ଗଞ୍ଜାମରେ କରୋନାକୁ ୩ ମାସ: ଗଲାଣି ୧୦୩ ଜୀବନ, ମୃତ୍ୟୁ ହାର ଉପରେ ଲାଗି ପାରୁନି ରୋକ୍‌

ଭିତ୍ତିଭୂମି, ଅଭିଜ୍ଞତା ଥାଇ ସବୁ ନିଷ୍ଫଳ

ବ୍ରହ୍ମପୁର: ଗଞ୍ଜାମରେ ପ୍ରଥମ କରୋନା ପଜିଟିଭ ୩ ମାସ ପୂର୍ବରୁ ଦେଖାଯାଇଥିଲା। ଏହି ସମୟ ମଧ୍ୟରେ ଜିଲ୍ଳାରେ ମହାମାରୀର ଭୂତାଣୁ ଜନିତ ସଂକ୍ରମଣ ଓ ମୃତ୍ୟୁହାର ଶିଖର ଛୁଇଛି। ଜିଲ୍ଲାରେ ସମୁଦାୟ ୧୦୯ ଜଣକ ଅକାଳରେ ଜୀବନ ଦୀପ ଲିଭି ଯାଇଥିବା ବେଳେ ୧୦ହଜାର ୯୯୨ଜଣ ସଂକ୍ରମିତ ହେଲେଣି। ସଂକ୍ରମଣ ଓ ମୃତ୍ୟୁ ହାରକୁ ରୋକାଯାଇ ପାରୁନାହିଁ। ଅଧିକ ସଂଖ୍ୟକ ନମୁନା ପରୀକ୍ଷା କରାଯାଉଥିବାରୁ ପଜିଟିଭ ଚିହ୍ନଟ ହେଉଛନ୍ତି ଏବଂ ଜିଲ୍ଲାରେ ସଂକ୍ରମଣ କମୁଥିବା ପ୍ରଶାସନ କହୁଛି । ମୃତ୍ୟୁହାର ସଂକ୍ରାନ୍ତରେ ଲୋକଙ୍କ ଉପରେ ଦୋଷ ଲଦି ପ୍ରଶାସନ ଖସିଯିବାକୁ ଉଦ୍ୟମ କରୁଛି ବର୍ତ୍ତମାନ ଜିଲ୍ଲାରେ କୋଭିଡ଼୍‌ ପରିଚାଳନା ଲାଗି ଭତ୍ତିଭୂମି, ଡାକ୍ତର, ପାରା ମେଡିକାଲ ଷ୍ଟାଫ, ଆମ୍ବୁଲାନ୍‌ସ ଆଦି କୌଣସିରେ ଅଭାବ ନାହିଁ ତେବେ ଜିଲ୍ଲାରେ କରୋନା ଜନିତ ମୃତ୍ୟୁକୁ କାହିଁକି ରୋକାଯାଇପାରୁନି ବୋଲି ବୁଦ୍ଧିଜୀବୀ ମାନେ ପ୍ରଶ୍ନ କରିଛନ୍ତି।ଉପଯୁକ୍ତ ଚିକିତ୍ସା ଅଭାବରୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ସଂକ୍ରାନ୍ତରେ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି। ତେବେ ଭିତ୍ତିଭୂମି ଓ ଅଭିଜ୍ଞତା ଉପଯୁକ୍ତ ବିନିଯୋଗ ହେଉ ନ ଥିବାରୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା କୁହାଯାଉଛି।

ପ୍ରବାସୀ ଓଡ଼ିଆମାନଙ୍କ ଘର ବାହୁଡ଼ା ପରେ ମେ’ ମାସ ୨ତାରିଖରେ ଜିଲ୍ଲାରେ ପାଦ ଥାପିଥିଲା। ଗଞ୍ଜାମ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ଶହ ପାର କରି ୧୦୩ରେ ପହଂଚିଛି। ଅଣ କୋଭିଡରେ ୬ଜଣଙ୍କ ଜୀବନ ଯାଇଛି। ପ୍ରତ୍ୟେହ ୩ରୁ ୪ଜଣଙ୍କ ମୃତ୍ୟୁ ଘଟୁଛି। ସରକାରୀ ଭାବେ କରୋନାରେ ୧୦୩ ଜଣଙ୍କ ମୃତ୍ୟୁବରଣ କରିଥିବା କୁହାଯାଉଥିବା ବେଳେ ବାସ୍ତବରେ ଏହି ସଂଖ୍ୟା ଢେର ଅଧିକ ବୋଲି କୁହାଯାଉଛି। କେବେଳ ଜୁଲାଇ ମାସରେ କରୋନାରେ ୮୦ଜଣଙ୍କ ମୃତ୍ୟୁ ଘଟିଛି। କୋଭିଡ଼୍‌ ଟେଷ୍ଟ ନ କରି ଜ୍ୱର, ଥଣ୍ଡା ଓ କାଶରେ ଜିଲ୍ଲା ପ୍ରତ୍ୟେହ କିଛି ନା କିଛି ଲୋକ ମରୁଛନ୍ତି।

ଏହି ୩ମାସ ମଧ୍ୟରେ ଗଞ୍ଜାମରେ କରୋନାର ମୁ୍‌କାବିଲା ଭିତିଭୂମିକୁ ସୁଦୃଢ କରାଯାଇଛି। ଏପ୍ରିଲ ୧୦ରେ ଟାଟା କୋଭିଡ଼୍‌-୧୯ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଥିଲା। ୨୨୦ଶର୍ଯ୍ୟା ଓ ୫୪ଟି ଭେଂଟିଲେଟର ବ୍ୟବସ୍ଥା ଏହି ହସ୍ପିଟାଲ ରହିଛି ବ୍ରହ୍ମପୁର ବଡ଼ଡ଼ାକ୍ତରଖାନାର ଡାକ୍ତର ଓ ପରାମେଡ଼ିକାଲ କର୍ମଚାରୀଙ୍କ ଦ୍ୱାରା ଏହି କୋଭିଡ଼୍‌ ହସ୍ପିଟାଲ ପରିଚାଳିତ ହେଉଥିଲା। ବାରମ୍ବାର ଚିକିତ୍ସାର ଅବହେଳା ଅଭିଯୋଗ ଆସିବା ପରେ ଏହି ମେଡ଼ିକାଲର ଚିକିତ୍ସା ସେବାକୁ ସୁଦୃଢ କରିବା ଲାଗି ଜିଲ୍ଲା ପ୍ରଶାସନ ଘରୋଇ ସଂସ୍ଥା ହାଇଟେକ୍‌ ଗ୍ରୁଫକୁ ଦାୟିତ୍ୱ ଦେଇଛି । ଗତ ୨୪ତାରିଖ ଠାରୁ ଏହି ସଂସ୍ଥା କୋଭିଡ଼୍‌-୧୯ ହସ୍ପିିଟାଲର ପରିଚାଳନା ଭାର ମଧ୍ୟ ହାତକୁ ନେଇଛି କୋଭିଡ଼୍‌ -୧୯ ହସ୍ପିଟାଲରେ ସ୍ୱାସ୍ଥ୍ୟସେବା ସୁଦୃଢ କରି ଲାଗି ଘରୋଇ ସଂସ୍ଥାକୁ ସାମିଲ କରାଯାଇଥିବା ବେଳେ ସେଭଳି ଚିତ୍ର ଦେଖିବାକୁ ମିଳିନାହିଁ। ବଂର ଓଲାଟା ଫଳ ମିଳିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧ ତାରିଖରେ ୨ଟି ଉତ୍ସର୍ଗୀକୃତ କୋଭିଡ଼୍‌-୧୯ ହସ୍ପିଟାଲ ଲୋକାର୍ପଣ କରିଛନ୍ତି। ଏଥିରେ ୩ଶହ ଶଯ୍ୟା ଓ ପ୍ରାୟ ୫୦ଟି ଆଇସିୟୁ ବ୍ୟବସ୍ଥା ରହିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଜିଲ୍ଲାରେ ୪୯୬ଟି କୋଭିଡ଼୍‌ କେୟାର ହୋମ ୍‌(ସିସିଏଚ୍‌)ରେ ୫୯୨୬ ଶଯ୍ୟା ରହିଛି। ସେହିପରି ୯ଟି କୋଭିଡ଼୍‌ କେୟାର ସେଂଟରରେ ୨୫୨୪ଶଯ୍ୟା ଓ ୩ଟି ଡ୍ରିଷ୍ଟ୍ରିକ୍ଟ କୋଭିଡ଼୍‌ ହେଲଥ୍‌ ସେଂଟରରେ ୬ଶହ ଶଯ୍ୟା ରହିଛି। ଜିଲ୍ଳାର ଡାକ୍ତର ସମସ୍ୟା ଦୂର କରିବା ଲାଗି ଗତ କିଛିଦିନ ରାଜ୍ୟ ସରକାର ୧ଶହ ଆୟୁଷ ଡାକ୍ତର, ୩୩ଜଣ ଏବିବିଏସ୍‌, ୩୩ଜଣ ଲ୍ୟାବ ଟେକ୍ସିନିସିଆନ ଜିଲ୍ଲାକୁ ପଠାଇଛନ୍ତି। ଏଥିସହ ମେଡିକାଲ କଲେଜର ପିଜି ଛାତ୍ରଙ୍କୁ କୋଭିଡ଼୍‌ ପରିଚାଳନାରେ ନିୟୋଜିତ କରାଯାଇଛି ।

ଜିଲ୍ଲାରେ କରୋନା ରୋଗୀଙ୍କ ଲାଗି ପ୍ରାୟ ୨ଟି ଲାଇଫ ସପୋର୍ଟ ଆମ୍ବୁଲାନ୍‌ସ ସହିତ ୧୫୦ଟି ଆମ୍ବୁଲାନ୍‌ସ ନିୟୋଜିତ କରାଯାଇଛି। କୋଭିଡ଼୍‌ ପରିଚାଳନାକୁ ତଦାରଖ କରିବା ଲାଗି ୨ଜଣ ଆଇଏଏସ୍‌, ୫ ଓଏଏସ୍‌, ୪୭ ଜଣ ଓଆରଏସ୍‌ ଅଫିସରକୁ ଜିଲ୍ଲାକୁ ପଠାଯାଇଛି ଏଥିସହ ଜିଲ୍ଲାରେ ଦକ୍ଷିଣାଂଚଳ ରାଜସ୍ୱ ଆୟୁକ୍ତ, ଜିଲ୍ଲାପାଳ, ବ୍ରହ୍ମପୁର ଉପ ଜିଲ୍ଲାପାଳ, ବ୍ରହ୍ମପୁର ମହାନଗର ନିଗମର କମିସନର ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ୍ନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ(୬ଜଣ ଆଇଏଏସ୍‌) କାର୍ଯ୍ୟ କରୁଛନ୍ତି। ଏହାକୁ ଅନୁଧ୍ୟାନ କଲେ କୋଭିଡ଼୍‌ ପରିଚାଳନା ଲାଗି ଜିଲ୍ଲାପାଳ ଭିତ୍ତିଭୂମି ଓ ମାନବସମ୍ବଳର ଅଭାବ ନାହିଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏତେସବୁ ଥାଇ ସୁଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ଓ ମୃତ୍ୟୁ ହାରରେ ବ୍ରେକ୍‌ ଲଗାଯାଇପାରୁନାହିଁ । ସବୁଠାରୁ ସଙ୍ଗୀନ ବିଷୟ ହେଲା ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଘଟୁଥିବା ବାରମ୍ବାର ଅଭିଯୋଗ ଆସୁଛି।

ThePrint

ଶୀତଳାପଲ୍ଲୀ କୋଭିଡ଼୍‌ -୧୯ ହସ୍ପିଟାଲରେ ବ୍ରହ୍ମପୁର ବଡ଼ ବଜାର ଅଂଚଳର ବସନ୍ତ କୁମାର ସାହୁ(୪୯) ନାମକ ଜଣେ ବ୍ୟକ୍ତିଙ୍କ ଗତ ୨୪ ତାରିଖରେ ମୃତ୍ୟୁ ଘଟିଥିଲା । ମୃତ୍ୟୁର ୪ଦିନ ପରେ ତାଙ୍କ ପରିବାର ଲୋକଙ୍କୁ ମେଡ଼ିକାଲ କର୍ତୃପକ୍ଷ ସୂଚନା ଦେଇଥିଲେ। କୋଭିଡ଼୍‌ ହସ୍ପିଟାଲ ବିରୋଧ ଏଭଳି ସଙ୍ଗିନ ଅଭିଯୋଗ ଆସିଥିଲା । ବ୍ରହ୍ମପୁର ଇଞ୍ଜିନିୟର ସ୍କୁଲ ରାଜୀବ ନଗର ଅଂଚଳର ଅବସରପ୍ରାପ୍ତ ବିଡ଼ିଏ କର୍ମଚାରୀ ପଙ୍କଜ ବେହେରାଙ୍କ ଶ୍ୱାସପ୍ରଶ୍ୱାସରେ କଷ୍ଟ ହେବାରୁ ଗତ ୩୧ତାରିଖ ଦିନ ସିଟି ହସ୍ପିଟାଲ ନିକଟସ୍ଥ କୋଭିଡ଼୍‌ କେୟାର ହସ୍ପିଟାଲକୁ ଯାଇଥିଲେ କିନ୍ତୁ ପିପିଇ କିଟ୍‌ ନ ଥିବାରୁ ନର୍ସ ଓ କର୍ମଚାରୀ ଅକ୍ସିଜେନ ଦେଇ ନ ଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। କୋଭିଡ୍‌ ହସ୍ପିଟାଲ, କୋଭିଡ଼୍‌ କେୟାର ସେଂଟର ଗୁଡ଼ିକର ଚିକିତ୍ସା ବ୍ୟବସ୍ଥାକୁ ନେଇ ଅଭିଯୋଗ ଫର୍ଦ୍ଦ ବଢିବାରେ ଲାଗିଛି । ଉପଯୁକ୍ତ ଚକିତ୍ସା ଅଭାବରୁ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ବଢୁଥିବା କୁହାଯାଉଛି । ଭିତ୍ତିଭୂମି ଓ ଅଭିଜ୍ଞ ଡାକ୍ତର ରହିଥିଲେ ତାହାର ଠିକ୍‌ ବିନିଯୋଗ ହେଉ ନଥିବାରୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଗତକାଲି ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଲୋକମାନେ ଲକ୍ଷଣ ଲୁଚାଇ ରଖୁଛନ୍ତି। ଗୁରୁତର ହେବାପରେ ମେଡିକାଲକୁ ଆସୁଛନ୍ତି। ସେହିସମୟରେ ଶରୀରରେ ଅକ୍ସିଜେନ୍‌ର ସ୍ତର ବି କମିଯାଉଛି। ଡାକ୍ତରଙ୍କ ଚେଷ୍ଟା ସତ୍ତ୍ୱେ ବି ରୋଗୀ ବଂଚୁନାହିଁ। ତେଣୁ ଲକ୍ଷଣ ନ ଲୁଚାଇ ତୁରନ୍ତ ଡାକ୍ତର ପରାମର୍ଶ ଦେବାକୁ ଜିଲ୍ଳାପାଳ ପରାମର୍ଶ ଦେଇଛନ୍ତି । ଅନ୍ୟପକ୍ଷରେ ଜିଲ୍ଲା ପ୍ରଶାସନ କହୁଛି ଜିଲ୍ଲାରେ କରୋନା ସ୍ଥିତିରେ ସୁଧାର ଆସୁଛି । ଜିଲ୍ଲାରେ ମୃତ୍ୟୁ ହାର ୦.୯୩ ପ୍ରତିଶତ ରହିଛି। ସୁସ୍ଥ ହାର ୬୮.୮୦ ପ୍ରତିଶତ ରହିଛି । ସକ୍ରିୟ ସଂକ୍ରମିତ ୩୦.୨୮ ପ୍ରତିଶତ ରହିଛି।

ସମ୍ବନ୍ଧିତ ଖବର