କେଆର ରେଳ ଲାଇନରେ ଖସିଲା ପଥର ଓ ମାଟି, ୬ଘଣ୍ଟା ଧରି ଟ୍ରେନ୍‌ ଚଳାଚଳ ପ୍ରଭାବିତ

ଟନେଲରେ ଫସିଲା ମାଲବାହୀ ଟ୍ରେନ୍‌

ରାୟଗଡ଼ା/କଲ୍ୟାଣସିଂହପୁର : ଲଗାଣ ବର୍ଷା ଯୋଗୁ କୋରାପୁଟ-ରାୟଗଡ଼ା ରେଳ ଲାଇନରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ରେଳ ଲାଇନର କେଉଟଗୁଡା ଷ୍ଟେସନ ନିକଟରେ ପଥର ଖସିବା ସହ ମାଟି ଅତଡ଼ା ଧସିବାରୁ ମାଲବାହୀ ଟ୍ରେନ୍‌ ଟନେଲ ଭିତରେ ଫସି ରହିଥିଲା। ସେହିପରି ୪ ଯାତ୍ରୀବାହୀ ଟ୍ରେନ୍‌ ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ରେଳ ବିଭାଗ କର୍ମଚାରୀଙ୍କ ୬ ଘଣ୍ଟାର ଅକ୍ଳାନ୍ତ ପରିଶ୍ରମ ପରେ ରାତି ପ୍ରାୟ ୭ଟାରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ରେଳ ଚଳାଚଳ ପ୍ରଭାବିତ ହେବାରୁ ଶହ ଶହ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ କେଉଟଗୁଡା ଷ୍ଟେସନ ନିକଟରେ ଭୁସ୍ଖଳନ ହୋଇଥିଲା। ଯାହାଫଳରେ ଟ୍ରେନ୍‌ ଲାଇନରେ ଖସିଥିଲା ପଥର। ଏହାର କିଛି ସମୟ ପରେ ଗଛ ମଧ୍ୟ ଉପୁଡ଼ି ପଡିଥିଲା ଲାଇନ ଉପରେ। ଏହି ସମୟରେ ରେଳ ଲାଇନ ଦେଇ ଆସୁଥିବା ମାଲବାହୀ ଟ୍ରେନ୍‌ ଡ୍ରାଇଭର ରେଳ ଧାରଣା ଉପରେ ବିରାଟ ପଥର ପଡିଥିବା ଦେଖି ଟ୍ରେନ୍‌କୁ ଅଟକାଇବା ପାଇଁ ବାଧ୍ୟ ହୋଇଥିଲେ। ଏହାପରେ ଷ୍ଟେସନ ମ୍ୟାନେଜରଙ୍କୁ ରେଳ ଧାରଣାର ଅବସ୍ଥା ସଂପର୍କରେ ସୂଚନା ଦେଇଥିଲେ। ଖବର ପାଇ ରେଳ ବିଭାଗର ସ୍ୱତନ୍ତ୍ର ଟିମ୍‌ ଘଟଣାସ୍ଥଳକୁ ଯିବା ସହ ବିପଦ ଏଡ଼ାଇବା ପାଇଁ ଏହି ରୁଟ୍‌ରେ ଚଳାଚଳ କରୁଥିବା ସମସ୍ତ ଟ୍ରେନକୁ ନିର୍ଦ୍ଦିଷ୍ଟ ଷ୍ଟେସନରେ ଅଟକିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜଗଦଲପୁର-ହାୱଡ଼ା, ହାୱଡ଼ା-ଜଗଦଲପୁର, କୋରାପୁଟ-ବିଶାଖାପାଟଣା, ବିଶାଖାପାଟଣା-କୋରାପୁଟ ଟ୍ରେନ୍‌ ରାୟଗଡ଼ା, ଥେରୁବାଲି, କେଉଟଗୁଡା ଷ୍ଟେସନରେ ଅଟକି ରହିଥିଲା। ରେଳ ବିଭାଗର ଉଦ୍ୟମ ପରେ ରେଳ ଲାଇନରୁ ପଥର ହଟାଯିବା ପରେ ସନ୍ଧ୍ୟା ୭ଟାରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଫସି ରହିଥିବା ଯାତ୍ରୀଙ୍କ ପାଇଁ ରେଳ ବିଭାଗ ପକ୍ଷରୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର