାର ଅନେକ ମୂଲ୍ୟବାନ ଜଙ୍ଗଲ ବଳି ପଡ଼ିଛି। ଜଙ୍ଗଲ ପଦା ହେବା ସାଙ୍ଗକୁ ଶିଳ୍ପାନୁଷ୍ଠାନ ଗଢ଼ି ଉଠିବା ଫଳରେ ଅନୁଗୁଳ ଦେଶର ଏକ ପ୍ରଦୂଷିତ ଅଞ୍ଚଳ ଭାବେ କୁଖ୍ୟାତି ହାସଲ କରିଛି। ୩୦ ବର୍ଷ ତଳେ ଯେଉଁ ଅନୁଗୁଳ ନିରୋଳା ପ୍ରାକୃତିକ ପରିବେଶ ଭିତରେ ହସୁଥିଲା ସେହି ଅନୁଗୁଳ ଏବେ ଧୂଳିଧୂଆଁରେ ଆକ୍ତାମାକ୍ତା ହୋଇଗଲାଣି।
ବିକାଶର ନଁା ଗନ୍ଧ ନାହିଁ
ଅଶ୍ବିନୀ କୁମାର ପାଣିଗ୍ରାହୀ
ନୂଆପଡ଼ା: ଏପ୍ରିଲ ପହିଲାରେ ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ। ଚଳିତ ବର୍ଷ ଜିଲ୍ଲା ଗଠନକୁ ପୂରିବ ୩୦ ବର୍ଷ । ତଥାପି ଜିଲ୍ଲାର ଆଶାନୁରୂପ ବିକାଶ ହୋଇପାରି ନାହିଁ। ସବୁଠୁ ଅଧିକ ଗୁରୁତ୍ବପୂର୍ଣ୍ଣ ଶିକ୍ଷା କ୍ଷେତ୍ରରେ ଆଖିଦୃଶିଆ ଅଗ୍ରଗତି ପରିଲକ୍ଷିତ ହୋଇନଥିବାରୁ ବୁଦ୍ଧିଜୀବୀ ମହଲ ଉଦ୍ବେଗ ପ୍ରକାଶ କରିଛନ୍ତି। ଖଡ଼ିଆଳ ସ୍ୱୟଂଶାସିତ ଡିଗ୍ରି କଲେଜ ବ୍ୟତୀତ ଆଉ କୌଣସି ସ୍ୱୟଂ ସମ୍ପୂର୍ଣ୍ଣ ମହାବିଦ୍ୟାଳୟ ନାହିଁ। ଏପରିକି ଜିଲ୍ଲା ମୁଖ୍ୟାଳୟରେ ଭଲ କଲେଜଟିଏ ନାହିଁ। ୧୯୭୭ରୁ ସ୍ଥାପିତ ସର୍ବପୁରାତନ ନ୍ୟାସନାଲ କଲେଜକୁ ଏଯାବତ୍ ସରକାର ହାତକୁ ନେଇନାହାଁନ୍ତି। ୪୫ ବର୍ଷ ପରେ ମଧ୍ୟ ଏହା ନିଜର ଅସ୍ତିତ୍ବ ବଜାୟ ରଖିବା ପାଇଁ ସଙ୍ଘର୍ଷ କରୁଛି। ଯଦ୍ବାରା ଏ ଅଞ୍ଚଳର ଗରିବ, ଆଦିବାସୀ ଯୁବକ ଯୁବତୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଥିବା ସହ ଜାତୀୟ ତଥା ପ୍ରାଦେଶିକ ସ୍ତରରେ ପ୍ରତିଯୋଗିତା କରିବା ପାଇଁ ସକ୍ଷମ ହେଉନଥିବା ଆଲୋଚନା ହେଉଛି। ଏଣୁ ବ୍ଲକ୍ ମୁଖ୍ୟାଳୟମାନଙ୍କରେ ଅନ୍ତତଃ ଗୋଟିଏ ଲେଖାଏଁ ସରକାରୀ ଡିଗ୍ରି କଲେଜ ଏବଂ ମହିଳା ମହାବିଦ୍ୟାଳୟ ଖୋଲିବାର ନିଷ୍ପତ୍ତି ନିଆଯାଉ ବୋଲି ଜିଲ୍ଲାବାସୀଙ୍କ ପକ୍ଷରୁ ଦାବି ହେଉଛି। ସେହିପରି ନୂଆପଡ଼ାରେ ପର୍ଯ୍ୟଟନର ପର୍ଯ୍ୟାପ୍ତ କ୍ଷେତ୍ର ଅଛି। ପତୋରା, ପାତାଳ ଗଙ୍ଗା, ଗୌଧସ୍, ତିଖାଲି, ବୁଦ୍ଧିକୋମନା ଆଦିର ବିକାଶ କରାଯାଉ ନଥିବାରୁ ପର୍ଯ୍ୟଟନର ମାନଚିତ୍ରରେ ନୂଆପଡ଼ା ସ୍ଥାନ ପାଇପାରୁ ନାହିଁ। ଏହାକୁ ନେଇ ବହୁବାର ଦାବି କରାଯାଉଥିଲେ ମଧ୍ୟ ସରକାର ଆଦୌ ଆନ୍ତରିକତା ଦେଖାଉନଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି। ସେହିପରି ଜିଲ୍ଲାର ବହୁ ଗାଁକୁ ଭଲ ରାସ୍ତା ମଧ୍ୟ ହୋଇପାରି ନାହିଁ। କେରମେଲି ଗାଁକୁ ଦେଖିଲେ ଗାଁ ମାନଙ୍କର ବିକାଶ କିଭଳି ହେଉଛି ତାହା ବେଶ୍ ଜଣାପଡ଼ୁଛି। ନୂଆପଡ଼ା ଜିଲ୍ଲା ସଦରମହକୁମାଠାରୁ ଟାନୁୱାଟ ଦେଇ କେରମେଲି ପଞ୍ଚାୟତ ପେଠିଆପାଲି, ଗୋଲାବନ୍ଧ, ଟିକିରାପଡ଼ା, ବୋଇରାଭାଡି, ମାରାଗୁଡ଼ା ଯିବା ପାଇଁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନାହିଁ। ରାସ୍ତା ନିର୍ମାଣ କରିବାକୁ ଜିଲ୍ଲା ପ୍ରଶାସନ ତଥା ରାଜନେତାଙ୍କ ଆନ୍ତରିକତା ନାହିଁ ବୋଲି ଅଞ୍ଚଳବାସୀ ଉଦ୍ବେଗ ପ୍ରକାଶ କରିଛନ୍ତି। ତେବେ ଜିଲ୍ଲା ଗଠନକୁ ୩୦ ବର୍ଷ ପୂରିଥିଲେ ବି ସେଭଳି ଆଖିଦୃଶିଆ ବିକାଶ ହୋଇପାରି ନାହିଁ। ପ୍ରଶାସନିକ ଅଧିକାରୀଙ୍କ ଆନ୍ତରିକତା ଅଭାବରୁ ଏଭଳି ସ୍ଥିତି ଲାଗି ରହିଛି ବୋଲି ବୁଦ୍ଧିଜୀବୀ ମହଲ ଉଦ୍ବେଗ ପ୍ରକାଶ କରିଛନ୍ତି।
ସାଲୁଜାଙ୍କ ଦାବି ‘କଣ୍ଟାବାଞ୍ଜି’ ଜିଲ୍ଲା
ଭୁବନେଶ୍ବର: ‘କଣ୍ଟାବାଞ୍ଜି’କୁ ଜିଲ୍ଲା ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି କଂଗ୍ରେସର ବରିଷ୍ଠ ସଭ୍ୟ ସନ୍ତୋଷ ସିଂହ ସାଲୁଜା। ଆଜି ଅପରାହ୍ନରେ ବିଧାନସଭା ଗୃହରେ ସେ ଏକ ସଂକ୍ରାନ୍ତରେ ଏକ ପୋଷ୍ଟର୍ ପ୍ରଦର୍ଶନ କରିଥିଲେ। ଏଥିରେ ‘ଆମର ଦାବି କଣ୍ଟାବାଞ୍ଜି ଜିଲ୍ଲା’ ବୋଲି ଲେଖାଯାଇଥିଲା। ତେବେ ସେହି ସମୟରେ ବିଧାନସଭାରେ ବିରୋଧୀଙ୍କୁ ହୋହଲ୍ଲା ଚାଲିଥିବାରୁ ଏହି ଦାବି ସମ୍ପର୍କରେ ସାଲୁଜା କହିପାରି ନଥିଲେ।