ମୁଣ୍ଡଳୀ ଏନ୍‌ଡିଆର୍‌ଏଫ୍‌ର ୧୭୩ ଯବାନ କ୍ବାରାଣ୍ଟିନରେ

ବାରଙ୍ଗ : ମୁଣ୍ଡଳୀ ସ୍ଥିତ ଏନ୍‌ଡିଆର୍‌ଏଫ୍‌ର ଜଣେ ଯବାନ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଆଜି କେନ୍ଦ୍ରର ୧୭୩ ଜଣ ଯବାନଙ୍କୁ କ୍ବାରାଣ୍ଟିନରେ ରଖାଯାଇଛି। ଅମ୍ଫାନ ବାତ୍ୟାରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଲାଗି ଏହି ଯବାନମାନେ ପଶ୍ଚିମବଙ୍ଗ ଯାଇଥିଲେ। ସେଠାରୁ ଫେରିବା ପରେ ୬ ଯବାନ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ କଟକ ସ୍ଥିତ ଏସ୍‌ସିବି ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ସ୍ବାବ୍‌ ରିପୋର୍ଟରୁ ଗତକାଲି ଜଣେ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା। ଏହି ଘଟଣା ଜଣା ପଡ଼ିବା ପରେ ସମସ୍ତ ଯବାନଙ୍କୁ ମୁଣ୍ଡଳୀ କ୍ୟାମ୍ପସରେ କ୍ବାରାଣ୍ଟିନରେ ରଖାଯାଇଛି। ସେଠାରେ ସମସ୍ତଙ୍କୁ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ବାରଙ୍ଗ ବିଡିଓ ପ୍ରଭାକର ପଣ୍ଡା ସୂଚନା ଦେଇଛନ୍ତି।

ବର୍ତ୍ତମାନ ସୁଦ୍ଧା ଏନ୍‌ଡିଆର୍‌ଏଫ୍‌ରେ ୧୭୩ ଓ ବାରଙ୍ଗ ବ୍ଲକ୍‌ରୁ ପ୍ରଥମ ପର୍ଯ୍ୟାୟରେ ୪୨ ଜଣ, ଦ୍ବିତୀୟରେ ୩୪ ଜଣ ଓ ଆଜି ୩୩ ଜଣଙ୍କୁ ମିଶାଇ ମୋଟ ୨୮୨ ଜଣଙ୍କର ସ୍ବାବ ପରୀକ୍ଷା କରାଯାଇଛି। ବାରଙ୍ଗ ବ୍ଲକ୍‌ ଅଧୀନରେ କରାଯାଇଥିବା ମୋଟ ୧୯ଟି ଅସ୍ଥାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ମୋଟ ୧୮୭ ଜଣ ଆସି ସଂଗରୋଧରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୨୩ ଜଣଙ୍କଠାରେ ଲକ୍ଷଣ ନ ଥିବାରୁ ସେମାନେ ଘରକୁ ଫେରିଛନ୍ତି। ବର୍ତ୍ତମାନ ଆଉ ୧୩ଟି ଅସ୍ଥାୟୀ କୋଭିଡ୍‌ ଚିକିତ୍ସା କେନ୍ଦ୍ରରେ ମୋଟ ୬୪ ଜଣ ପ୍ରବାସୀଙ୍କୁ ସଂଗରୋଧରେ ରଖାଯାଇଥିବା ବିଡିଓ କହିଛନ୍ତି।

ସମ୍ବନ୍ଧିତ ଖବର