ରାଷ୍ଟ୍ରୀୟ କୃଷି ବିକାଶ ଯୋଜନାରେ ୨୪ ନୂଆ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ବର : ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ତଥା କୃଷକମାନଙ୍କ ଆୟ ବୃଦ୍ଧିରେ ସହାୟକ ହେଲା ପରି ୨୪ଟି ନୂଆ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆର୍‌କେଭିୱାଇ)ର ରାଜ୍ୟସ୍ତରୀୟ ମଞ୍ଜୁରୀ କମିଟି ବୈଠକରେ ଏହି ପ୍ରକଳ୍ପଗୁଡ଼ିକୁ ଅନୁମୋଦନ କରାଯାଇଛି।

ନୂଆ ପ୍ରକଳ୍ପଗୁଡ଼ିକୁ ଅନୁମୋଦନ ଦେଇ ସେଗୁଡ଼ିକ ଯେପରି ବାସ୍ତବ କ୍ଷେତ୍ରରେ କୃଷି ଉତ୍ପାଦନ ଓ କୃଷକମାନଙ୍କ ଆୟ ଓ କୃଷି କ୍ଷେତ୍ରରେ ଆତ୍ମନିଯୁକ୍ତି ବଢ଼ାଇବାରେ ସହାୟକ ହେବ, ସେଥିପ୍ରତି ଦୃଷ୍ଟି ଦେବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ପ୍ରକଳ୍ପ ପ୍ରସ୍ତାବ ଦେଇଥିବା ବିଭାଗ ଓ ସଂସ୍ଥାମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭିନ୍ନ ପ୍ରକଳ୍ପ ବାବଦରେ ପୂର୍ବରୁ ମଞ୍ଜୁର ହୋଇଥିବା ଅର୍ଥର ବିନିଯୋଗ ପୂର୍ଣ୍ଣାଙ୍ଗ କରି ୨୦୧୮-୧୯ ଆର୍ଥିକ ବର୍ଷ ସୁଦ୍ଧା ସମସ୍ତ ବିନିଯୋଗପତ୍ର ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ କହିଲେ, ଆଜିର ବୈଠକରେ କୃଷି, ପଶୁପାଳନ, ମତ୍ସ୍ୟଚାଷ, ଫସଲ ନଷ୍ଟକାରୀ କୀଟାଣୁ ପରିଚାଳନା, ରାଜ୍ୟରେ ସବୁଜ ବିପ୍ଳବ ଦୃଢ଼ୀକରଣ ଆଦି ସମ୍ବନ୍ଧରେ ୨୪ଟି ପ୍ରକଳ୍ପ ଅନୁମୋଦିତ ହୋଇଛି। ଏହି ସବୁ ପ୍ରକଳ୍ପରେ ପ୍ରାୟ ୨୫୦ କୋଟି ଟଙ୍କା ବିନିଯୋଗ ହେବ। ଏହା ବାଦ୍ ଫନି ଦ୍ବାରା ବିଶେଷ କ୍ଷତିଗ୍ରସ୍ତ ଜିଲ୍ଲାଗୁଡ଼ିକ ପାଇଁ ପାନବରଜ ପୁନରୁଦ୍ଧାର, ଛତୁ ଚାଷର ପୁନରୁଦ୍ଧାର, ପନିପରିବା ଓ ଆଖୁ ଚାଷ ଆଦିର ପୁନଃସ୍ଥାପନ, ମତ୍ସ୍ୟଜୀବୀମାନଙ୍କ ଜୀବିକାର ପୁନଃସ୍ଥାପନ ଆଦି ୧୧ଟି ପ୍ରକଳ୍ପ ଅନୁମୋଦନ ଲାଭ କରିଛି। କେବଳ ଫନି କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କ ପାଇଁ ପ୍ରାୟ ୧୨୩ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି।

୨୦୦୭-୦୮ ମସିହାରେ ରାଜ୍ୟରେ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି। ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ମୋଟ୍‌ ୭୪୯ଟି ମୁଖ୍ୟ ପ୍ରକଳ୍ପ ହାତକୁ ନିଅ‌ାଯାଇଛି। ତାହା ମଧ୍ୟରୁ ୪୯୬ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ଅବଶିଷ୍ଟ ୨୫୩ଟି ପ୍ରକଳ୍ପର କାର୍ଯ୍ୟ ବର୍ଷୱାରି ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଚାଲୁ ରହିଛି। ସୂଚନାଯୋଗ୍ୟ ‌େଯ ଏହି ଯୋଜନା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ୬୦:୪୦ ଅନୁପାତରେ ପାଣ୍ଠି ଯୋଗାଇଥାନ୍ତି।

ଆଜିର ବୈଠକରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳ, କେନ୍ଦ୍ରୀୟ କୃଷି ଓ କୃଷକ ମଙ୍ଗଳ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଆନନ୍ଦ କ୍ରିଷ୍ଣା, ସମବାୟ ସଚିବ କ୍ରିଷନ୍ କୁମାର, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବ ବିଶାଲ ଗଗନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ କୃଷି ବିଶେଷଜ୍ଞମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର