୧୦ମ ବୋର୍ଡର ସମ୍ମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା: ପୂର୍ବ ବର୍ଷଠାରୁ ୧୦ ପ୍ରତିଶତ କମ୍ ପରୀକ୍ଷାର୍ଥୀ

ଖୋର୍ଦ୍ଧା: ରାଜ୍ୟ ବୋର୍ଡ ଅଫ୍ ସେକେଣ୍ଡାରୀ ଏଡୁକେସନ୍ ପକ୍ଷରୁ ୧୦ମ ଶ୍ରେଣୀର ସମ୍ମେଟିଭ୍ ଆସେସମେଣ୍ଟ (ଏସ୍ଏ)- ୨ୟ ପରୀକ୍ଷା ମାର୍ଚ୍ଚ ୧୦ ତାରିଖ (ଶୁକ୍ରବାର) ଠାରୁ ଆରମ୍ଭ ହୋଇଯାଇଛି । ପୂର୍ବ ବର୍ଷ ତୁଳନାରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ୧୦ ପ୍ରତିଶତ ହ୍ରାସ ପାଇଥିବା ବେଳେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ମଧ୍ୟ ଆପାତତଃ ହ୍ରାସ ପାଇଛି। ପୂର୍ବ ବର୍ଷ ୧୦ ବୋର୍ଡ ପରୀକ୍ଷାରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କୁ ନେଇ ରାଜ୍ୟରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଚଳିତ ଶିକ୍ଷାବର୍ଷରେ ପରୀକ୍ଷା ପଦ୍ଧତିରେ ପରିବର୍ତନ ପରେ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଆଖିଦୃଶିଆ ଭାବେ ବଢ଼ିଥିବା ଲକ୍ଷ୍ୟ କରାଯାଇଛି ।

ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ଚଳିତ ସମ୍ମେଟିଭ୍ ଆସେସମେଂଟ୍-୨ ପରୀକ୍ଷାରେ ଜିଲ୍ଲାର ୨୯୪ଟି ବିଦ୍ୟାଳୟରୁ ୨୬୫୯୦ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିଲେ । ୧୩୯ଟି ପରୀକ୍ଷା କେନ୍ଦ୍ରରେ ୨୫୦୯୬ଜଣ ପରୀକ୍ଷା ଦେଇଥିବା ବେଳେ ୪୯୪ଜଣ ଅନୁପସ୍ଥିତ ଥିଲେ । ଏଥିପାଇଁ ୧୨ଟି ନୋଡାଲ୍ କେନ୍ଦ୍ର ଗଠନ କରାଯାଇଥିଲା । ବାଲିଅନ୍ତା ନୋଡାଲ୍ କେନ୍ଦ୍ରରେ ୧୨୩୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଅନୁପସ୍ଥିତ ଥିବା ବେଳେ ଖୋର୍ଦ୍ଧା ନୋଡାଲ୍ କେନ୍ଦ୍ର ଅଧୀନରେ ୨୪୯୬ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୬, ବାଣପୁର ନୋଡାଲ୍ କେନ୍ଦ୍ରରେ ୧୮୩୩ରୁ ୨୭ ଜଣ ଅନୁପସ୍ଥିତ, ବେଗୁନିଆ ନୋଡାଲ୍ କେନ୍ଦ୍ରରେ ୧୭୫୮ରୁ ୫୨ଜଣ ଅନୁପସ୍ଥିତ, ବୋଲଗଡ଼ ନୋଡାଲ୍ କେନ୍ଦ୍ରରୁ ୧୫୬୭ରୁ ୬୪ ଅନୁପସ୍ଥିତ, ଜଟଣୀ ନୋଡାଲ୍ କେନ୍ଦ୍ରରୁ ୧୩୮୫ରୁ ୧୫ ଅନୁପସ୍ଥିତ, ଚିଲିକା ନୋଡାଲ୍ କେନ୍ଦ୍ରରୁ ୧୩୭୭ରୁ ୨୬ ଅନୁପସ୍ଥିତ, ଭୁବନେଶ୍ୱର ମହାନଗର ନିଗମ ନୋଡାଲ୍ କେନ୍ଦ୍ର (ୟୁନିଟ୍-୮)ରୁ ୪୪୬୨ଜଣଙ୍କ ମଧ୍ୟରୁ ୬୬ ଅନୁପସ୍ଥିତ, ଭୁବନେଶ୍ୱର ମହାନଗର ନିଗମ ନୋଡାଲ୍ କେନ୍ଦ୍ର (ୟୁନିଟ୍-୩)ରୁ ୪୩୮୮ ଜଣଙ୍କ ମଧ୍ୟରୁ ୬୦ ଅନୁପସ୍ଥିତ, ଭୁବନେଶ୍ୱର ମହାନଗର ନିଗମ ନୋଡାଲ୍ କେନ୍ଦ୍ର (ୟୁନିଟ୍-୧)ରୁ ୨୪୦୯ ଜଣଙ୍କ ମଧ୍ୟରୁ ୨୦ ଅନୁପସ୍ଥିତ, ଟାଙ୍ଗୀ ନୋଡାଲ୍ କେନ୍ଦ୍ରରୁ ୨୦୩୯ଜଣଙ୍କ ମଧ୍ୟରୁ ୫୧ ଅନୁପସ୍ଥିତ, ବାଲିପାଟଣା ନୋଡାଲ୍ କେନ୍ଦ୍ରରୁ ୧୬୪୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨ଜଣ ଅନୁପସ୍ଥିତ ଅଛନ୍ତି । ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୨୬୨ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୮୩ଜଣ ପରୀକ୍ଷା ଦେଇଥିବା ବେଳେ ୭୯ଜଣ ଅନୁପସ୍ଥିତ ଅଛନ୍ତି ।

୨୦୨୨ ନଭେମ୍ବର ସମ୍ମେଟିଭ୍ ଆସେସ୍ମେଂଟ୍-୧ରେ ୨୬୫୮୦ ଜଣଙ୍କ ମଧ୍ୟରୁ ୨୪୬୨୫ଜଣ ପରୀକ୍ଷା ଦେଇଥିବା ବେଳେ ୧୯୫୫ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ । ମୁକ୍ତ ବିଦ୍ୟାଳୟ ପରୀକ୍ଷାରେ ୨୮୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୪୦ଜଣ ପରୀକ୍ଷା ଦେଇଥିଲେ ଓ ୪୬ଜଣ ଅନୁପସ୍ଥିତ ଥିଲେ । ଉପରୋକ୍ତ ପରିସଂଖ୍ୟାନ ଅନୁସାରେ, ସମ୍ମେଟିଭ୍ ଆସେସମେଂଟ୍-୧ ଠାରୁ ୨ ପରୀକ୍ଷାରେ ୪୭୧ଜଣ କମ୍ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ଅନୁପସ୍ଥିତ ପରୀକ୍ଷାର୍ଥୀଙ୍କ ସଂଖ୍ୟା ୧୯୫୫ରୁ ୪୯୪କୁ ହ୍ରାସ ପାଇଛି । ଚଳିତ ବର୍ଷ ପ୍ରଥମ ଥର ପାଇଁ ସମେଟିଭ୍ ପର୍ଯ୍ୟାୟରେ ପରୀକ୍ଷା ହୋଇଥିଲା ତେବେ ପୂର୍ବବର୍ଷ ଏକକାଳୀନ ହୋଇଥିବା ପରୀକ୍ଷାରେ, ୨୦୨୧-୨୨ ଶିକ୍ଷାବର୍ଷରେ, ଜିଲ୍ଲାର ୩୨୮ଟି ସ୍କୁଲର ୨୮୫୩୬ଜଣ ପରୀକ୍ଷାର୍ଥୀ ଫର୍ମ ପୂରଣ କରିଥିବା ବେଳେ ୧୪୦୨ଜଣ ଅନୁପସ୍ଥିତ ଥିଲେ । ଏହି ଦୃଷ୍ଟିରୁ ଚଳିତ ସମ୍ମେଟିଭ୍ ଆସେସମେଂଟ୍-୨ରେ ଛାତ୍ରଛାତ୍ରୀଙ୍କ ଉପସ୍ଥିତିକୁ ଦେଖିଲେ ପରିବର୍ତ୍ତିତ ପରୀକ୍ଷା ପଦ୍ଧତିରେ ପରୀକ୍ଷାକୁ ସମ୍ମୁଖୀନ କରିବା ସାହସ ଆପାତତଃ ବୃଦ୍ଧିପାଇଛି ବୋଲି ଶିକ୍ଷାବିଦ୍ମାନେ ମତ ଦେଇଛନ୍ତି ।

ସମ୍ବନ୍ଧିତ ଖବର