ଭିଜିଲାନ୍ସ ପକ୍ଷରୁ ୪ ପୃଥକ୍‌ ସ୍ଥାନ‌ରେ ଚଢଉ

ଧରାପଡ଼ି ଜେଲ୍‌ଗ‌ଲେ ଦୁଇ ଆର୍‌ଆଇ, ଯନ୍ତ୍ରୀଙ୍କ ପାଖରୁ ମିଳିଲା ୨ ‌କୋଟି ୫୧ ଲକ୍ଷ ଟଙ୍କାର ସମ୍ପତ୍ତି

କଟକ : ଭିଜିଲାନ୍ସ ପକ୍ଷରୁ ଗୁରୁବାର ଦିନ ରାଜ୍ୟବ୍ୟାପୀ ୪ଟି ପୃଥକ୍‌ ସ୍ଥାନରେ ଚଢଉ କରାଯାଇଛି। ସର୍ଚ୍ଚ ୱାରେଣ୍ଟ ବଳରେ ଦୁଇ ଜଣ ଅଧିକାରୀଙ୍କ ଘରେ ଚଢଉ କରାଯାଇ ବିପୁଳ ସମ୍ପତ୍ତି ଜବତ କରାଯାଇଛି। ସେହିଭଳି ଲାଞ୍ଚ ନେଉଥିବାବେଳେ ଧରାପଡ଼ି ଦୁଇ ରାଜସ୍ବ ନିରୀକ୍ଷକ (ଆର୍‌.ଆଇ) ଭିଜିଲାନ୍‌ସ ହାତରେ ଧରାପଡ଼ି ଜେଲ୍‌ ଯାଇଛନ୍ତି। ଭିଜିଲାନ୍ସ ଦୁଇ ଅଧିକାରୀଙ୍କ ଏକାଧିକ ଘ‌ରେ ଚଢଉ କରି ୩ କୋଟି ୫୦ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରିବା ସହିତ ଚଢଉ ଜାରି ରଖିଛି।

ନୟାଗଡ ଜିଲ୍ଲା, ରଣପୁର ଆରଡି ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଋଷିନ‌ାଥ ବରାଳ ବେ‌ଆଇନ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ତାଙ୍କର ଘର, ଅଫିସ ତଥା ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା। ଚଢଉ ବେଳେ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରୁ ୨ କୋଟି ୫୧ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କରାଯାଇଥିଲା। ଏକା ସମୟରେ ଶ୍ରୀବରାଳଙ୍କ ଖୋର୍ଦ୍ଧା, ନୟାଗଡ ଓ ଢେଙ୍କାନାଳ ଘରେ ଚଢଉ କରାଯାଇଥିଲା। ଏହି ଚଢଉରେ ୪ଜଣ ଡିଏସ୍‌ପି, ୮ ଜଣ ଇନ୍‌ସପେକ୍ଟର ସାମିଲ ଥିଲେ। ଚଢଉ ବେଳେ ତାଙ୍କର ଚନ୍ଦ୍ରଶେଖରପୁରରେ ଥିବା ଏକ ତିନି ମହଲା କୋଠା, ଢେଙ୍କାନାଳର ଏକ ମହଲା କୋଠା, ଚନ୍ଦ୍ରଶେଖରପୁରର ଏକ ପ୍ଲଟ, ଭୁବନେଶ୍ବର ଗୋଠପାଟଣାରେ ଗୋଟିଏ ପ୍ଲଟ ଠାବ କରାଯାଇଛି। ତାଙ୍କ ପାଖରୁ ଗୋଟିଏ ୪ ଚକିଆ ଗାଡି, ଦୁଇ ଚକିଆ ଗାଡି, ୪୪.୭୩ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୩.୪୨ ଲକ୍ଷ ଟଙ୍କାର ବୀମା, ୯ ଲକ୍ଷ ୪ ହଜାର ଟଙ୍କାର ସୁନା, ରୁପା ଅଳଙ୍କାର, ୧ ଲକ୍ଷ ୩୦ ହଜାର ନଗଦ ଟଙ୍କା ଜବତ କରାଯାଇଛି।

ସେହିଭଳି ସୁବର୍ଣ୍ଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସେକସନ୍‌ ଅଫିସର ରମେଶ ପ୍ରସାଦ ନାଗଙ୍କ ସୁବର୍ଣ୍ଣପୁର, ବଲାଙ୍ଗୀରରେ ଥିବା ୩ଟି ଘରେ ଚଢଉ କରାଯାଇଥିଲା। ବଲାଙ୍ଗୀର ଲାର୍କିପାଲିରେ ଥିବା ଏକ ତିନି ମହଲା କୋଠା, ଗୋଟିଏ ଏକ ମହଲା କୋଠା, ସୋନପୁର ଧୁବାମୁଣ୍ଡାରେ ଗୋଟିଏ ପ୍ଲଟ, ୪ ଚକିଆ ଓ ୨ ଚକିଆ ଗାଡି, ୩ ଲକ୍ଷ ୧୫ହଜାର ଟଙ୍କାର ବୀମା, ୨.୫ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ୧୦ ଲକ୍ଷ ୭୩ ହଜାର ଟଙ୍କାର ସୁନା, ରୁପା ଅଳଙ୍କାର, ଏ‌ହିଭଳି ମୋଟ ୧.୩ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୩ଟି ଟିମ୍‌ରେ ୨ଜଣ ଡିଏସପି, ୫ଜଣ ଇନ୍‌ସପେକ୍ଟର ଏହି ଚଢଉରେ ସାମିଲ ଥିଲେ।

ସେହିଭଳି ସମ୍ବଲପୁର ଜିଲ୍ଲା, ପଦ୍ମପୁର ଆରଆଇ ଭିକାରି କୁସୁମ ଆର-ଓ-ଆର କାମ କରାଇ ଦେବାକୁ ୧୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଅଫିସ ଭିତରେ ଧରା ପଡିଥିଲେ। ଲାଞ୍ଚ ଟଙ୍କା ଭିଜିଲାନସ ଜବତ କରିଛି। ଏହାକୁ ଭିତ୍ତିକରି କୁସୁମଙ୍କ କୁଚିଣ୍ଡା ସ୍ଥିତ ଆବାସିକ ଘର, ଅଫିସ, କୁଚିଣ୍ଡାସ୍ଥିତ ତାଙ୍କ ନିଜସ୍ବ ଘରେ ଚଢଉ କରାଯିବା ସହିତ ତାଙ୍କ ନାମରେ ମାମଲା ରୁଜୁ କରାଯାଇ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ସେହିଭଳି କୋରାପୁଟ ସିମିଳିଗୁଡା ତହସିଲ ଅନ୍ତର୍ଗତ ଦୁଢାରି ଆରଆଇ କ୍ଷୀରାବ୍ଧୀତନୟା ୧୦ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଅଫିସ ଭିତରେ ଧରା ପଡିଥିଲେ। ଲାଂଚ ଟଙ୍କାକୁ ଭିଜିଲାନସ ଜବତ କରିବା ସହିତ ତାଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର