ଅନୁଗୁଳରେ ପୁଣି ୧୦ ଜଣ କରୋନା ପଜିଟିଭ, ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହେଲା ୧୦୬

ଅନୁଗୁଳ: ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରୁ ମୋଟ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥି ସହିତ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୧୦୬ରେ ପହଞ୍ଚିଛି। ପୂର୍ବରୁ ୫୪ଜଣ ସୁସ୍ଥ ହୋଇଥିବା ବେଳେ ଗତକାଲି ଆଉ ୪ଜଣ ସୁସ୍ଥ ହୋଇ କୋଭିଡ୍‌ କେୟାର ସେଣ୍ଟରକୁ ନିରୀକ୍ଷଣ ପାଇଁ ସ୍ଥାନାନ୍ତର ହୋଇଛନ୍ତି। ମୋଟ୍‌ ଜିଲ୍ଲାରେ ୬୦ଜଣ ରୋଗୀ ସୁସ୍ଥ ହୋଇଥିବା ଜିଲ୍ଲାପାଳ ମନୋଜ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ଛଅ ଦିନ ତଳେ ଏହି ନବରତ୍ନ କମ୍ପାନିର ଡିଜିଏମ୍‌ ପାହ୍ୟାର ଜଣେ ଅଧିକାରୀଙ୍କ ଦେହରେ ପ୍ରଥମେ ଭୂତାଣୁ ଚିହ୍ନଟ ହୋଇଥିଲା। ତା’ର କେଇ ଘଣ୍ଟା ପରେ ତାଙ୍କର ଗଡ଼ିଥିଲା ମୁଣ୍ଡ। ତେଣୁ ସନ୍ଦେହରେ ନାଲକୋନଗରର ୨୬୫ଜଣଙ୍କର ସ୍ୱାବ୍‌ ପରୀକ୍ଷା କରାଯାଇଥିଲା। ସେଥିରୁ, ଆଜି ୬ଜଣଙ୍କର ନମୁନା କରୋନା ପଜିଟିଭ୍‌ ଆସିଛି। ତା’ ମଧ୍ୟରେ ୫ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଥିବା ଜଣାପଡ଼ିଛ।

ପୁରୁଷମାନଙ୍କର ବୟସ ଯଥାକ୍ରମେ ୩୬, ୫୫, ୫୫, ୫୮ ଓ ୫୯ ହୋଇଥିବା ବେଳେ ଆକ୍ରାନ୍ତ ମହିଳାଙ୍କର ବୟସ ପ୍ରାୟ ୫୫ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି। ସେହିପରି ଏନ୍‌ଟିପିସି-କଣିହାଁ ଶିଳ୍ପାଞ୍ଚଳର ଜଣେ ୭୬ବର୍ଷୀୟ ପୁରୁଷ ବି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହା ବାଦ୍‌, କିଶୋରନଗର ବ୍ଲକ ଅଞ୍ଚଳର ଏକ ଅସ୍ଥାୟୀ ଶିବିରରୁ ୨୫ ଓ ୪୪ବର୍ଷ ବୟସ୍କ ଦୁଇ ଜଣ ପୁରୁଷ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ୩୬ବର୍ଷ ବୟସ୍କ ପୁରୁଷଙ୍କ ଦେହରେ ମଧ୍ୟ ଭୂତାଣୁ ବାହାରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର