ହାଇକୋର୍ଟରେ ମୁଖ୍ୟ ଶାସନ ସଚିବଙ୍କ ସତ୍ୟପାଠ: ୧୬୦୯ ଧର୍ମାନୁଷ୍ଠାନକୁ ଉଚ୍ଛେଦ କରାଯାଇଛି

କଟକ : ସର୍ବସାଧାରଣ ଜମିରେ ସାରା ରାଜ୍ୟରେ ୧୮,୨୭୪ଟି ବେଆଇନ ଧର୍ମାନୁଷ୍ଠାନ ନିର୍ମାଣ କରାଯାଇଥିବା ବେଳେ ଏଥିରୁ ୧,୬୦୯ଟି ଉଚ୍ଛେଦ କରାଯାଇଛି ବୋଲି ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ହାଇକୋର୍ଟରେ ଦାଖଲ ସତ୍ୟପାଠରେ ସ୍ପଷ୍ଟ କରାଯାଇଛି। ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରୁ ମିଳିଥିବା ରିପୋର୍ଟ ଆଧାରରେ ଏହି ସତ୍ୟପାଠରେ ତଥ୍ୟ ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ୪୩୯ଟି ଏପରି ଅନଧିକୃତ ଭାବେ ସରକାରୀ ଜମିରେ ନିର୍ମିତ ଧର୍ମାନୁଷ୍ଠାନକୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରାଯାଇଛି। ୧୦,୫୭୨ଟି ଅନୁଷ୍ଠାନକୁ ନିୟମିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏପରି ସର୍ବସାଧାରଣ ଜମି ଜବରଦଖଲ କରି କରାଯାଇଥିବା ନିର୍ମାଣ ଟ୍ରାଫିକ୍ ସମସ୍ୟା, ଜନସାଧାରଣଙ୍କ ପାଇଁ ବାଧା ବା ଅସୁବିଧା ସୃଷ୍ଟି କରୁ ନ ଥିବା କ୍ଷେତ୍ରରେ ଏଗୁଡିକ ନିୟମିତ କରାଯିବା ପ୍ରକ୍ରିୟା ବିଚାରକୁ ନିଆଯାଉଛି ବୋଲି ସତ୍ୟପାଠରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ଏବେ ମଧ୍ୟ ସର୍ବସାଧାରଣ ଜମିରେ ବେଆଇନ ଭାବେ ନିର୍ମିତ ବହୁ ସଂଖ୍ୟକ ଧର୍ମାନୁଷ୍ଠାନ ରହିଛି ବୋଲି ହାଇକୋର୍ଟରେ ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା। ଏଭଳି ଧର୍ମାନୁଷ୍ଠାନଗୁଡିକ ପ୍ରସଂଗରେ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି, ସେ ନେଇ ପରବର୍ତ୍ତୀ ଶୁଣାଣି ସମୟରେ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ୍‌ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର