ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା : ବସ୍‌ ଦୁର୍ଘଟଣାରେ ୨ ସମୁଦୁଣୀ ମୃତ

ବ୍ରହ୍ମଗିରି/କଣାସ/ ଗଡ଼ିଶାଗୋଦା : କଣାସ ବ୍ଲକ୍‌ ଗଡ଼ିଶାଗୋଦା ଥାନା କରମଳାଠାରେ ଆଜି ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ତୀର୍ଥ ଯାତ୍ରା କରିବାକୁ ଆସିଥିବା ଦୁଇ ସମୁଦୁଣୀଙ୍କର ବସ୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ମୃତକମାନେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ନିକଟବର୍ତ୍ତୀ ଇଶିନିଧିଆ ଗ୍ରାମର ନୟନା ସାହୁ (୫୮) ଓ କଟକ ସଦର ମଇଧରପଡ଼ା ନିକଟବର୍ତ୍ତୀ ନଗରୀ ଗ୍ରାମର ସରୋଜିନୀ ସାହୁ(୫୮)।

ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ଚାନ୍ଦୋଳ ଅଞ୍ଚଳରୁ କିଛି ଲୋକେ ଶ୍ରୀକ୍ରୀଷ୍ଣା (ଓଡି-୦୫ଏଆର୍‌-୧୮୧୪) ନାମକ ଏକ ଯାତ୍ରୀବାହୀ ବସ୍‌ ଯୋଗେ ପୁରୀ ବୁଲିବାକୁ ଆସିଥିଲେ। ଏହି ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ। ପୂର୍ବାହ୍ନ ପ୍ରାୟ ୯.୩୦ରେ ବସ୍‌ଟି ପ୍ରଥମେ କରମଳାସ୍ଥିତ ଶାନ୍ତିଧାମ ଆନନ୍ଦ ଆଶ୍ରମରେ ପହଞ୍ଚିଥିଲା। ବସ୍‌ଟି କିଛି ଦୂରରେ ରହିଥିବା ବେଳେ ଯାତ୍ରୀମାନେ ସେଠାରୁ ଚାଲି ଚାଲି ଆସିଥିଲେ। କିନ୍ତୁ ସେମାନଙ୍କ ମଧ୍ୟରୁ ନୟନା ଓ ତାଙ୍କ ସମୁଦୁଣୀ ସରୋଜିନୀ ଆଶ୍ରମ ଆଗରେ ଥିବା କରମଳା ସେତୁ ପାଖରେ ବୁଲୁଥିଲେ। ଯେଉଁ ବସ୍‌ରେ ଏହି ଯାତ୍ରୀମାନେ ଆସିଥିଲେ, ସେହି ବସ୍‌ଟି ପଛକୁ ଆସୁଥିବା ବେଳେ ନୟନା ଓ ସରୋଜିନୀଙ୍କ ସହ ଧକ୍କା ହୋଇଥିଲା। କିଛି ବୁଝିବା ଆଗରୁ ବସ୍‌ଟି ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ନୟନାଙ୍କ ମୁଣ୍ତ ଉପରେ ବସ୍‌ ଚଢ଼ିଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସରୋଜିନୀଙ୍କୁ ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଦୁର୍ଘଟଣା ପରେ ବସ୍‌ ଡ୍ରାଇଭର୍‌ ଓ ହେଲ୍‌ପର୍‌ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଗଡ଼ିଶାଗୋଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ପୁଲିସ ୯/୨୦ରେ ଏକ ମାମଲା ରୁଜୁ କରି ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ ଚଳାଇଛି। ଅପରପକ୍ଷେ, ଆଶ୍ରମରେ ଥିବା ଅନ୍ୟ ଯାତ୍ରୀମାନଙ୍କୁ ପ୍ରଶାସନ ଘରକୁ ପଠାଇବାର ବ୍ୟବସ୍ଥା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର