ହୋଲିରେ ଅଘଟଣ: ରାସ୍ତାକଡ଼ରେ ଥିବା ଗଛରେ ବାଇକ୍‌କୁ ପିଟି ଜୀବନ ହରାଇଲେ ୨ ଜଣ

ରୁପ୍ରା: ହୋଲିରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛକୁ ଧକ୍କା ଦେଇ ଜୀବନ ହରାଇଛନ୍ତି ଜଣ ଯୁବକ ଓ ଅନ୍ୟ ଜଣେ ନାବାଳକ। ମୃତ ୨ ବ୍ୟକ୍ତି ହେଲେ କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍ ଅନ୍ତର୍ଗତ ପଲମ୍ ଫାଣ୍ଡି ଅଧିନ ଆଲିମ୍ ଗ୍ରାମର ଦୁଇଜଣ ବ୍ୟକ୍ତି ଦେବରାଜ ଭୋଇ (୨୨) ଓ ଅଭୟ ଦୋରା (୧୫)

ମିଳିଥିବା ସୂଚନା ଅନୁସାରେ ଦେବରାଜ ଓ ଅଭୟ ଏକ ବାଇକ୍‌ (ଓଡି୦୩ ୱାଇ ୮୪୯୫)ରେ କୌଣସି କାମରେ ପଲମ ଯାଇ ଘରକୁ ଫେରୁଥିବା ବେଳେ ଘରଠୁଁ କିଛି ଦୂରରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱ ଏକ ଗଛରେ ପିଟି ହେବାରୁ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ତେବେ ଘଟଣା ସମ୍ପର୍କରେ ପଲମ ଫାଣ୍ଡି ଅଧିକାରୀ ଅକ୍ଷୟ ପ୍ରସାଦ ପଟ୍ଟନାୟକ ଖବର ପାଇ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚିବା ସହିତ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ମାତ୍ର ଆମ୍ୱୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି। ଆମ୍ୱୁଲାନ୍ସ ଆସିବା ପରେ ଉଭୟଙ୍କୁ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

ତେବେ ଖବର ଲେଖା ହେଲା ବେଳକୁ ଶବ ବ୍ୟବଚ୍ଛେଦ ହୋଇନଥିବା ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି। ତେବେ ହୋଲିପର୍ବରେ ସାରା ଅଞ୍ଚଳରେ ଖୁସିର ମାହୋଲ ଥିବାବେଳେ ଆଲିମ୍ ଗ୍ରାମରେ ଉକ୍ତ ଘଟଣାକୁ ନେଇ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର