ଇସ୍ରୋ ପରିଦର୍ଶନରୁ ଫେରିଲେ  ଓଡ଼ିଶାର ୨୦ ସ୍କୁଲ ପିଲା

ଭୁବନେଶ୍ୱର: ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନେ୍ଵଷଣ (ୟାଟସ୍‌)ର ୨୦୧୭-୧୮ର ବିଜେତାମାନେ ସପ୍ତାହବ୍ୟାପୀ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)ର ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି) ପରିଦର୍ଶନ ସାରି ଫେରି ଆସିଛନ୍ତି । ଏଥି ସହିତ ୟାଟସ୍‌ର ୧୧୧ତମ ସଂସ୍କରଣ ସଫଳତାର ସହିତ ଶେଷ ହୋଇଛି। ରାଜ୍ୟର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୟାଟସ୍‌ ହେଉଛି ଟାଟା ଷ୍ଟିଲ୍‌ର ଏକ ସ୍ୱତନ୍ତ୍ର ଅଭିଯାନ ଯାହାକୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ଅଧୀନରେ ଥିବା ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌ ସହଯୋଗିତାରେ ଆୟୋଜନ କରାଯାଇଛି ।

୧୧ତମ ସଂସ୍କରଣର ସାରା ଓଡ଼ିଶାରୁ ବିଜେତା ହୋଇଥିବା ମୋଟ ୨୦ ଜଣ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ପରିଦର୍ଶନରେ ପଠାଯାଇଥିଲା। ଇସ୍ରୋ ପରିଚାଳନାର ବିଭିନ୍ନ ଦିଗ ଓ ଭାରତୀୟ ମହାକାଶ କାଯ୍ୟର୍କ୍ରମର ଅଭ୍ୟୁଦୟ ବିଷୟରେ ଜାଣିବା ପାଇଁ ଏହି ଛାତ୍ରଛାତ୍ରୀମାନଙ୍କୁ ସୁଯୋଗ ପ୍ରଦାନ କରାଯାଇଥିଲା । ଇସ୍ରୋ ପରିଦର୍ଶନ କରିଥିବା ଟିମ୍‌ରେ ସମାନ ସଂଖ୍ୟକ ଛାତ୍ରୀ, ଛାତ୍ର ଓ ସେମାନଙ୍କ ଶିକ୍ଷକମାନେ ଥିଲେ। ସେମାନେ ଅହମ୍ମଦାବାଦ ଏସ୍‌ଏସିର ବିଭିନ୍ନ ଲାବୋରେଟୋରି ପରିଦର୍ଶନ କରିଥିଲେ। ଦାୟିତ୍ୱରେ ଥିବା ବୈଜ୍ଞାନିକମାନଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନେ ଯେଉଁ ଗବେଷଣା କରୁଛନ୍ତି ତାହାର ବିବରଣୀ ସେମାନେ ପ୍ରଦାନ କରିଥିଲେ। ଛାତ୍ରୀଛାତ୍ରଙ୍କ ସହିତ ଆଲୋଚନା କରିବା ବେଳେ ଇସ୍ରୋ ଏସ୍‌ଏସି, ଅହମ୍ମଦାବାଦର ନିର୍ଦେଶକ ତପନ କୁମାର ମିଶ୍ର ଏଭଳି ଅଭିଯାନ ଆୟୋଜନ କରିବା ଓ ଛାତ୍ରଛାତ୍ରୀମାନଙ୍କୁ ଇସ୍ରୋ ପରିଦର୍ଶନ କରାଇବା ଭଳି ଅନୁଭୂତି ପ୍ରଦାନ କରାଇଥିବାରୁ ଟାଟା ଷ୍ଟିଲ୍‌ ଓ ପଠାଣୀ ସାମନ୍ତ ପ୍ଲାନେଟୋରିୟମ୍‌କୁ ପ୍ରଶଂସା କରିଥିଲେ। ଇସ୍ରୋ ପରିଦର୍ଶନ ପୂର୍ବରୁ ଛାତ୍ରଛାତ୍ରୀମାନେ ଅହମ୍ମଦାବାଦରେ ଥିବା ଗୁଜରାଟ ସାଇନ୍ସ ସିଟି ପରିଦର୍ଶନ କରିଥିଲେ। ଏହି ପରିଦର୍ଶନକୁ ଜୁନ୍‌ ୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଉଦଘାଟନ କରିଥିଲେ ।

ସମ୍ବନ୍ଧିତ ଖବର