ବାଇକ, ପିକଅପ୍‌ ଓ ଟ୍ରକ୍‌ ଧକ୍କା: ୨ ମୃତ

ଖଡ଼ିଆଳ : ଖଡ଼ିଆଳ- ଭବାନୀପାଟଣା ରାଜ୍ୟ ରାଜପଥ ୧୬ର ଖଡ଼ିଆଳ ସହରଠାରୁ ୨ କିଲୋମିଟର ଦୂର ରାଣୀପୁର ଗାଁ ନିକଟରେ ସୋମବାର ସଂଧ୍ୟାରେ ଏକ ବାଇକ, ପିକଅପ୍‌ ଭ୍ୟାନ ଏବଂ ଟ୍ରକ ମଧ୍ୟରେ ଧକ୍କା ହେବାରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ହୋଇଥିବା ଜଣାଯାଇଛି। ସୂଚନାମତେ, ଖଡିଆଳ ସହରର ରଜାପଡାର ଅନନ୍ତ ନାରାୟଣ ସିଂହଦେଓ, ଆଶିଷ ସିଂହଦେଓ ଏବଂ ପ୍ରଶାନ୍ତ ସିଂହ ଏକ ବାଇକ ଯୋଗେ ରିଷିଗାଁକୁ ଯାଉଥିଲେ। ଏହି ସମୟରେ ଏକ ପିକଅପ୍‌ ଭ୍ୟାନ ବୋଡେନ ବ୍ଲକର ଦରଗାଁରୁ ସିନ୍ଧେକେଲାକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଡିଜେଲ ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ପିକଅପ୍‌ ଭ୍ୟାନ ପଛରେ ଯାଉଥିବା ବାଇକ ଆରୋହୀଙ୍କ ଉପରେ ଓଲଟି ପଡିଥିଲେ। ଘଟଣାସ୍ଥଳରେ ଆଶିଷଙ୍କ ମୃତ୍ୟୁ ଘଟିଥିଲା। ପରେ ପିକଅପ ଭ୍ୟାନର ଡ୍ରାଇଭର ପରେଶ ବେହେରାଙ୍କ ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର