ଗଞ୍ଜାମ ଓ ମୟୂରଭଞ୍ଜରୁ ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା: ୨୦ ସଂକ୍ରମିତଙ୍କ ଭିତରେ କେବଳ ଜଣେ ମହିଳା

ଭୁବନେଶ୍ବର: ଆଜି ସକାଳେ ଗଞ୍ଜାମ ଓ ମୟୁରଭଞ୍ଜ ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମସ୍ତ ୨୦ ଆକ୍ରାନ୍ତ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ସରକାର। ଆକ୍ରାନ୍ତମାନଙ୍କ ସଂପର୍କରେ ପ୍ରାଥମିକ ସୂଚନା ଜାରି କରାଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି ଯେ ଏହି ଆକ୍ରାନ୍ତମାନେ ସୁରତରୁ ଫେରିଥିଲେ ଓ ସେମାନଙ୍କ ବୟସ ୧୮ରୁ ୪୪ ବର୍ଷ ମଧ୍ୟରେ। ସେହିପରି ଆକ୍ରାନ୍ତଙ୍କ ଭିତରେ କେବଳ ଜଣେ ମହିଳା ଥିବା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଅନ୍ୟପକ୍ଷରେ ଏହି ସମସ୍ତ ଆକ୍ରାନ୍ତ ସୁରତରୁ ଫେରିବା ପରେ କ୍ବରେଣ୍ଟାଇନରେ ଥିଲେ।

ଗଞ୍ଜାମର ଆକ୍ରାନ୍ତମାନଙ୍କ ମଧ୍ୟରେ ଅଛନ୍ତି ଦୁଇଜଣ ୨୭ ବର୍ଷିୟ, ଦୁଇ ଜଣ ୪୩ ବର୍ଷିୟ ଏବଂ ବାକି ସମସ୍ତେ‌ ୨୦, ୩୮, ୨୩, ୨୯, ୫୦, ୩୦, ୨୯, ୨୧,୩୯, ୪୬, ୧୮ ଓ ୨୪ ବର୍ଷିୟ ପୁରୁଷ। ଏହାଛଡ଼ା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ମହିଳା ଅଛନ୍ତି।

ସେହିପରି ମୟୂରଭଞ୍ଜରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ସମସ୍ତେ ପୁରୁଷ। ସେମାନଙ୍କ ବୟସ ୨୧, ୩୬ ଓ ୪୪। ସମସ୍ତଙ୍କୁ କ୍ବାରେଣ୍ଟିନ୍‌ରେ ରଖାଯାଇଛି।

ଉଭୟ ଗଞ୍ଜାମ ଓ ମୟୂରଭଞ୍ଜର ଆକ୍ରାନ୍ତମାନେ ସୁରତ ଫେରନ୍ତା। ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୨୦୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ଭିତରେ ରାଜ୍ୟରେ ନମୁନା ପରୀକ୍ଷା ସଂଖ୍ୟା ୫୦ହଜାର ଟପିଥିବା ଜଣାଯାଇଛି। ଗତକାଲି ଦିନକରେ ୩୦୬୦ ନମୁନା ପରୀକ୍ଷା ହୋଇଥିଲା । ଏହାଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୦ହଜାର ୫୧୪ ନମୁନା ପରୀକ୍ଷା କରାଯାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଗତକାଲି ସୁଦ୍ଧା ରାଜ୍ୟରେ ୪୭୪୫୪ କୋଭିଡ ନମୁନା ପରୀକ୍ଷା ହୋଇଥିଲା। କରୋନା ସନ୍ଦେହରେ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୨୩୪ଜଣ ପୃଥକବାସରେ ରହିଥିବାର ସୂଚନା ମିଳିଥିଲା।

ସମ୍ବନ୍ଧିତ ଖବର