ବାହାଘର କାର୍ଯ୍ୟକ୍ରମରେ ବିଷାକ୍ତ ଚା ପିଇ ୧୫ ଅସୁସ୍ଥ

ଭୋଗରାଇ: ବୁଧବାର ସକାଳେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅଞ୍ଚଳର କାନ୍ଥଭଉଁରି ଗ୍ରାମପଞ୍ଚାୟତ ଅନ୍ତର୍ଗତ ରଣସିଂହପୁର ଗାଁରେ ୧୫ରୁ ଊର୍ଦ୍ଧ୍ୱ ବ୍ୟକ୍ତି ବିଷାକ୍ତ ଚା ପିଇ ଅସୁସ୍ଥ ହୋଇପଡ଼ିଛନ୍ତି।

ଏହି ବ୍ୟକ୍ତିମାନେ ଗତରାତିରେ ରଣସିଂହପୁର ଗାଁରେ ଏକ ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଆଜି ସକାଳ ପ୍ରାୟ ୬ଟା ବେଳେ ସେମାନଙ୍କୁ ଚା ପରିବେଷଣ କରାଯାଇଥିଲା। ଚା ପିଇବା ପରେ ସେମାନେ ଅଶ୍ୱସ୍ତି ଅନୁଭବ କରିବା ସହ ବାନ୍ତି କରିଥିଲେ। ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍‌ସ୍‌ ଯୋଗେ ତୁରନ୍ତ ସେମାନଙ୍କୁ ଜଳେଶ୍ୱରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ।

ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ପରିବାରର ବାହାଘରରେ ଯୋଗ ଦେଇଥିବା ବନ୍ଧୁବାନ୍ଧବଙ୍କ ସକାଶେ ସକାଳେ ପ୍ରସ୍ତୁତ ହେଉଥିବା ଚା’ରେ ଚା ପତି ପଡ଼ିବା ପରିବର୍ତ୍ତେ ଭୁଲ୍‌ରେ କୀଟନାଶକ ଦାନାଦାର ପଡ଼ିଯାଇଥିଲା।

ଅସୁସ୍ଥ ବ୍ୟକ୍ତିମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର