ଏମ୍‌କେସିଜିକୁ ହତାଦର, ୧୧୩ ଡାକ୍ତର ପଦ ଖାଲି

ମୁରବିବିହୀନ ୪ ବିଭାଗ, ନାହାନ୍ତି ୩୦ ଆସୋସିଏଟ୍‌ ପ୍ରଫେସର

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାକେନ୍ଦ୍ର ବ୍ରହ୍ମପୁର ଏମ୍‌କେସିଜି ମେଡିକାଲକୁ ସରକାର ନିରନ୍ତର ଅଣଦେଖା କରି ଚାଲିଛନ୍ତି। ବିଭିନ୍ନ ସମୟରେ ଏମ୍‌କେସିଜି ମେଡିକାଲରୁ ଡାକ୍ତରଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଛି। ଆଉ ନୂଆ ନିଯୁକ୍ତି ହେଉନାହିଁ। ବଡ଼ ମେଡିକାଲକୁ ଏକପ୍ରକାର ହତାଦର କରି ଛାଡ଼ି ଦିଆଯାଇଛି। ଫଳସ୍ବରୂପ ଏମ୍‌କେସିଜି ମେଡିକାଲରେ ଡାକ୍ତର ଅଭାବ ସମସ୍ୟା ସାଂଘାତିକ ରୂପ ନେଲାଣି। ରାଜ୍ୟ ସରକାରଙ୍କ ଚରମ ଅବହେଳାର ଶିକାର ହୋଇଥିବା ଏମ୍‌କେସିଜି ମେଡିକାଲରେ ଏବେ ଡାକ୍ତର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି। ଏମ୍‌କେସିଜି ମେଡିକାଲ ପାଇଁ ମୋଟ ୪୨୬ ଡାକ୍ତର ପଦବି ମଂଜୁର ହୋଇଥିବା ବେଳେ ୧୧୩ ପଦବି ଖାଲି ପଡ଼ିଛି। ଫଳରେ ଏଠାକୁ ବିଭିନ୍ନ ବିଭାଗକୁ ପ୍ରତିଦିନ ଆସୁଥିବା ଶହ ଶହ ରୋଗୀ ଚିକିତ୍ସା ପାଇବେ କେମିତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ସୃଷ୍ଟି ହୋଇଛି।

ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ ଉପରେ ଦକ୍ଷିଣ ଓଡ଼ିଶାବାସୀ ତଥା ପଡ଼ୋଶୀ ଆନ୍ଧ୍ର ସୀମାନ୍ତ ଇଲାକାରେ ରହୁଥିବା ଲୋକ ସ୍ବାସ୍ଥ୍ୟସେବା ପାଇଁ ନିର୍ଭର କରନ୍ତି। ଏଣୁ ଏମ୍‌କେସିଜିରେ ରୋଗୀଙ୍କ ସୁବିଧାକୁ ଅଧିକ ଗୁରୁତ୍ବ ଦିଆଯାଉଛି। ରୋଗୀଙ୍କୁ ଉନ୍ନତ ଚିକିତ୍ସାସେବା ପ୍ରଦାନ ପାଇଁ ଗତ କିଛିଦିନ ତଳେ ପର୍ଯ୍ୟାୟ କ୍ରମେ ପିଏମ୍‌ଏସ୍‌ଏସ୍‌ୱାଇରେ ତିଆରି ହୋଇଥିବା ସୁପର୍‌ସ୍ପେସାଲଟି ବ୍ଲକ୍‌ର ସମସ୍ତ ବିଭାଗ କାର୍ଯ୍ୟକ୍ଷମ କରାଯାଇଛି। କିନ୍ତୁ ଡାକ୍ତର ନଥିବାରୁ ରୋଗୀଙ୍କୁ ଉପଯୁକ୍ତ ସେବା ମିଳିପାରୁ ନାହିଁ। ଏମ୍‌କେସିଜି ମେଡିକାଲ ପାଇଁ ୩୯ ପ୍ରଫେସର ପଦବି ମଂଜୁର ହୋଇଥିବା ବେଳେ ୪ ପ୍ରଫେସର ପଦବି ଖାଲି ପଡ଼ିଛି। ସିଟି ସର୍ଜରି, ସର୍ଜିକାଲ୍‌ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି, ମେଡିସିନ୍‌ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି, ଏମର୍ଜେନ୍ସି ମେଡିସିନ୍‌ ବିଭାଗରେ ପ୍ରଫେସର ପଦବି ଖାଲି ରହିଛି। ରାଜ୍ୟ ସରକାର ନୂତନ ଭାବେ ଗାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଖୋଲିଛନ୍ତି। ହେଲେ ଏହି ବିଭାଗ ପାଇଁ ଅଦ୍ୟାବଧି ପ୍ରଫେସର ନିଯୁକ୍ତ ହୋଇପାରି ନାହାନ୍ତି।

Medical Dialogues

ସେହିପରି ୮୧ଟି ଆସୋସିଏଟ୍‌ ପ୍ରଫେସର ପଦବି ମଧ୍ୟରୁ ୫୧ଜଣ ଥିବା ବେଳେ ୩୦ ପଦବି ଖାଲି ପଡ଼ିଛି। ସେହିଭଳି ୧୬୨ ଆସିଷ୍ଟାଣ୍ଟ୍‌ ପ୍ରଫେସର ପଦବି ମଧ୍ୟରୁ ୧୫୧ଜଣ ଥିବା ବେଳେ ୧୧ଟି ଖାଲି ରହିଛି। ଅନ୍ୟପଟେ ୪୦ଟି ଟ୍ୟୁଟର୍‌ ପଦବି ମଧ୍ୟରୁ ୨୩ଟି ଖାଲି ରହିଥିବା ବେଳେ ମାତ୍ର ୧୭ଜଣ ଅଛନ୍ତି। ଠିକ୍‌ ସେହିପରି ୮୪ ସିନିୟର୍‌ ରେସିଡେଣ୍ଟ୍‌ ପଦବି ମଧ୍ୟରୁ ୪୧ଟି ପଦବି ଖାଲି ରହିଥିବା ବେଳେ ୪୩ଜଣ ଅଛନ୍ତି। ଅନ୍ୟପଟେ ଏମ୍‌କେସିଜି ମେଡିକାଲ ପାଇଁ ମଂଜୁର ୨ ମହିଳା ମେଡିକାଲ ଅଫିସର୍‌ ପଦବି ଖାଲି ରହିଥିବା ବେଳେ ୧୭ ଜୁନିୟର୍‌ ରେସିଡେଣ୍ଟ୍‌ ପଦବି ମଧ୍ୟରୁ ୨ଟି ଖାଲି ରହିଛି। ଖାଲି ପଦବି ପୂରଣ କରିବା ଦିଗରେ ସରକାର ଉଦ୍ୟମ କରୁ ନାହାନ୍ତି। ଏପରିକି ସ୍ଥାନୀୟ ଜନପ୍ରତିନିଧି ମଧ୍ୟ ଏହି ସମସ୍ୟା ନେଇ ସରକାରଙ୍କ ନିକଟରେ ଠିକ୍‌ ଭାବେ ଦାବି ଉପସ୍ଥାପନ କରି ପାରୁ ନାହାନ୍ତି। ଫଳସ୍ବରୂପ ସହରର ବୁଦ୍ଧିଜୀବୀ, ସଚେତନ ନାଗରିକ ଓ ସାମ୍ବାଦିକ ଏକାଠି ହୋଇ ଡାକ୍ତର ପଦବି ପୂରଣ କରିବାକୁ ଆନ୍ଦୋଳନ ଆରମ୍ଭ କରିଛନ୍ତି।

ପ୍ରକାଶ ଥାଉ କି ଗତ ମାର୍ଚ୍ଚ ୧୧ତାରିଖରେ ଏମ୍‌କେସିଜି ମେଡିକାଲରୁ ବିଭିନ୍ନ ବିଭାଗର ୧୩ଜଣ ଅଭିଜ୍ଞ ଡାକ୍ତରଙ୍କୁ ବଦଳି କରା ଯାଇଥିଲା। ତାଙ୍କ ସ୍ଥାନରେ ଏମ୍‌କେସିଜି ମେଡିକାଲକୁ ମାତ୍ର ୭ଜଣ ଡାକ୍ତର ଆସିଥିଲେ। ଏହାର ମାସେ ନପୂରୁଣୁ ପୁଣିଥରେ ଏମ୍‌କେସିଜି ମେଡିକାଲରୁ ୮ଜଣ ଡାକ୍ତରଙ୍କ ବଦଳି ହୋଇଛି। ରାଜ୍ୟ ସରକାର କଟକ ଏସ୍‌ସିବି ମେଡିକାଲକୁ ବିଶ୍ବସ୍ତରୀୟ ମେଡିକାଲ କରିବାକୁ ନକ୍ସା ପ୍ରସ୍ତୁତ କରିଛନ୍ତି। ଅଥଚ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଥିବା ଏମ୍‌କେସିଜି ମେଡିକାଲକୁ ହତାଦର କରାଯାଉଛି। ମେଡିକାଲ ପରିସରରେ ମାଳ ମାଳ କୋଠା ନିର୍ମାଣ ଚାଲିଛି। ହେଲେ ଖାଲି ପଡ଼ିଥିବା ଡାକ୍ତର ପଦବି ପୂରଣ କରାଯାଉ ନାହିଁ। ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି।

ସମ୍ବନ୍ଧିତ ଖବର