୭ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଜେଲ୍‌

ପୁରୀ: ଗଞ୍ଜାମରୁ ପୁରୀକୁ ଚୋରାରେ ଗଞ୍ଜେଇ ଚାଲାଣ କରୁଥିବା ୭ ଜଣ ଗଞ୍ଜେଇ ବେପାରୀଙ୍କୁ ୧୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ପ୍ରତ୍ୟେକଙ୍କୁ ୧ ଲକ୍ଷ ଲେଖାଏ ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ପୁରୀ ଜିଲ୍ଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଅମ୍ବୁଜା ମୋହନ ଦାସ। ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ବ୍ୟକ୍ତି ଗଞ୍ଜାମ ଜିଲ୍ଲା କୋଦଳ ଥାନା ଅଞ୍ଚଳର ବୋଲି ସୂଚନା ମିଳିଛି। ସେମାନେ ହେଲେ ପତଲା ବେହେରା (୧୯), ଦାମୋଦର ବେହେରା (୨୨), ବସନ୍ତ ପ୍ରଧାନ(୨୨), ବୁଲୁ ବେହେରା (୨୩), ଅଶୋକ ମୁନୀ (୧୯), ପ୍ରଶାନ୍ତ ମୁନୀ (୧୯) ଓ ଚିଣ୍ଟୁ ସାମନ୍ତ (୨୦)। ବିବରଣୀରୁ ପ୍ରକାଶ, ୨୦୧୫ ଅକ୍ଟୋବର ୧୫ ତାରିଖ ରାତି ପ୍ରାୟ ୧୦ଟାରେ ଗଞ୍ଜାମରୁ ପୁରୀକୁ ଚୋରାରେ ଗଞ୍ଜେଇ ଆସୁଥବା ଅବକାରୀ ବିଭାଗର ଅଧିକାରୀଙ୍କୁ ଖବର ମିଳିଥିଲା। ଅବକାରୀ ଅଧିକାରୀମାନେ ପୁରୀ ରେଳ ଷ୍ଟେସନରେ ଜଗି ରହିଥିଲେ। ରାତି ପ୍ରାୟ ୧୧ଟା୧୫ରେ ଏକ ଗାଡ଼ିରେ ୮ ଜଣ ବସି ଆସୁଥିଲେ। ଗାଡ଼ିଟି ଷ୍ଟେସନ୍‌ ନିକଟସ୍ଥ ତାରିଣୀ ଛକ ଅତିକ୍ରମ କରିବା ବେଳେ ଅବକାରୀ ଅଧିକାରୀମାନେ ଗାଡ଼ି ଅଟକାଇ ଯାଞ୍ଚ କରିଥିଲେ। ଗାଡ଼ି ଚାଳକ ଫେରାର୍ ହୋଇ ଯାଇଥିବା ବେଳେ ଅନ୍ୟ ୭ ଜଣଙ୍କୁ ଅବକାରୀ ଅଧିକାରୀ ଧରି ବାରାକ୍‌କୁ ନେଇଥିଲେ। ସେମାନଙ୍କ ନିକଟରେ ଥିବା ୧୦ଟି ଏୟାରବ୍ୟାଗ୍‌କୁ ଅବକାରୀ ଅଧିକାରୀ ଜବତ କରିଥିଲେ। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଯାଞ୍ଚ ବେଳେ ସେଥିରୁ ୧୦୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ପରେ ଅଭିଯୁକ୍ତମାନଙ୍କୁ ଅବକାରୀ ଆଇନ୍‌ରେ କୋର୍ଟଚାଲାଣ କରାଯାଇଥିଲା। ମାମଲାର ବିଚାର ବେଳେ ଲାବ୍‌ ଟେଷ୍ଟ ରିପୋର୍ଟ ସହିତ ୪ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ‌େଦୗରାଜଜ୍‌ ରାୟ ଶୁଣାଇଥିଲେ।

ସମ୍ବନ୍ଧିତ ଖବର