ବରଯାତ୍ରୀ ଶୋଭାଯାତ୍ରା ବେଳେ ଅଘଟଣ : କାର୍‌ ମାଡ଼ିଯିବାରୁ ୨ ମୃତ, ବର ସମେତ ୫ ଆହତ

ଗରଦପୁର : ଗରଦପୁର ବ୍ଲକ ପାଟକୁରା ଥାନା ନିକଟ ଲେଖନପଡ଼ାରେ ଗ୍ରାମରେ ଆଜି ରାତିରେ ଅଘଟଣ ଘଟିଛି। ବର ଶୋଭାଯାତ୍ରା ବେଳେ କାର୍‌ ମାଡ଼ିଯିବାରୁ ୨ ଜଣଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଏଥିରେ ବର ସମେତ ୫ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ପୁଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି।

ମିଳିଥିବା ସୂଚନା ଅନୁସାରେ, ଆଜି ଲେଖନପଡ଼ା ଗ୍ରାମର ବାବୁଲି ବାରିକଙ୍କ ଝିଅ ବାହାଘର ଥିଲା। ଦଳୁଆଣି ଗ୍ରାମରୁ ବର ଶୋଭାଯାତ୍ରା ଆସି ଲେଖନପଡ଼ା‌ରେ ରାତି ପ୍ରାୟ ୧୧ଟା ବେଳେ ପହଞ୍ଚିଥିଲା। ଲେଖନପଡ଼ା ଗ୍ରାମର ସୁରେଶ ସେଠୀ ‌ରାସ୍ତା କଡ଼ରେ ଛିଡ଼ା ହୋଇ ବର ଶୋଭାଯାତ୍ରା ଦେଖୁଥିଲେ। ଏହି ସମୟରେ ଶୋଭାଯାତ୍ରାରେ ସାମିଲ ହୋଇଥିବା ଏକ ଇଣ୍ଡିଗୋ କାର୍‌ ହଠାତ୍‌ ଦ୍ରୁତ ଗତିରେ ମାଡ଼ି ଆସି ପ୍ରଥମେ ସୁରେଶଙ୍କ ଉପରେ ଚଢି ଯାଇଥିଲା। ପରେ ଆଗକୁ ମାଡ଼ି ଯାଇ ବର ଗାଡ଼ିକୁ ଧକ୍କା ଦେବା ପରେ ପାଲିଙ୍କିରେ ବୋହି ନେଉଥିବା ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ପାଲିଙ୍କି କାନ୍ଧେଇଥିବା ଜଣେ ବ୍ୟକ୍ତିଙ୍କ ଉପରେ କାର ମାଡ଼ିଯିବାରୁ ତାଙ୍କର ସେଠାରେ ମୃତ୍ୟୁ ଘଟିଥିଲା। ତାଙ୍କର ପରିଚୟ ମିଳି ପାରି ନାହିଁ। ପାଲିଙ୍କି ତଳେ ପଡ଼ିଯିବାରୁ ବର ମଧ୍ୟ ଆହତ ହୋଇଥିଲେ। ଏଥିସହ ସେଠାରେ ଥିବା ଅନ୍ୟ ୪ ଜଣ ମଧ୍ୟ ଆହତ ହୋଇଥିଲେ। କାର୍‌ ଧକ୍କାରେ ସେଠାରେ ଥିବା ପ୍ରାୟ ୫ଟି ଗାଡ଼ି ଭାଙ୍ଗିରୁଜି ଯାଇଛି। ଦୁର୍ଘଟଣା ଘଟାଇଥିବା ଇ‌ଣ୍ଡିଗୋ କାର୍‌ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଲେଖନପଡ଼ା ଗ୍ରାମବାସୀ ବରକୁ ଅଟକ ରଖିଥିବା ଜଣାପଡ଼ିଛି। ସୂଚନା ଥାଉ କି, ମୃତ ସୁରେଶ ଏକ ଭୁବନେଶ୍ବରର ଘରୋଇ ହସପିଟାଲରେ କାର୍ଯ୍ୟ କରୁଥିଲେ। ଭୋଟ ଦେବାକୁ ଗାଁକୁ ଆସିଥିଲେ। ତାଙ୍କର ଅକାଳ ମୃତ୍ୟୁକୁ ନେଇ ଗାଁରେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର