ମଧ୍ୟାହ୍ନ ଭୋଜନ ଖାଇ ୧୭ ଛାତ୍ରୀ ଅସୁସ୍ଥ

ରୁପସା/ବସ୍ତା-୨/ଗାନ୍ଧିଛକ, ୧୧/୩ (ଇମିସ): ବାଲେଶ୍ବର ଜିଲ୍ଲା ରୁପ୍‌ସା ଥାନା ଯୋଗେନ୍ଦ୍ର ରିଜିଓନାଲ୍‌ ଯୁକ୍ତ ଦୁଇ ବିଜ୍ଞା‌ନ କଲେଜ ହଷ୍ଟେଲ୍‌ରେ ଆଜି ମଧ୍ୟାହ୍ନଭୋଜନ ଖାଇବା ପରେ ୧୭ ଜଣ ଛାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ। ସେଥିମଧ୍ୟରୁ ୩ ଜଣଙ୍କୁ ରୁପ୍‌ସା ଡାକ୍ତରଖାନାରେ ଚିକିତ୍ସା କରାଯାଇଥିବାବେଳେ ୧୪ ଜଣଙ୍କୁ ବାଲେଶ୍ବର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଛାତ୍ରୀମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।

ସୂଚନା ଅନୁସାରେ; ଆଜି କଲେଜର ଛାତ୍ରୀନିବାସରେ ସବୁଦିନ ପରି ମଧ୍ୟାହ୍ନ ଭୋଜନ ପାଇଁ ରୋଷେଇ ହୋଇଥିଲା। ୨୦ରୁ ଅଧିକ ଛାତ୍ରୀ ରୋଷେଇ ହୋଇଥିବା ଖାଦ୍ୟ ଖାଇଥିଲେ। ତେବେ ଖାଦ୍ୟ ଖାଇବା ପରେ ୧୭ ଜଣ ଛାତ୍ରୀଙ୍କ ପେଟବ୍ୟଥା ସହ ବାନ୍ତି ହୋଇଥିଲା। ଫଳରେ କଲେଜ କର୍ତ୍ତୃପକ୍ଷ ସେମାନଙ୍କୁ ସଂଗେ ସଂଗେ ରୁପ୍‌ସା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ୧୪ ଜଣ ଛାତ୍ରୀଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା।

ଆଶୁ ଚିକିତ୍ସା ପରେ ଅନ୍ୟ ୩ ଜଣ ଛାତ୍ରୀଙ୍କୁ ରୁପ୍‌ସା ଡାକ୍ତରଖାନାରୁ ଛାଡ଼ି ଦିଆଯାଇଥିବା ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡାକ୍ତର ବିନୟଦାସ ମହାପାତ୍ର କହିଛନ୍ତି। କିଛି ଛାତ୍ରୀଙ୍କ କହିବାନୁସାରେ, ମଧ୍ୟାହ୍ନଭୋଜନରେ ରନ୍ଧା ହୋଇଥିବା ଡାଲିରୁ ଏକପ୍ରକାର ଉତ୍କଟ ବାସ୍ନା ବାହାରୁଥିଲା। ଘଟଣା ସଂପର୍କରେ ସୂଚନା ପାଇବା ପରେ କଲେଜ ପରିସରରେ ଅଭିଭାବକମାନେ ପହଞ୍ଚିଥିଲେ। ଏହାକୁ ନେଇ ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିବାବେଳେ ଖବର ଲେଖା ହେବା ଯାଏ କଲେଜ କର୍ତ୍ତୃପକ୍ଷଙ୍କ ନିକଟରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ସମ୍ବନ୍ଧିତ ଖବର