ତେଜୁଛି କୋଟିଆ କଳି : ଓଡ଼ିଶାରେ ପୋଖରୀ ଖୋଳୁଛି ଆନ୍ଧ୍ର, ସ୍ଥିତି ଅନୁଧ୍ୟାନ କଲେ ପଟାଙ୍ଗୀ ବିଧାୟକ

କୋଟିଆକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବେ କୋରାପୁଟ ସାଂସଦ

କୋରାପୁଟ/ପଟାଙ୍ଗୀ : କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଭିତରେ ବିବାଦ ଧୀରେ ଧୀରେ ଜଟିଳ ହେବାରେ ଲାଗିଛି। କୋଟିଆର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ହାତକୁ ନେଇଥିଲାବେଳେ ଏହାକୁ ସହି ପାରିନି ଆନ୍ଧ୍ର। ବରଂ, ଓଡ଼ିଶା ସୀମା ଭିତରେ ଥିବା ତଳ ଗଂଜେଇ ପଦରରେ ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳି ଲୋକଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରିଛି। ଏପଟେ ଆଜି ପଟାଙ୍ଗୀ ବିଧାୟକ କୋଟିଆ ପଞ୍ଚାୟତ ଯାଇ ଲୋକଙ୍କ ସହ ଆଲୋଚନା କରିଛନ୍ତି। ଆଉ ଏକ ଉଲ୍ଲେଖନୀୟ ଘଟଣାକ୍ରମରେ କୋଟିଆକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା।

କୋରାପୁଟ ଜିଲ୍ଳା ପଟାଙ୍ଗୀ ବ୍ଲକ କୋଟିଆ ଗ୍ରାମ ପଞ୍ଚାୟତର ୨୧ଟି ଗାଁ ଓ ୭ଟି ପଡାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ଭିତରେ ଦୀର୍ଘଦିନ ହେଲା ବିବାଦ ଲାଗି ରହିଛି। ୧୯୬୮ରୁ ଏହି ବିବାଦ ଆରମ୍ଭ ହୋଇଥିଲାବେଳେ ଆଜି ପର୍ଯ୍ୟନ୍ତ ସମାଧାନର ବାଟ ବାହାରି ପାରିନି। ଏପଟେ ଏହି ଅଂଚଳରେ ବିକାଶ ପାଇଁ ଓଡ଼ିଶା ସରକାର ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବା ସହ ବିଭିନ୍ନ ଉନ୍ନୟନମୂଳକ କାମ ଜାରି ରଖିଛନ୍ତି। ଏହାକୁ ନେଇ ତାତିଛି ଆନ୍ଧ୍ର। କୋଟିଆବାସୀ ଓଡ଼ିଶା ସାଙ୍ଗରେ ରହୁଥିବା ଦେଖି ନୂଆ ଚାଲ ଖେଳିଛି ପଡୋଶୀ। କୋଟିଆ ପଞ୍ଚାୟତର ବିଭିନ୍ନ ଗାଁରେ ପୋଖରୀ ଖୋଳା ଆରମ୍ଭ କରିଛି। ତଳ ଗଂଜେଇ ପଦରରେ ଏକ ବଡ ପୋଖରୀ ଖୋଳୁଥିଲାବେଳେ ଅନ୍ୟ କିଛି ଗାଁରେ ମଧ୍ୟ ପୋଖରୀ ଖୋଳିବା ପାଇଁ  ଯୋଜନା କରୁଛି ଆନ୍ଧ୍ର। ଏହି ପୋଖରୀରେ ମାଛ ଚାଷ ହେବା ସହ ଚାଷ ପାଇଁ ଜଳ ‌ଯୋଗାଣ କରିବାକୁ ଆନ୍ଧ୍ର ଲୋକଙ୍କୁ ପ୍ରତିଶ୍ରୁତି ଦେଇଛି। ଏଥିରେ ଲୋକେ ବି ଭଳିଯିବା ଆରମ୍ଭ କଲେଣି। ଏପରିକି ଆନ୍ଧ୍ର ପଟକୁ ଢଳିବା ଆରମ୍ଭ କଲେଣି। ଏମିତିରେ ସ୍ଥିତି ବିଗିଡିବା ଆରମ୍ଭ ହୋଇଥିଲାବେଳେ ଆଜି ପଟାଙ୍ଗୀ ବିଧାୟକ କୋଟିଆ ପଞ୍ଚାୟତ ଗସ୍ତରେ ଯାଇଥିଲେ। ସେ ଲୋକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନା ନେଇ ଅବଗତ କରାଇଥିଲେ। ଆନ୍ଧ୍ରର ଏମିତି ଅନୁପ୍ରବେଶକୁ ସେ ନିନ୍ଦା କରିବା ସହ କୋଟିଆକୁ ଓଡ଼ିଶାରୁ କେହି ଅଲଗା କରିପାରିବେ ନାହିଁ ବୋଲି ବିଧାୟକ କହିଛନ୍ତି। ଅପରପକ୍ଷରେ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି, ଆନ୍ଧ୍ର ପକ୍ଷରୁ ପୋଖରୀ ଖୋଳାଯିବା ନେଇ ପ୍ରଶାସନ ପାଖରେ ଖବର ରହିଛି। ଏଥିନେଇ ପଟାଙ୍ଗୀ ତହସିଲଦାର ଓ ବିଡିଓଙ୍କୁ ଅନୁଧ୍ୟାନ କରିବାକୁ କୁହାଯାଇଛି। ସେମାନେ କେଉଁଠି ପୋଖରୀ ଖୋଳିଛନ୍ତି ତାହା ଯାଂଚ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

କୋଟିଆକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ କଳି ବଢୁଥିଲାବେଳେ ଏହାକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିବାକୁ ଘୋଷଣା କରିଛନ୍ତି କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା। ସାଂସଦଙ୍କ ପୋଷ୍ୟ ଗ୍ରାମ ହେଲା ପରେ ଏହି ପଞ୍ଚାୟତର ବିକାଶ ଦୃତଗତିରେ ଆଗେଇ ପାରିବ ବୋଲି ଆଶା କରାଯାଉଛି। ସାଂସଦ ଆଜି ଗଣମାଧ୍ୟମକୁ କହିଛନ୍ତି ଯେ, ପୋଷ୍ୟ ଗ୍ରାମ ହେଲା ପରେ କୋଟିଆ ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାମ ତ୍ବରାନ୍ବିତ ହୋଇ ପାରିବ। ବିଭିନ୍ନ କେନ୍ଦ୍ରୀୟ ଯୋଜନାର ଲାଭ ଲୋକମାନେ ଅଧିକ ପାଇ ପାରିବେ। ଭିତ୍ତିଭୂମି ବିକାଶ ସହ ରାସ୍ତା ଓ ଆବାସ ନିର୍ମାଣ ଠିକ ଭାବେ ହୋଇପାରିବ। କୋଟିଆର ବିକାଶ ପାଇଁ ଟଙ୍କାର ଅଭାବ ରହିବ ନାହିଁ। ଏହା ଏକ ଆଦର୍ଶ ପଞ୍ଚାୟତ ହୋଇପାରିବ। ଫଳରେ କୋଟିଆବାସୀ ଉନ୍ନତ ସେବା ଓ ସୁବିଧା ପାଇପାରିବେ ବୋଲି ସାଂସଦ କହିଛନ୍ତି।

ସମ୍ବନ୍ଧିତ ଖବର