୨୦୨୫ସୁଦ୍ଧା ଚାଲିବ ୧୨୦୦ସିଟି ବସ୍‌

କଟକ-ଭୁବନେଶ୍ୱର-ପୁରୀର ଗମନାଗମନ ବ୍ୟବସ୍ଥା ବଦଳିବ

ଭୁବନେଶ୍ୱର : ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା ସୁଦୃଢ ହେବ। ଏହାକୁ ନଜରରେ ରଖି କଟକ ଏବଂ ପୁରୀର ବି ଗମନାଗମନ ବ୍ୟବସ୍ଥା ବଦଳିବ। ଏଥିପାଇଁ ବିଡିଏ, ସିଡିଏ ଏବଂ ପିକେଡିଏକୁ ନେଇ ସ୍ୱତନ୍ତ୍ର ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ ହେବ। ଏହି ସବୁ ଅଞ୍ଚଳରେ ପ୍ରତି ଗଳି କନ୍ଦିରେ ଯେପରି ସିଟି ବସ୍‌ ଚାଲିବ, ପ୍ରତି ଛକରେ ପ୍ରତି ୫ରୁ ୧୦ମିନିଟରେ ସିଟି ବସ୍‌ ପହଞ୍ଚିବ ସେଥିପାଇଁ ଯୋଜନା ପ୍ରସ୍ତୁତ ହେବ। ୨୦୦୨ ସୁଦ୍ଧା ଏହି ଅଞ୍ଚଳରେ ୬୦୦ସିଟି ବସ୍‌ ଚାଲିବାକୁ ଥିବାବେଳେ ୨୦୨୫ ସୁଦ୍ଧା ୧୨୦୦ସିଟି ବସ୍‌ ଚଲାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି।
ଭୁବନେଶ୍ୱର-ପୁରୀ-କଟକର ଗମନାଗମନ ବ୍ୟବସ୍ଥା ବଦଳାଇବା ପାଇଁ ବିପିଟିଏସ୍‌ କାର୍ଯ୍ୟ କରିବ। ଜାତୀୟ ସ୍ତରର ମାନଦଣ୍ଡ ଅନୁଯାୟୀ କିପରି ଗମନାଗମନ ବ୍ୟବସ୍ଥା ବଦଳିବ ସେନେଇ ବିପିଟିଏସ୍‌ ଯୋଜନା କରୁଛି। ପ୍ରତ୍ୟେକ ଅଞ୍ଚଳରେ ଯେପରି ସିଟି ବସ୍‌ ଠିକ୍‌ ଭାବେ ପରିଚାଳନା ହୋଇପାରିବ ସେଥିପାଇଁ ଇଡକୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ଜମି ଯୋଗାଇ ଦେବେ। ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ସ୍ଥାନରେ ବସ୍‌ ଡିପୋ, ଆବଶ୍ୟକୀୟ ବସଷ୍ଟାଣ୍ଡ ନିର୍ମାଣ କରାଯିବ। ୨୦୩୦ସୁଦ୍ଧା ବର୍ଦ୍ଧିତ ଜନସଂଖ୍ୟାକୁ ନଜରରେ ରଖି ଗମନାଗମନ ବ୍ୟବସ୍ଥା ବଦଳାଇବା ଏବଂ ମାଷ୍ଟରପ୍ଲାନ୍‌ ପ୍ରସ୍ତୁତ କରିବା ନେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି।

ସମ୍ପ୍ରସାରିତ ଗମନାଗମନ ବ୍ୟବସ୍ଥା ପାଇଁ ଇଡକୋ, ରାଜସ୍ୱ ବିଭାଗ ଏବଂ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ସ୍ଥାନରେ ତୁରନ୍ତ ଜମି ଯୋଗାଇ ଦେବାକୁ କୁହାଯାଇଛି। ଏଥିରେ ତିନିଟି ଜିଲ୍ଲାରେ ୧୯ଟି ସ୍ଥାନରେ ୫ଏକର ଲେଖାଏ ଜମି ମଗାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ବସ୍‌ ଡିପୋ ପାଇଁ ସାଧାରଣ ପ୍ରଶାସନ ବିଭାଗ ଗାଡ଼କଣ, ଘାଟିକିଆ/କଳିଙ୍ଗନଗର, ପଟିଆ, ପାତ୍ରପଡ଼ା ଏବଂ ଭଗବାନପୁର, ପାଣ୍ଡରା, ଫୁଲନଖରାରେ ୫ଏକର ଲେଖାଏଁ ଜମି ଯୋଗାଇବ। ପଟିଆରେ ଯେଉଁ ୫ଏକର ଜମି ମିଳିଛି ସେଠାରେ ବସ୍‌ ଡିପୋ କରିବା ସମ୍ଭବ ନଥିବାରୁ ଏହା ବଦଳରେ ଆଉ ୫ଏକର, ପାତ୍ରପଡ଼ା ଏବଂ ଭଗବାନପୁରରେ ଅତିରିକ୍ତ ୨ଏକର ଲେଖାଏ ଜମି ଯୋଗାଇବାକୁ ସାଧାରଣ ପ୍ରଶାସନ ବିଭାଗକୁ କୁହାଯାଇଛି।

ସେହିପରି ଇଡକୋ ଇନଫୋସିଟି, ଇନଫୋ ଭ୍ୟାଲି, ରାମଦାସପୁର/ ଭଗବାନପୁର ଅଞ୍ଚଳରେ ୫ଏକର ଲେଖାଏ ଜମି ଯୋଗାଇବ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଦାସପୁର, ସିଜୁଆ ଏବଂ ଅନ୍ୟ ତିନିଟି ଉପଯୁକ୍ତ ସ୍ଥାନରେ ୫ଏକର ଲେଖାଏ ଜମି ଯୋଗାଇବ। କଟକ ଜିଲ୍ଲା ପ୍ରଶାସନ ନାରାୟଣପୁର, ଗୋପାଳପୁର ଏବଂ ଜଗତପୁରରେ ୫ଏକର ଲେଖାଏ ଜମି, ପୁରୀ ଜିଲ୍ଲା ପ୍ରଶାସନ ମାଳତିପାଟପୁର ଏବଂ ଅନ୍ୟ ଏକ ଉପଯୁକ୍ତ ସ୍ଥାନରେ ୫ଏକର ଜମି ଯୋଗାଇବ ବୋଲି ନିଷ୍ପତ୍ତି ହୋଇଛି। ଏହି ଜମିକୁ ନଗର ଉନ୍ନୟନ ବିଭାଗକୁ ହସ୍ତାନ୍ତର କରିବେ।

କଟକରୁ ପୁରୀ ପର୍ଯ୍ୟନ୍ତ ଗମନାଗମନ ବ୍ୟବସ୍ଥା ଉନ୍ନତିକରଣ ପାଇଁ ଆଲୋଚନା ହୋଇଥିଲେ ହେଁ ଭୁବନେଶ୍ୱରର ଗମନାଗମନ ବ୍ୟବସ୍ଥା ଯେପରି ବିଶ୍ୱ ଶ୍ରେଣୀର ହେବ ସେଥିପାଇଁ ନିଷ୍ପତ୍ତି ହୋଇଛି। ହକି ବିଶ୍ୱକପ୍‌- ୨୦୧୮ ପୂର୍ବରୁ ଅର୍ଥାତ୍‌ ଆସନ୍ତା ନଭେମ୍ବର, ୨୦୧୮ସୁଦ୍ଧା ରାଜଧାନୀରେ ୩୦୦ସିଟି ବସ୍‌ ଚଲାଇବାକୁ ଯୋଜନା ହୋଇଛି। ଏଥିପାଇଁ ଇଡକୋ ଅଞ୍ଚଳରେ ସ୍ୱତନ୍ତ୍ର ବସ୍‌ କରିଡର କରିବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର