ଓୟୁଟିଆରକୁ ୧୫୦୦ କୋଟି, ଭିସୁଟ୍‌ ହାତ ଖାଲି ! ରାଜ୍ୟ ସରକାରଙ୍କ ଏ ବୈମାତୃକ ଭାବ କାହିଁକି ?

ବୁର୍ଲା: ଶିକ୍ଷା ପାଇଁ ସରକାରୀ ଅନୁଦାନ ପ୍ରଦାନରେ ବି ପକ୍ଷପାତ। ରାଜ୍ୟ ସରକାର ଓୟୁଟିଆର୍‌କୁ ଏକକାଳୀନ ୧୫ଶହ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ୬୬ ବର୍ଷର ପୁରୁଣା ବୈଷୟିକ ଶିକ୍ଷାନୁଷ୍ଠାନ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍) ପ୍ରତି ଉପେକ୍ଷା କରିଥିବା ଭଳି ସାଂଘାତିକ ଅଭିଯୋଗ ଆସିଛି। ରାଜ୍ୟ ସରକାର ଗତ ୨୦୨୦ ମସିହାରେ ସିଇଟିକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବା ସହିତ ଏହା ଓୟୁଟିଆର ନାମରେ ପରିଚିତ ‌ହୋଇଥିଲା। ଏହି ବିଶ୍ୱବିଦ୍ୟାଳୟକୁ ୫ ବର୍ଷରେ ବିନିଯୋଗ କରିବା ପାଇଁ ଏକସଂଗରେ ୧୫୦୦ କୋଟି ଟଙ୍କ‌ା ଅନୁଦାନ ରାଶି ମଂଜୁର କରୁଛନ୍ତି। କିନ୍ତୁ, ୨୦୦୯ ମସିହାରେ  ୟୁସିଇରୁ ଭିସୁଟ୍‌ରେ ପରିଣତ ହୋଇଥିବା ଏହି ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହୋଇଛି।

୧୯୫୬ ମସିହାରେ ଓଡ଼ିଶାରେ ବୈପ୍ଲବିକ ପରିବର୍ତ୍ତନ ପାଇଁ ଏହି ଅନୁଷ୍ଠାନ ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ଭିସୁଟ୍‌ ୪୦ ହଜାରରୁ ଅଧିକ ପ୍ରତିଭାବାନ ଯନ୍ତ୍ରୀ ତିଆରି କରିପାରିଛି। ଓଡ଼ିଶାର ଏକମାତ୍ର ସରକାରୀ ବୈଷୟିକ ଅନୁଷ୍ଠାନ ଭାବରେ ଭିସୁଟ୍‌ ଜାତୀୟ ସ୍ତରରେ ୧୧୬ ନମ୍ବରରେ ସ୍ଥାନିତ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛି। ମାତ୍ର ୧୨ ଶହ ଛାତ୍ରଛାତ୍ରୀରୁ ଆରମ୍ଭ ହୋଇଥିବା ଏହି ଅନୁଷ୍ଠାନରେ ଏବେ ପ୍ରାୟ ୬ ହଜାର ଜଣ ଛାତ୍ରଛାତ୍ରୀ ୧୨ଟି ବିଭାଗରେ ସ୍ନାତକ, ୨୨ଟି ବିଭାଗରେ ସ୍ନାତକୋତ୍ତର ପାଠ୍ୟକ୍ରମରେ ଅଧ୍ୟୟନରତ। ତେବେ, ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ସମୟରେ ନିର୍ମିତ ଶ୍ରେଣୀକକ୍ଷ, ପରୀକ୍ଷାଗାର, ଛାତ୍ରବାସ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇ ବର୍ଷାଦିନେ ପାଣି ମଧ୍ୟ ଗଳୁଛି। ପରୀକ୍ଷାଗାରରେ ପୁରାତନ ଯନ୍ତ୍ରପାତିରେ ପାଠ ପଢ଼ାଯାଉଛି। ଗବେଷଣା ପାଇଁ ଉନ୍ନତ ମାନର ଯନ୍ତ୍ରପାତି ମଧ୍ୟ ନାହିଁ । ଛାତ୍ରାବାସ ଅଭାବରୁ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ଏକାଠି ରହିବା ପାଇଁ ବାଧ୍ୟ କରାଯାଉଛି। ଅନବରତ ବିଦ୍ୟୁତ ଯୋଗାଣ ପାଇଁ ମଧ୍ୟ କୌଣସି ବ୍ୟବସ୍ଥା ନାହିଁ। ବିଜୁଳି ଚାଲିଗଲେ ଛାତ୍ରଛାତ୍ରୀ ଅନ୍ଧାରରେ ରହିବାକୁ ବାଧ୍ୟ ହେଉଛନ୍ତି। ୧୨୦୦ ଛାତ୍ରଛାତ୍ରୀ ଥିବାବେଳେ ଶିକ୍ଷକ ଓ କର୍ମଚାରୀଙ୍କ ପାଇଁ ଯେତିକି ଷ୍ଟାଫ କ୍ୱାଟର୍ସ ଥିଲା ଆଜି ମଧ୍ୟ ସେତିକି ରହିଛି।

ଏମ୍‌ଟେକ ଓ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ସ୍ୱତନ୍ତ୍ର ସୁବିଧା ମଧ୍ୟ ନାହିଁ। ତଥାପି ଅନୁଷ୍ଠାନର ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଭିସୁଟ ଜାତୀୟ ସ୍ତରରେ ନିଜକୁ ପ୍ରତିଷ୍ଠା କରିପାରିଛି। ଇସ୍ରୋର ଏକ ଶାଖା ‌ଖୋଲିବା ଦେଶରେ ଏହି ଅନୁଷ୍ଠାନର ଗୌରବ ବଢ଼ାଇଛି। ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ’ରେ ମଧ୍ୟ ଏହାର ପ୍ରଶଂସା କରିଛନ୍ତି। ଭିସୁଟ- ଏସ୍‌ଏଲ୍‌ଭି ଦେଶରେ ଆଦୃତ ହୋଇଛି। ଆଇଡିଆ ଓ ଇନୋଭେସନ ସେଲ୍‌ର ଛାତ୍ରଛାତ୍ରୀମାନେ ଭାରତର ବିଭିନ୍ନ ବଡ଼ ବଡ଼ ବୈଷୟିକ ଅନୁଷ୍ଠାନକୁ ପଛରେ ପକାଇ ଜାତୀୟ ସ୍ତରରେ ପୁରସ୍କୃତ ହୋଇ ଅନୁଷ୍ଠାନ ତଥା ଓଡ଼ିଶାକୁ ଗୌରାବାନ୍ବିତ କରିଛନ୍ତି। ଏପଟେ ଅଂଚଳର ଥିବା ଶିଳ୍ପାନୁଷ୍ଠାନ ଏବଂ ଶିକ୍ଷାନୁଷ୍ଠାନମାନଙ୍କୁ ଏକତ୍ରିତ କରି ସମଗ୍ର ଅଞ୍ଚଳର ବିକାଶ ପାଇଁ ଭିସୁଟ କୁଳପତି ପ୍ରଫେସର ମାଝୀ ଏକ ମାଷ୍ଟର ପ୍ଲାନ ମଧ୍ୟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ଭିତ୍ତିଭୂମିର ବିକାଶ, ଉନ୍ନତ ମାନର ପରୀକ୍ଷାଗାର, ସମନ୍ୱିତ ଗବେଷଣାଗାର ନିର୍ମାଣ କରି କୃଷି, ଜଳସମ୍ପଦର ବିନିଯୋଗ ପରିବେଶ ସୁରକ୍ଷା, ମହାକାଶ ଗବେଷଣା, ଟେଲି ଯୋଗାଯୋଗ, ଉନ୍ନତ ଧରଣର ବିଦ୍ୟୁତ ଶକ୍ତିର ଉପଯୁକ୍ତ ବିନିଯୋଗ, ଉତ୍ପାଦକ ମାନ ବୃଦ୍ଧି, ସ୍ୱାସ୍ଥ୍ୟ ତଥା ପରିମଳ ବ୍ୟବସ୍ଥାର ଉନ୍ନତିକରଣ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି। ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି। ଏଣୁ, ରାଜ୍ୟ ସରକାର ତୁରନ୍ତ ୨ ହଜାର କୋଟି ଟଙ୍କାର ଅନୁଦାନ ପ୍ରଦାନ କରିବାକୁ ଅଂଚଳର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର