ହତ୍ୟା ଅଭିଯୋଗରେ ଫାଶୀଦଣ୍ଡ ପାଇଥିବା କଏଦୀ ଦୟାନିଧି ବିଷୋୟୀ ରାଜକ୍ଷମା ପରେ ବି ବଦଳି ନ ଥିଲା ମାନସିକତା

ପାରୋଲରେ ଆସି ପତ୍ନୀକୁ ହତ୍ୟା କରିଥିଲା, ବଲାଙ୍ଗୀର ଜେଲରେ ଆଜୀବନ ଦଣ୍ଡ ଭୋଗୁଛି

ଜୟପୁର : ବହୁଚର୍ଚ୍ଚିତ ନିର୍ଭୟା ମାମଲାରେ ଅଭିଯୁକ୍ତମାନଙ୍କୁ ଫାଶୀ ଦଣ୍ଡାଦେଶ ପରେ, ସେମାନଙ୍କର ବଞ୍ଚିବା ପାଇଁ ରାଜକ୍ଷମା ହିଁ ଏକମାତ୍ର ବିକଳ୍ପ ରହିଛି। ରାଷ୍ଟ୍ରପତି ଯଦି ରାଜକ୍ଷମା ପ୍ରଦାନ କରନ୍ତି ତେବେ ଏହି ଅଭିଯୁକ୍ତମାନେ ଫାଶୀ ଦଣ୍ଡରୁ ମୁକୁଳି ପାରିବେ। ତେବେ ରାଷ୍ଟ୍ରପତି ଯଦି ରାଜକ୍ଷମା ପ୍ରଦାନ କରନ୍ତି, ତେବେ ଅଭିଯୁକ୍ତମାନେ ଯେ ପୁଣିଥରେ ଏଭଳି ଜଘନ୍ୟ କାଣ୍ଡ ନ ଘଟାଇବେ ତା’ର ଗ୍ୟାରେଣ୍ଟି ଦେବ କିଏ? ଏହାକୁ ନେଇ ସାରା ଦେଶରେ ଚାଲିଛି ବିତର୍କ। ଏଭଳି ଏକ ସମୟରେ ସାମ୍ନାକୁ ଆସିଛି ଜୟପୁରର ଜଣେ ନରହନ୍ତା ଦୟାନିଧି ବିଷୋୟୀର ନାରକୀୟ ହତ୍ୟାକାଣ୍ଡ, ଫାଶୀଦଣ୍ଡାଦେଶ, ରାଜକ୍ଷମା ଏବଂ ପୁଣିଥରେ ନରହତ୍ୟାର ଚର୍ଚ୍ଚିତ କାହାଣୀ। ଯାହା ରାଜକ୍ଷମା ବ୍ୟବସ୍ଥା ଓ ଏହାର ଆବଶ୍ୟକତା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି।

ଜଣେ ନୁହଁ କି ଦୁଇ ଜଣ ନୁହେଁ; ଗୋଟିଏ ରାତିରେ ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରି ଫାଶୀଦଣ୍ଡରେ ଦଣ୍ଡିତ ହୋଇଥିବା ନରହନ୍ତା ଦୟାନିଧିର ମାନସିକତାରେ ସାମାନ୍ୟତମ ପରିବର୍ତ୍ତନ ‌ହୋଇନଥିଲା। ଅଭିଯୁକ୍ତକୁ ରାଜକ୍ଷମା ମିଳିବା ପରେ ପାରୋଲରେ ଆସି ନିଜ ପତ୍ନୀକୁ ହତ୍ୟା କରି ବଲାଙ୍ଗୀର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି ଜୟପୁର ଅଂଚଳର ଅଭିଯୁକ୍ତ ଦୟାନିଧି। ୧୯୯୮ମସିହା ଜୁନ ୩ତାରିଖ ଦିନ ଜୟପୁର ଇରିଗେସନ କଲୋନିରେ ସେଲଟ୍ୟାକ୍ସ ବିଭାଗରେ ପିଅନ ଭାବେ କାମ କରୁଥିବା ଅନିରୁଦ୍ଧ ସାହୁଙ୍କ ଘରକୁ ନିଜ ସଂପର୍କୀୟ ପୁତୁରା ଦୟାନିଧି ବୁଲି ଆସିଥିଲା। ଉଭୟଙ୍କ ଘର ଦଶମନ୍ତପୁର ବ୍ଲକର ପଂଚଡା ନିକଟସ୍ଥ ନିରମାନିଗୁଡା ଗ୍ରାମରେ। ଘଟଣା ଦିନ ରାତିରେ ସମସ୍ତେ ଏକାଠି ଖାଇ ଶୋଇଥିଲେ। ଅନିରୁଦ୍ଧ(୩୦) ଓ ଦୟାନିଧି ଗୋଟିଏ ରୁମରେ ଶୋଇଥିଲାବେଳେ ଅନ୍ୟ ରୁମ୍‌ରେ ଅନିରୁଦ୍ଧଙ୍କ ପତ୍ନୀ ଲତା(୨୫) ଓ ୩ ବର୍ଷର ଝିଅ ପୂଜା ଶୋଇଥିଲେ। ମଧ୍ୟରାତ୍ରରେ ଦୟାନିଧି ପାଲଟି ଯାଇଥିଲା ସଇତାନ। ଏକ ଧାରୁଆ ଅସ୍ତ୍ରରେ ପ୍ରଥମେ ଅନିରୁଦ୍ଧର ତଣ୍ଟି କାଟି ହତ୍ୟା କରିଥିଲା। ପରେ ତାଙ୍କ ପତ୍ନୀ ଲତାକୁ ହତ୍ୟା କରିଥିଲା। ଏପରିକି ଲତା ପାର୍ଶ୍ବରେ ଶୋଇଥିବା ତିନି ବର୍ଷର ଝିଅ ପୂଜାକୁ ବି ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରିଥିଲା ଦୟାନିଧି। ଘଟଣା ପରଦିନ କେହି କବାଟ ନ ଖୋଲିବା ଦେଖି ପଡ଼ୋଶୀ ଘର ଲୋକେ ଏକ ଗଛ ଉପରେ ଚଢ଼ି ଦେଖିବା ବେ‌ଳକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତିନି ଜଣଙ୍କ ମୃତ ଦେହ ପଡ଼ି ରହିଥିଲା । ୪ ତାରିଖ ଦିନ ପଡ଼ୋଶୀ ଘର ଲୋକେ ପୁଲିସକୁ ସୂଚନା ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ଓ ଅଭିଯୁକ୍ତ ଦୟାନିଧିକୁ ଗିରଫ କରିଥିଲା । ଏହି ଘଟଣା ସମଗ୍ର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିଲା ।

ଏହି ମାମଲାର ବିଚାରକରି ତତ୍କାଳୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ୨୦୦୦ ମସିହା ସେପ୍ଟେମ୍ବର ୧୯ ତାରିଖ ଦିନ ଫାଶୀଦଣ୍ଡରେ ଦଣ୍ଡିତ କରିଥିଲେ । ଏହି ରାୟ ବିରୋଧରେ ଦୟାନିଧି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା । ହେଲେ ହାଇକୋର୍ଟ ବି ତଳ କୋର୍ଟର ରାୟକୁ କାଏମ ରଖିଥିଲେ। ଏହାପରେ ଦୟାନିଧି ସୁପ୍ରିମକୋର୍ଟରେ ଆବେଦନ କରିବାରୁ ସୁପ୍ରିମ ‌କୋର୍ଟ ମଧ୍ୟ ତଳ କୋର୍ଟର ରାୟକୁ କାଏମ ରଖିଥିଲେ। ତେଣୁ ସେ ରାଜ୍ୟପାଳଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଥିଲା। ୨୦୦୩ ମସିହା ଅଗଷ୍ଟ ୧୬ତାରିଖ ଦିନ ତତ୍କାଳୀନ ରାଜ୍ୟପାଳଙ୍କ ସଚିବ ହିମାଦ୍ରୀ ମହାପାତ୍ର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରାଜ୍ୟପାଳ ରାଜକ୍ଷମା ପ୍ରଦାନ କରି ମୃତ୍ୟୁଦଣ୍ଡ ବଦଳରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ବୋଲି ସୂଚନା ଦେଇଥିଲେ। ରାଜକ୍ଷମା ପାଇବା ପରେ ଫାଶୀଦଣ୍ଡରୁ ବର୍ତ୍ତି ଯାଇଥିଲା ଦୟାନିଧି । କିନ୍ତୁ ୨୦୦୫ ମସିହାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୟାନିଧି ନିଜ ପତ୍ନୀର ଚିକିତ୍ସା ପାଇଁ ପାରୋଲରେ ଘରକୁ ଆସିଥିଲା ଏବଂ ପୁଣିଥରେ ଏକ ଜଘନ୍ୟ କାଣ୍ଡ ଭିଆଇଥିଲା । ଚିକିତ୍ସା ପାଇଁ ପତ୍ନୀକୁ ଆଣି ହତ୍ୟା କରି ଫେରାର ହୋଇଯାଇଥିଲା । ଶେଷରେ ଆନ୍ଧ୍ର ପୁଲିସ ଦୟାନିଧିକୁ ଗିରଫ କରିଥିଲା । ଏ ନେଇ ଆଉ ଏକ ହତ୍ୟା ମାମଲା ରୁଜୁ ହେବା ପରେ ସେ ପୁଣିଥରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା। ସେବେଠାରୁ ଦୟାନିଧି ବଲାଙ୍ଗୀର ଜେଲରେ ବନ୍ଦୀ ଥିବା ଦୟାନିଧିର ଏହିସବୁ ଜଘନ୍ୟ କାଣ୍ଡ ଏବେ ନିର୍ଭୟ‌ା କାଣ୍ଡର ଅଭିଯୁକ୍ତମାନଙ୍କ ରଜକ୍ଷମା ଆବେଦନ ପରେ ଚର୍ଚ୍ଚାକୁ ଆସିଛି।

ସମ୍ବନ୍ଧିତ ଖବର