ତାଳଚେରରେ ୨୪ ହାତୀ

ଦୁଇ ପରିବାରର ଘର ଭାଙ୍ଗି ଦେଲେ

ତାଳଚେର : ତାଳଚେର ଥର୍ମାଲ ଆସ୍‌ପଣ୍ଡ ନିକଟରେ ଗତ କିଛି ଦିନ ହେଲା ୪ଟି ହାତୀ ରହି ସନ୍ଥପଡ଼ା, ଦାସନାଳି, ଝାଡ଼ିଅମ୍ବା ପ୍ରଭୃତି ଗାଁରେ ଫସଲ ନଷ୍ଟ କରୁଥିଲେ। ଏମାନଙ୍କ ସହିତ ଆଉ ୨୦ଟି ହାତୀ ଆସି ମିଶିଥିବା ବେଳେ ଦଳରେ ୩ଟି ଦନ୍ତାହାତୀ ଏବଂ ଦୁଇଟି ଛୁଆହାତୀ ଅଛନ୍ତି।

ଗତକାଲି ବିଳମ୍ବିତ ରାତିରେ ହାତୀପଲ ଆସ୍‌ପଣ୍ଡ ଅଞ୍ଚଳରୁ ବାହାରି ଥର୍ମାଲ ଆନନ୍ଦ ବଜାର ନିକଟସ୍ଥ ବହ୍ଲର ଛକଠାରେ ଜାତୀୟ ରାଜପଥ ଅତିକ୍ରମ କରିଥିଲେ। ବହ୍ଲର ଓ କୁକୁଡୁଲା ଗାଁ ନିକଟରେ ହାତୀପଲଙ୍କୁ ଦେଖି ଭୟଭୀତ ଗ୍ରାମବାସୀ ସେମାନଙ୍କୁ ଘଉଡ଼ାଇବା ଲାଗି ବାଣ ଫୁଟାଇଥିଲେ। ଆଜି ଭୋର ସମୟରେ ହାତୀପଲ ନୂଆପଡ଼ା ପୋଖରୀ କୂଳ, ହରିଜନ ସାହି, ବିବେକାନନ୍ଦ ବିଦ୍ୟାମନ୍ଦିର କଡ଼ ଦେଇ ଆସି ପୁଣି ଆସ୍‌ପଣ୍ଡ ନିକଟରେ ଆଡ଼୍‍ଡା ଜମାଇଛନ୍ତି।

ହାତୀପଲ ନୂଆପଡ଼ା ହରିଜନ ସାହି ଦେଇ ଯିବା ବେଳେ ଦୁଇଟି ପରିବାରର ଘର ଭାଙ୍ଗି ଦେଇଛନ୍ତି। କ୍ଷତିପୂରଣ ଦାବିରେ ଗ୍ରାମବାସୀ ନୂଆପଡ଼ାଠାରେ ତାଳଚେର-ବଅଁରପାଳ ଜାତୀୟ ରାଜପଥ ଅବରୋଧ କରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବୁଝାସୁଝା କରିବାରୁ ଗାଁ ଲୋକେ ଆନ୍ଦୋଳନରୁ ଓହରିଥିଲେ।

ସମ୍ବନ୍ଧିତ ଖବର