ହୀରାକୁଦ ଡ୍ୟାମ୍‌ରୁ ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି, ମହାନଦୀର ତଳିଆ ଅଞ୍ଚଳରେ ସୁଧୁରୁଛି ଅବସ୍ଥା

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଅଜି ୨ଟି ପର୍ଯ୍ୟାୟରେ ୮ଟି ଗେଟ୍‌ ବନ୍ଦ କରିଦିଆଯିବା ପରେ ରାତି ୯ଟାରେ ବି ୨୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି ରହିଛି। ଏଥିରେ ବାମ ପାର୍ଶ୍ବରୁ ୧୪ଟି ଥିବା ବେଳେ ଦକ୍ଷିଣ ପାର୍ଶ୍ବରୁ ୬ଟି ରହିଛି। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍‌ ପକ୍ଷରୁ ଏହି ସୂଚନା ଦିଆଯାଇଛି। ତେବେ ଆଶା କରାଯାଉଛି ଯେ, ଆଗାମୀ ସମୟରେ ହୀରାକୁଦ ଜଳଭଣ୍ଡାରରୁ ଆହୁରି ଗେଟ୍‌ ବନ୍ଦ କରି ଦିଆଯାଇପାରେ। ପର୍ଯ୍ୟାୟ କ୍ରମେ ଡ୍ୟାମ୍‌ରୁ ଗେଟ୍‌ଗୁଡ଼ିକ ଖୋଲି ଦିଆଯିବା ପରେ ମହାନଦୀରେ ବନ୍ୟାଜଳ ହ୍ରାସ ପାଇବ, ଯାହାକୁ ତଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ବସ୍ତି ପ୍ରଦାନ କରିବ। ତେବେ ପୂର୍ବାପେକ୍ଷା ମହାନଦୀର ତଳିଆ ଅଞ୍ଚଳରେ ଅବସ୍ଥା ସୁଧୁରିବାରେ ଲାଗିଛି।

 

ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୨,୭୮,୨୯୯ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୩,୫୦,୧୦୦ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୩,୧୫,୧୦୦ କ୍ୟୁସେକ, ପାୱାର ଚ୍ୟାନେଲ ମାଧ୍ୟମରେ ୩୨,୨୨୧, ଚାଷ ପାଇଁ ୧୭୮୭ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୧୫୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍‌ବିପି ପାଇଁ ୮୭ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।

 

ହୀରାକୁଦ ଜଳ ଭଣ୍ଡାରରେ ଶୁକ୍ରବାର ରାତି ୯ଟାରେ ୬୨୧.୫୪ ଫୁଟ ଜଳସ୍ତର ରହିଛି। ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ପୂର୍ବାପେକ୍ଷା କମୁଛି । ପର୍ଥଲା ଦେଇ ୧ ଲକ୍ଷ ୧୪ ହଜାର ୨୭୧ କ୍ୟୁସେକ, ଖଇରମାଳ ଦେଇ ୬ ଲକ୍ଷ ୩୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୭ ଲକ୍ଷ ୭୦ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୯ ଲକ୍ଷ ୩୩ ହଜାର ୫୦୦ କ୍ୟୁସେକ ଜଳ ନିଷ୍କାସନ ହେଉଛି।

ସମ୍ବନ୍ଧିତ ଖବର