ଫେରିଗଲା ହତାଧିକାରୀଙ୍କର ୩,୦୦୦ କ୍ବିଣ୍ଟାଲ ଗହମ

ଠିକା ସଂସ୍ଥା ଆଣିଲାନି, ଅଧିକାରୀମାନେ ମଧ୍ୟ ଚୁପ୍

ରାଉରକେଲା : ଜିଲ୍ଲା ଯୋଗାଣ ବିଭାଗର ଦୁର୍ନୀତି ପିଛା ଛାଡୁନି। ବଣ୍ଟନ ବ୍ୟବସ୍ଥାକୁ ଠାରୁ ଆରମ୍ଭ କରି ନିର୍ଦ୍ଦିଷ୍ଟ ଠିକା ସଂସ୍ଥାକୁ ଅନୁକମ୍ପା, ଭୂତ କାର୍ଡରେ ପିଡିଏସ୍‌ ସାମଗ୍ରୀ ଉଠାଣ ସବୁଥିରେ ଦୁର୍ନୀତିର ଗନ୍ଧ। ଏବେ ଯୋଗାଣ ବିଭାଗ ଓ ଯୋଗାଣକାରୀ ଠିକାସଂସ୍ଥାର ଆଉ ଏକ ତ୍ରୁଟି ପଦାକୁ ଆସିଛି। ଏଲ୍‌-୧ ଠିକାସଂସ୍ଥାର ଭୁଲ ଯୋଗୁଁ ଜିଲ୍ଲାର ୨ ମାସ (ଜୁଲାଇ ଓ ଅଗଷ୍ଟ)ର ପ୍ରାୟ ୩,୦୦୦ କ୍ବିଣ୍ଟାଲ ଗହମ ଏଫ୍‌ସିଆଇରୁ ଉଠାଯାଇ ପାରିନାହିଁ। ଏଥିମଧ୍ୟରେ ରହିଛି ରାଉରକେଲାର ୩୦୦ କ୍ବିଣ୍ଟାଲ, ଲହୁଣୀପଡା ବ୍ଲକର ୬୨ କ୍ବିଣ୍ଟାଲ ସହ କୋଇଡା, ବଣାଇଗଡ, ସୁନ୍ଦରଗଡ ସମେତ ଅନ୍ୟ କିଛି ବ୍ଲକରେ ଶତାଧିକ କ୍ବିଣ୍ଟାଲ ଗହମ। ଠିକା ନେଇ କାମ କରି ନଥିବା ସଂସ୍ଥାର ଖାମଖିଆଲି ମନୋଭାବ ଯୋଗୁ ପ୍ରାୟ ୬୦ ,୦୦୦ ଲୋକ ୨ ମାସର ଗହମ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହା ମଧ୍ୟରେ ରାଉରକେଲାର ୬ ହଜାର , ଲହୁଣୀପଡାର ୧୨୪୦ ଜଣ ରହିଛନ୍ତି। କିନ୍ତୁ ଭୁଲ୍‌ କରିଥିବା ଠିକାସଂସ୍ଥା ବିରୋଧରେ ବିଭାଗୀୟ କାର୍ଯାନୁଷ୍ଠାନ ଶୂନ। ଜିଲ୍ଲା ଯୋଗାଣ ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବୋଲି କହୁଛନ୍ତି। ‌ଯୋଗାଣକାରୀ ଏଲ୍‌-୧ ଠିକାସଂସ୍ଥାକୁ କାରଣଦର୍ଶାଅ ନୋଟିସ୍‌ ଜାରି କରି କାମ ସାରିଛନ୍ତି। ଆଶ୍ଚର୍ଯ୍ୟର କଥା ଯେ କିଛି କାର୍ଯ୍ୟାନୁଷ୍ଠାନ ନାହିଁ କି କିଛି ପ୍ରଭାବ ବା ପ୍ରତିକ୍ରିୟା ନାହିଁ।

ଯୋଗାଣକାରୀ ଉକ୍ତ ଏଲ୍‌-୧ ଠିକାସଂସ୍ଥା ଏଫ୍‌ସିଆଇରୁ ରାଉରକେଲା ଆର୍‌ଆର୍‌ସି (ରାଇସ୍‌ ରିସିଭିଂ ସେଣ୍ଟର) ସହ ବିଭିନ୍ନ ବ୍ଲକରୁ ପିଡିଏସ୍‌ ସାମଗ୍ରୀ ‌ଯୋଗାଣ ପାଇଁ ଟେଣ୍ଡର ପକାଇଥିଲେ। କାମ ମଧ୍ୟ ପାଇଥିଲେ। ଅଧିକ ରୋଜଗାର ଆଶାରେ ଯୋଗାଣ ବିଭାଗ ଅଧିକାରୀଙ୍କ ସହ ଭିତିରି ସଲାସୁତୁରା କରି ଗହମ ଉଠାଣ କେନ୍ଦ୍ର ରାଉରକେଲା ପରିବର୍ତ୍ତେ ଝାରସୁଗୁଡା ଏଫ୍‌ସିଆଇ କରି ଦେଇଥିଲେ। ଠିକାସଂସ୍ଥା କଥାରେ ଯୋଗାଣ ବିଭାଗ ଅଧିକାରୀ ରାଉରକେଲା ଏଫ୍‌ସିଆଇର ଗହମ ଠିକ୍‌ ନ ଥିବା ଦର୍ଶାଇ ଝାରସୁଗୁଡା ଏଫ୍‌ସିଆଇରୁ ତାହାର ଉଠାଣ ପାଇଁ ସୁପାରିସ କରିଥିଲେ। ଏଲ୍‌-୧ ଠିକାସଂସ୍ଥା ଝାରସୁଗୁଡାରୁ ଗହମ ଉଠାଇ ରାଉରକେଲା ଆର୍‌ଆର୍‌ସି , ବ୍ଲକ ଓ ପଞ୍ଚାୟତ ଅଫିସକୁ ଯୋଗାଣ କରୁଥିଲେ। କିନ୍ତୁ ଅବହେଳା କରି ଜୁଲାଇ ଓ ଅଗଷ୍ଟ ୨ ମାସରେ ଗହମ ଠିକ୍‌ ସମୟରେ ଉଠାଇ ନ ପାରିବାରୁ ଝାରସୁଗୁଡା ଏଫ୍‌ସିଆଇ ମ୍ୟାନେଜର୍‌ କୋଟା ବାତିଲ କରି ଦେଇଥିଲେ। ଜିଲ୍ଲା ଯୋଗାଣ ଅଧିକାରୀ ବାତିଲ ହୋଇଥିବା ବାକି କୋଟାକୁ ପୁନଶ୍ଚ ଦେବାକୁ ଏଫ୍‌ସିଆଇ ମ୍ୟାନେଜରଙ୍କୁ ଲେଖିଛନ୍ତି। ମାତ୍ର ଗହମ ମିଳିବ କି ନାହିଁ ତାହା ଅନଶ୍ଚିତତା ମଧ୍ୟରେ ରହିଛି। ଶୁଣା ଯାଉଛି, ଗହମ ପଠାଗଲେ ମଧ୍ୟ ଲୋକଙ୍କୁ ବଣ୍ଟା ନଯାଇ ଫେରସ୍ତ ହୋଇ ଥିବାରୁ ଏଫ୍‌ସିଆଇ କୁଆଡ଼େ ଜିଲ୍ଲାର ମାସିକ ଗହମ କୋଟାକୁ ୨୦ ପ୍ରତିଶତ କମ୍‌ କରି ଦେଇଛି। ଏହା ସତ୍ୟ ହୋଇଥିଲେ ଜିଲ୍ଲା ପାଇଁ ଏକ ମାରାତ୍ମକ ଖବର ନିଶ୍ଚୟ।

ଉଲ୍ଲେଖନୀୟ ଯେ ସୁନ୍ଦରଗଡ଼ ଜିଲ୍ଲାରେ ଯୋଗାଣ ବିଭାଗ ସବୁବେଳେ ଦୁର୍ନୀତି ଅଭିଯୋଗ ଘେରରେ ରହୁଛି। ଏତେ ଦୁର୍ନୀତି ଗଣମାଧ୍ୟମରେ ପ୍ରକାଶିତ ହେଉଛି ଯେ ମନେ ହେଉଛି ବିଭାଗର କୌଣସି ଅଂଶ ଏଥିରୁ ମୁକ୍ତ ନୁହେଁ! ଯୋଗାଣ ବିଭାଗର କିଛି କରିତ୍‌କର୍ମା ଅଧିକାରୀଙ୍କ ବିରୋଧରେ ତ ନିୟମିତ ଅଭିଯୋଗ ଆସୁଛି, ଏପରିକି ଏଥିରେ କାମ କରୁଥିବା ସ୍ଥାନୀୟ ଠିକାସଂସ୍ଥାଗୁଡ଼ିକ ମଧ୍ୟ ନୀତି ନିୟମକୁ ତିଳେହେଲେ ଖାତିର ନକରି କାମ କରୁଥିବା ଭଳି ଜଣା ପଡୁଛି। ପୂରା ବିଭାଗ ଆଇନକୁ ଆଖିଠାର ମାରିବା ଭଳି କାମ କରୁଛି।

ସମ୍ବନ୍ଧିତ ଖବର